Unknown

 

 

 

 

 

 

 

 

 

 

 

କଥାକାବ୍ୟେ ମେଘଦୂତ

ଶ୍ରୀ ହରିକୃଷ୍ଣ ପ୍ରଧାନ

 

 

 

 

 

 

ଭୂମିକା

 

ମେଘାଲୋକେ—

 

କାଳିଦାସଙ୍କର କାମାର୍ତ୍ତ କାବ୍ୟ ମେଘଦୂତ

 

ମେଘାଲୋକେ—

 

ମେଘଦୂତ ଯୌନ ମନୋଦର୍ଶନର ଏକ କାମାର୍ତ୍ତ କାବ୍ୟଚିତ୍ର । ଋଷି ବାତ୍ସାୟନ କାମର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଛନ୍ତି—

 

‘‘ଶ୍ରୋତ୍ର-ତ୍ୱକ୍-ଚକ୍ଷୁ-ଜିହ୍ୱା-ଘ୍ରାଣାନାଂ ଆତ୍ମସଂଯୁକ୍ତେନ ମନସା ଅଧିଷ୍ଠିତାନାଂ ସ୍ୱେଷୁ ସ୍ୱେଷୁ ବିଷୟେଷୁ ଆନୁକୂଲ୍ୟତଃ ପ୍ରବୃତ୍ତିଃକାମଃ ।

 

ଅର୍ଥାତ୍ ଆତ୍ମସଂଯୁକ୍ତ ମନଦ୍ୱାରା ପରିଚାଳିତ ଶ୍ରୋତ୍ର ତ୍ୱକ୍ ଚକ୍ଷୁ, ଜିହ୍ୱା ଓ ଘ୍ରାଣର ନିଜ ନିଜ ବିଷୟରେ ଅନୁକୂଳ ଭାବରେ ଯେଉଁ ପ୍ରବୃତ୍ତି—ତାହାର ନାମ କାମ ।

 

ଶ୍ରୋତ୍ର ପାଇଁ ସ୍ୱର, ତ୍ୱକ୍ ପାଇଁ ସ୍ପର୍ଶ, ଚକ୍ଷୁ ପାଇଁ ରୂପ, ଜିହ୍ୱା ପାଇଁ ରସ ଓ ଘ୍ରାଣ ପାଇଁ ଗନ୍ଧ ତୃପ୍ତିର ଏକ ଏକ ଆଧାର ହେଲେ ମଧ୍ୟ ଏ ଗୁଡ଼ିକର ତୃପ୍ତିର ଏକକ ଅଥଚ ସମୂହ ଆଧାର—ପୁରୁଷ ପାଇଁ ନାରୀ ଓ ନାରୀପାଇଁ ପୁରୁଷ । ଜୀବନରେ ଯୌବନ ଆସେ । ମନ ଗହନରେ ଉତ୍ତପ୍ତ ପ୍ରବୃତ୍ତି ହାଇ ତୋଳେ ।

 

ମେଘ, ମଳୟ, ଜ୍ୟୋତ୍ସ୍ନା—ଏମାନେ ପୁଣି ପ୍ରବୃତ୍ତିର ଅଗ୍ନିକୁଣ୍ଡରେ ଉତ୍ତେଜନାର ଆହୁତି ଢାଳି ଯାନ୍ତି । ‘ମେଘାଲୋକ’ର ଆଚ୍ଛନ୍ନତା ଯୌନ ଆବେଗକୁ ବିଶ୍ୱମୟ ବିକ୍ଷିପ୍ତ କରିଯାଏ । ନାରୀ ପାଇଁ, ନାରୀର ରୂପାୟନ ପାଇଁ ପୁରୁଷର ଅନ୍ତର ତଳେ କ୍ଷୁଧାର ନିଆଁ ଝଡ଼ ନାଚିଉଠେ । କାମନାର ଆବେଶ ଆକାଶ ପାତାଳ ଖେଦି ବୁଲେ ।

 

ଏହି କାମାବେଗ ଗର୍ହଣୀୟ ନୁହେଁ, ନିନ୍ଦନୀୟ ନୁହେଁ, ବର୍ଜନୀୟ ବି ନୁହେଁ । ଏହାର ସଂଯମର ଆବଶ୍ୟକତା ଥାଇ ପାରେ କିନ୍ତୁ ଏହାର ସନ୍ନ୍ୟାସ ସଂସାର ପକ୍ଷରେ ବିପଜ୍‍ଜନକ ।

 

ଧର୍ମ—ସଂସ୍କୃତିର ସଂପଦ । ପ୍ରବୃତ୍ତି କିନ୍ତୁ ଧର୍ମ ବୁଝେ ନା; ମନଗହନର ଅଦ୍‍ଭୁତ ଅରଣ୍ୟ ମଧ୍ୟରେ ପଶୁତ୍ୱକୁ ପୋଷି ରଖି ଉଚ୍ଛୃଙ୍ଖଳତାର ପ୍ରଶ୍ରୟ ଦିଏ ।

 

ସଂସ୍କୃତି ଶାସନ କରେ, ନୀତିର ଦ୍ୱାହି ଦିଏ, ଧର୍ମର ଭୟ ଦେଖାଏ । ପ୍ରବୃତ୍ତି କିନ୍ତୁ ପରାଜୟ ମାନି ନେବାକୁ ନାରାଜ । ଶେଷରେ ସଂସ୍କୃତି ବାସ୍ତବତାର ଦ୍ୱାରଦେଶରେ ସତର୍କ ଘଣ୍ଟାର ସଂକେତ ଦେଇ ତା ଆଗରେ କଳାର ପଥ—କବିତାର ପଥ ଖୋଲି ଦିଏ । ଫଳରେ—

 

.......କୋଣାର୍କର ପଥର ବୁକୁରେ ମାତି ଉଠେ ଯୌନ ରେଖାର ନଗ୍ନ ଲୋଲୁପତା । ଅଜନ୍ତାର ରଙ୍ଗରେ ରଙ୍ଗରେ ଯୌନତୃଷ୍ଣାର ମାୟାମାଦକତା ଉତଫେନ ହୁଏ । ଆଉ ସାକୀ ସୁରାର କବିତାରେ କାମନାର ନିଆଁ ଫୁଲ ଫୁଟି ପଡ଼େ ।

 

ଏଇ ପ୍ରବୃତ୍ତି ଓ ସଂସ୍କୃତିର ଦ୍ୱନ୍ଦାତ୍ମକ କାବ୍ୟିକ ପ୍ରତିରୂପ କାଳିଦାସଙ୍କର ମେଘଦୂତ । ବିଶ୍ୱ ଯୌବନର କାମାର୍ତ୍ତ ଆବେଗ ସମେତ ତାର ଶାନ୍ତ ସୁନ୍ଦର ପରିଣତିକୁ ଏଥିରେ ସେ କାବ୍ୟଚିତ୍ର ଦେଇ ଅଛନ୍ତି ।

 

ଯୌବନର ମନ ଗହନରେ ବିଶ୍ୱଗ୍ରାସର ଅନନ୍ତ ବୁଭୁକ୍ଷା ନେଇ ଯେଉଁ ଅନିଭନ୍ତ ପ୍ରବୃତ୍ତି ଧକ୍ ଧକ୍ ଜଳି ଉଠେ—ତାର ଗୋଟାଏ ଛାୟାମୟ ଆତ୍ମା କଳ୍ପନା କରି ନିଜର କବି ଅନ୍ତରରେ ସେ ତାର କାୟା ପ୍ରବେଶ କରାଇଛନ୍ତି । ଅନ୍ତରର କବି ପୁଣି ଛାୟାତ୍ମା ହୋଇ ବିରହୀ ଯକ୍ଷ ପ୍ରାଣରେ ପ୍ରବେଶ କରିଛି । ନିଜର କାମାତ୍ମାକୁ ଚାରିଆଡ଼େ ବିଛାଇ ନାରୀ ଓ ନାରୀର ରୂପାୟନ ପାଇଁ ହାହାକାର କରି ସେ ଗାଇ ଉଠିଛି—

 

‘‘ଶ୍ୟାମାସ୍ୱଙ୍ଗଂ ଚକିତହରିଣୀପ୍ରେକ୍ଷଣେ ଦୃଷ୍ଟିପାତମ୍, ବକ୍‍ତ୍ରଚ୍ଛାୟଂ ଶଶିନି ଶିଖିନାଂ ବର୍ହଭାରେଷୁ କେଶାନ୍; ଉତ୍‍ପଶ୍ୟାମି ପ୍ରତନୁଷୁ ନଦୀବୀଚିଷୁ ଭ୍ରୂବିଳାସାନ୍...ପ୍ରିୟଙ୍ଗୁଲତାରେ କୋମଳ ଅଙ୍ଗ, ହରିଣୀର ଛନ୍ନ ଚାହାଣିରେ ନୟନ ଶୋଭା । ଚାନ୍ଦର ଜ୍ୟୋତ୍ସ୍ନାରେ ମୁଖ ଲାବଣ୍ୟ, ମୟୂରବର୍ହରେ ଗହଳ କେଶ ଅନେକଟା ସେ ମାନି ନେଇଛି ।

 

ତଥାପି ଆବେଗର ଉଦ୍ଦାମତୃଷ୍ଣା ମିଟିନି । ଆହୁରି ବ୍ୟାପକତର ମାଧ୍ୟମ ମେଘକୁ ସେ ଖୋଜି ପାଇଛି ।

 

ମେଘ—ପ୍ରକୃତିର ପୁରୁଷ ।

 

ପ୍ରକୃତିମୟ ଯେତେ କିଛି ରମଣୀୟ ଓ କମନୀୟ । କୌଣସିଟା ତାର ସ୍ପର୍ଶରୁ ବାଦ୍ ଯାଇନି । ନାରୀର ରୂପ, ନାରୀର ରୂପାୟନ ପାଇଁ, ଯେଉଁଠାରେ ଯେତେ ଯାହା ତାର ଆଗକୁ ଆସିଛି ସବୁକୁ ସେ ସ୍ପର୍ଶ କରିଛି—ଆଲିଙ୍ଗନ କରି ଆସ୍ୱାଦନ କରିଛି ।

 

କଳାକଜ୍ଜଳ କାୟା ବିଛାଇ ଆକାଶ ପଥରେ ଭାସିଗଲା ବେଳେ ପଥିକବନିତାର ଉଜ୍‍ଜ୍ୱଳ ଆଖି ସେ ଉପଭୋଗ କରିଛି ।

 

‘‘ମଧ୍ୟେ ଶ୍ୟାମଃ ସ୍ତନ ଇବ ଭୁବଃ ଶେଷବିସ୍ତାରପାଣ୍ଡୁଃ’’ ପୃଥିବୀର ସ୍ୱର୍ଣ୍ଣଘନ ବକ୍ଷପରି ପାଚିଲା ଆମ୍ୱଲୋଟା ପାହାଡ଼ ଉପରେ ସେ ଶୋଇ ପଡ଼ିଛି ।

‘‘ସଭ୍ରୂଭଙ୍ଗଂ ମୁଖମିବ ପୟଃ ବେତ୍ରବତ୍ୟାଶ୍ଚଳୋର୍ମିଃ’’ ସଭ୍ରୂଭଙ୍ଗ ମୁଖ ପରି ତରଙ୍ଗତରଳ ନଈଧାରକୁ ସେ ଶୋଷି ନେଇଛି ।

‘‘ଗମ୍ଭୀରାୟାଃ ପୟସି ସରିତଶ୍ଚେତସୀବ ପ୍ରସନ୍ନେ,

ଛାୟା ତ୍ମାପି ପ୍ରଝକୃତିସୁଭଗୋ ଲପ୍‍ସ୍ୟତେ ତେ ପ୍ରବେଶମ୍ ।’’

ହସିଲା ମନପରି ନିର୍ମଳ ନଈଧାରକୁ ଛାୟାମୟ ଆତ୍ମାରେ ସେ ଆଚ୍ଛନ୍ନ କରିଛି ।

ବନଚରବଧୂର ଏକାନ୍ତ କୁଞ୍ଜ, ପଣ୍ୟାଙ୍ଗନାର ରତିପରିମଳ, ମାଲୁଣୀ କନ୍ୟାର ସ୍ୱେଦ-ମଦିରା, ଅଭିସାରିକାର ଭୀରୁ ଲାବଣ୍ୟ—ସବୁକୁ ସେ ଆସ୍ୱାଦନ କରିଛି......

କିନ୍ତୁ ପ୍ରବୃତ୍ତିର ଏଇ ଅବାଧ ପ୍ଲାବନରେ ଶାନ୍ତି ଆସିନି—ତୃପ୍ତି ଆସିନି । କାମାବେଗ କଳ୍ପନାରେ କ୍ଲାନ୍ତ ହୋଇ ପଡ଼ିଛି । କଳା ଓ କବିତାର ପକ୍ଷ ଥକି ଯାଇଛି । ଆବେଗ ଚାହିଛି ଆଶ୍ରୟ, ଆଶ୍ରୟଭରା ଗୋଟିଏ ସ୍ନେହଶୀତଳ ପ୍ରାଣନୀଡ଼ ।

ସଂସ୍କୃତି ସେଇଠାରେ କହିଛି—ଉଡ଼ନ୍ତା ପ୍ରଣୟରେ ତାହା ମିଳେ ନା, ମିଳେ ପରିଣୟରେ, କେବଳ ପରିଣୀତାର ପ୍ରାଣ-ଉଚ୍ଛଳ ଅଞ୍ଚଳତଳେ ।

ପୋଷା ଶୁଆଟି ପରି ସେଇଠି ପିଞ୍ଜରା ଖୋଜିଛି ପ୍ରବୃତ୍ତି । କାଳିଦାସ ସେଇଠାରେ ଗାଇଛନ୍ତି—

—‘‘ତାଂ ଜାନୀଥାଃ ପରିମିତକଥାଂ ଜୀବିତଂ ମେ ଦ୍ୱିତୀୟମ୍’’

ସେଇ, ସେଇ ମୋର ପ୍ରେୟସୀ—ମୋର ଶାନ୍ତିର ଆଧାର ତୃପ୍ତିର ଆଗାର । ତା ନିକଟରେ ନୀତିର ନିଷେଧ ନାହିଁ—ଧର୍ମର ବିରୋଧ ନାହିଁ—ସମାଜର ରକ୍ତଚକ୍ଷୁ ନାହିଁ । ସେ ମୋର ଜୀବନ । ମୋର ଜୀବନ ଠାରୁ ବଡ଼ ଆଉ ଗୋଟିଏ ଜୀବନ ।

‘‘ନ ତେ ସାଦୃଶ୍ୟମସ୍ତି ।’’

ପ୍ରିୟା ଗୋ ପ୍ରିୟା !

ତୁମର ସମାନ କେହି ନୁହେଁ—କେହି ନାହିଁ ।

ଯୌନ ମନର ଏଇ ଚିରନ୍ତନ ଚିତ୍ର ମେଘଦୂତର ଉପଜୀବ୍ୟ । ଏହା ଏକାଧାରରେ ଅତୀତ, ବର୍ତ୍ତମାନ ଓ ଅନାଗତ ଅନନ୍ତ ଯୁଗର ମନୋମୟ କାବ୍ୟ । ଯୌନ ମନୋଦର୍ଶନର ଏକ ଉଜ୍‍ଜ୍ୱଳ ଆଲୋଡ଼ନ ନେଇ କବିପ୍ରତିଭାର ଏହା ଏକ ଅନବଦ୍ୟ ସୃଷ୍ଟି—ଏକ ଉଜ୍‍ଜ୍ୱଳତମ ସ୍ୱାକ୍ଷର-

ଖୋର୍ଦ୍ଧା

ଲେଖକ

ତା ୧୫ । ୨ । ୬୮

 

Image

 

ନିଜକଥା

 

ମେଘଦୂତ ଯୁଗେ ଯୁଗେ ଅନୁବାଦ ହୋଇ ଚାଲିଛି ବହୁଭାଷାରେ—ଆମ ଓଡ଼ିଆରେ ମଧ୍ୟ । ତଥାପି ଏହାର କାବ୍ୟିକ ସୌନ୍ଦର୍ଯ୍ୟର ପୂର୍ଣ୍ଣ ରୂପାନ୍ତର ସମ୍ଭବ ହୋଇ ପାରିନାହିଁ ।

 

ଓଡ଼ିଆ ଭାଷାର ଅନୁବାଦ ମଧ୍ୟରେ ଯୁଗପ୍ରତିଭା ସ୍ୱର୍ଗତ ରାଧାନାଥ ଓ କଥାକାହାଣୀର କବି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ଅନୁବାଦ ବିଶେଷ ଜନପ୍ରିୟତା ହାସଲ କରିଛି । ତେବେ ବି ତାହା ଅନୁବାଦ ମାତ୍ର । କାଳିଦାସଙ୍କ ମୌଳିକ ସୃଷ୍ଟିପରି ଭାବର ବହୁବିଭାବର ଆଚ୍ଛନ୍ନତାରେ ଆଚ୍ଛନ୍ନ ।

 

ମୁଁ କିନ୍ତୁ ଅନୁବାଦ ନ କରି ଭାବାନୁବାଦ କରିଛି । ଅନୁବାଦ ଯେତିକି ନିରାପଦ, ଭାବାନୁବାଦ ସେତିକି ବିପଜ୍ଜନକ । ଏକପକ୍ଷରେ ଏଥିରେ କବି—କଥାର ସ୍ପଷ୍ଟତା ଯେତିକି ରହେ, ଅନ୍ୟ ପକ୍ଷରେ ଅନେକ ସ୍ଥାନରେ କବି ଶବ୍ଦଯୋଜନା ଓ ଅର୍ଥଗାମ୍ଭୀର୍ଯ୍ୟର ଛନ୍ନ ଛାୟାତଳେ ଯେଉଁ ବହୁମୁଖୀ ଇଙ୍ଗିତ ନିବେଶ କରିଥାନ୍ତି ତାହାର ଅନେକଟା ବିଭାବ ଅକୁହା ଆଉ ଅଛୁଆଁ ହୋଇ ରହିଯାଏ ।

 

ସେହି ତ୍ରୁଟି ଯେ ପ୍ରସ୍ତୁତ ପୁସ୍ତକର ଅନେକ ସ୍ଥାନରେ ନ ଘଟିଛି ଏହା ମୁଁ ଅସ୍ୱୀକାର କରି ପାରିବି ନାହିଁ । ତଥାପି ଏହା ଅପରିହାର୍ଯ୍ୟ ।

 

ଆଜି ଯେ ଏହା ପ୍ରକାଶିତ ହୋଇ ଆଲୋକ ଦେଖିବାକୁ ପାଇଛି, ସେଥିପାଇଁ ମୋର ଅନ୍ତରଙ୍ଗ ବନ୍ଧୁ କଟକ ଟ୍ରେନିଙ୍ଗ୍ ସ୍କୁଲର ହେଡ଼ ପଣ୍ଡିତ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ନିକଟରେ ମୁଁ ସାତିଶ୍ରୟ କୃତଜ୍ଞ । ତାଙ୍କର ଆନ୍ତରିକ ପ୍ରଚେଷ୍ଟା ପୁସ୍ତକର ପ୍ରାଣନ୍ୟାସ ପରି କାର୍ଯ୍ୟ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବିଦ୍ୟାପୁରୀର ତଦାନୀନ୍ତନ ପରିଚାଳକ ସ୍ୱର୍ଗତ ହରିଗୋପାଳ ଦାସ ପ୍ରଥମ ଦେଖା ଓ ପ୍ରଥମ ଅନୁରୋଧରେ ପୁସ୍ତକର ପ୍ରକାଶନ ପାଇଁ ପ୍ରତିଶ୍ରୁତି ଦେଇ ମୋତେ ଆପ୍ୟାୟିତ କରିଥିଲେ ମଧ୍ୟ କାଳର ଆହ୍ୱାନ ତାହା କରାଇ ଦେଇ ନାହିଁ । କାଳର ଦରବାରରେ କେଉଁ ବିସ୍ମୃତ ପ୍ରତିଶ୍ରୁତିର ପୂରଣ ପାଇଁ ପ୍ରିୟ, ପରିଚିତ ଓ ଆତ୍ମୀୟମାନଙ୍କର ହୃଦୟକୁ ଅଶ୍ରୁ—ଆପ୍ଲୁତ କରି ତାଙ୍କୁ ଚାଲିଯିବାକୁ ହୋଇଛି ।

 

ଯାହା ହେଉ ଶ୍ରଦ୍ଧେୟ ଦିବାକର ବାବୁ ଓ ପୀତାମ୍ୱର ବାବୁ ତାଙ୍କର ଅନେକ ଉତ୍ତରାଧିକାର ପରି ପ୍ରତିଶ୍ରୁତିର ଉତ୍ତରାଧିକାର ରକ୍ଷା କରି ପୁସ୍ତକଟି ପ୍ରକାଶ କରିଅଛନ୍ତି । ସେଥିପାଇଁ ସେମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଅଛି । ଇତି ।

 

ଖୋର୍ଦ୍ଧା

ଲେଖକ

ତା ୧୫ । ୨ । ୬୮

 

Image

 

ବିରହୀ ଯକ୍ଷ

 

ସେ ଥିଲା ଯକ୍ଷ । ଅଳକା ପୁରୀର ବାସିନ୍ଦା । ସୁଖ ସୌଭାଗ୍ୟର ଅଫୁରନ୍ତ ଆଶୀର୍ବାଦ ପରି ଧନ ଦୌଲତର ତାର ଖାପମାପ ନ ଥିଲା । ତଥାପି ଅଳକାର ରାଜ-ଅଫିସରେ ଚାକିରି କରିଥିଲା ସେ । ରାଜାର ଦେଶରେ ରାଜାର ଆଦେଶ ଅମାନ୍ୟ କରି ରହି ହୁଏ ନା । ସେଥିପାଇଁ ଦରକାର ଥାଉ ନ ଥାଉ ଚାକିରି ତାକୁ କରିବାକୁ ପଡ଼ିଥିଲା । ତା’ଛଡ଼ା ରାଜକର୍ମଚାରୀ ହେବାରେ ଯେଉଁ ସମ୍ମାନ ମିଳେ—ଖାତିର ମିଳେ—ତାର ଲୋଭ ଟିକକ ମଧ୍ୟ ସେ ଛାଡ଼ି ପାରି ନ ଥିଲା ।

 

କିନ୍ତୁ ସେ ଥିଲା ବହୁତ କଚ୍ଚା ଉମରର । ତେଣୁ ଚାକିରିଟା ତାର ବେଶୀଦିନର ନ ଥିଲା-। ଥିଲା ଅଳ୍ପଦିନର—ଖୁବ୍ ନୂତନ । ତା’ଠାରୁ ବି ଆହୁରି ନୂତନ ଥିଲା ତାର ପ୍ରଣୟ-ଆହୁରି ନୂତନ–ତାର ପ୍ରଣୟିନୀ...

 

ସେ ଅଫିସକୁ ଆସେ ବହୁତ କଷ୍ଟରେ—ପୂରା ଅନିଚ୍ଛାରେ କାମ କରିବାକୁ ବସେ, କିନ୍ତୁ କରି ପାରେ ନା । କଲମ ଧରିବାକୁ ତାର ମନ ବଳେନା । କଚେରୀ ଘରର କଡ଼ି ବରଗା ଦେହରେ ଦୃଷ୍ଟି ତାର ମିଂଜି ଗଲାପରି ଦିଶେ । ପ୍ରକୃତରେ କିନ୍ତୁ ସେଠାରେ ଥାଏନା । ଥାଏ ତାର ଅନ୍ତଃପୁରରେ—ତାର ଷୋଡ଼ଶୀ ବଧୂର ଢଳଢ଼ଳ ରୂପ ଲାବଣ୍ୟରେ...

 

ପ୍ରତି ମୁହୂର୍ତ୍ତରେ ସେ ପ୍ରେୟସୀର ରଙ୍ଗିନ୍ ଓଠର ହସଟିକୁ ନେଇ ସାନ୍ଧ୍ୟଲୋହିତିମାର ଜ୍ୟୋତ୍ସ୍ନା ସାଥିରେ ତୁଳନା କରେ । ଚରଣଲୋଟା ଗହଳ କବରୀର ରାଶି ରାଶି ରତ୍ନ-ଅଳଙ୍କାର ମନେ ପକାଇ ନୀଳ ରାତିର ତାରାଭରା ଶୋଭା ଆଙ୍କେ । ବେଳେବେଳେ ବି ଭସାଣ ଆଖିର ଢଳଢ଼ଳ କଳାତାରାର କଥା ଭାବେ । ଆଉ କଳାମେଘର ବିଜୁଳି ଚମକ ସାଥିରେ ତାକୁ ମିଶାଇବାକୁ ଯାଇ ଅଡ଼ୁଆରେ ପଡ଼ିଯାଏ । ରଙ୍ଗର ଧଳାକଳାର ତଫାତ୍ ସେ ଭାବନାରେ ତାକୁ ବାଧା ଦିଏ । ଏଇପରି ସବୁବେଳେ ସେ ମାନସୀର ମାନସ ଉପାସନାରେ ବିଭୋର ଥାଏ ।

 

ରାଜାଙ୍କ ଅଫିସ ସେ । ଉପରର ହାକିମମାନେ କେତେ ସମ୍ମାଳିବେ ! ବେଶି ଆଉ ସମ୍ମାଳି ପାରିଲେ ନାହିଁ । ବାଧ୍ୟ ହୋଇ ରାଜାଙ୍କ ଆଗରେ ଅଭିଯୋଗ ଆଗତ କଲେ । କିନ୍ତୁ ଦୟାଳୁ ରାଜା କୁବେର ଦୟା କରି ତାକୁ କାର୍ଯ୍ୟରୁ ବରଖାସ୍ତ କଲେ ନାହିଁ । ତା କରିଥିଲେ ହୁଏତ ତା ପକ୍ଷରେ ମଙ୍ଗଳ ହୋଇଥାନ୍ତା । ବରଖାସ୍ତ କଲେ ନାହିଁ, କିନ୍ତୁ ଅଳକାର ରାଜା ସେ, କେତେ ଚତୁର ହୋଇ ପାରନ୍ତି—ତାରି କେବଳ ପରିଚୟ ଦେଲେ । ଦୋଷୀକୁ ସେ ଦଣ୍ଡ ଦେଲେ ସତ, କିନ୍ତୁ ତା ଅବଶ୍ୟ ତାର ଅହିତ ପାଇଁ ନୁହେଁ । ଦୋଷୀର ଯାହା ହିତ ଯାହା ଶିକ୍ଷା—ଯାହା ଅନୁତାପ—ତାଙ୍କର ଦଣ୍ଡ ତାହାହିଁ ହେଲା ।

 

ରୂପ-ମାତାଲ ହୋଇ ରାଜକାର୍ଯ୍ୟରେ ତ୍ରୁଟି କରିଥିଲା ସେ । ସେଥିପାଇଁ ରାଜଦଣ୍ଡ ତାକୁ ରୂପବିରହୀ କରିବାରେ କାଏମ ହେଲା । ବର୍ଷକ ପାଇଁ ତାକୁ ‘‘ସସପେଣ୍ଡ’’ କରାଗଲା । ଆଉ ସେଇ ବର୍ଷକ ଭାରତର ରାମଗିରିରେ ନିର୍ବାସିତ ହୋଇ ରହିବାର ହୁକୁମ ହେଲା । ଖାଲି ନିର୍ବାସନ ହିଁ ଯଥେଷ୍ଟ ହେଲା ନାହିଁ । ତା ଛଡ଼ା ଯକ୍ଷମାନେ ଯେଉଁ ଅଲୌକିକ ଶକ୍ତି ବଳରେ ଯେତେବେଳେ ଯାହା କରି ପାରନ୍ତି—ଆବଶ୍ୟକତା ଅନୁଯାୟୀ ଯେ କୌଣସି ରୂପ ସାଜି ନିଅନ୍ତି—ଯେ କୌଣସି ସ୍ଥାନକୁ ଯାଇ ପାରନ୍ତି—ସେଇ ସବୁ ଶକ୍ତି ବର୍ଷକ ପାଇଁ ତା’ଠାରୁ ବାଜେୟାପ୍ତ କରାଗଲା ।

 

ସହସା ତରୁଣ ଯକ୍ଷର ବୁକୁ ଉପରେ ଅକାଳ ବଜ୍ର ଭାଙ୍ଗି ପଡ଼ିଲା । ବର୍ଷେ କଣ, ଏକ ହଜାର ବର୍ଷର ନିର୍ବାସନରେ ସେ ବ୍ୟଥିତ ନ ଥିଲା । ତାର ସମସ୍ତ ଅତି ମଣିଷର ଶକ୍ତି କାଢ଼ି ନେବାରେ ବିନ୍ଦୁ ବିସର୍ଗ ଦୁଃଖ ନ ଥିଲା—କିଛି ପାଇଁ ଚିନ୍ତା ନଥିଲା । କିନ୍ତୁ ବର୍ଷକ ପାଇଁ ପ୍ରିୟାର ଜଳନ୍ତା ବିରହର କତା ଭାବି ହୃଦୟ ତାର ନିଃସ୍ପନ୍ଦ ହୋଇଗଲା—ଏକ ବର୍ଷ ! ଦୀର୍ଘତମ ଏକ ବର୍ଷ-!! ପ୍ରେୟସୀର ମଧୁର କଥା ପଦେ ସେ ଶୁଣି ପାରିବନି, ସୁନ୍ଦର ହସ ଟିକିଏ ଦେଖି ପାରିବନି । ଓଃ-!!! ସାରାଟା ପ୍ରାଣ ତାର ବିଷାଦର କଳା ଛାଇରେ ଡୁବି ଗଲା । କଣ୍ଠର ସ୍ୱର ହଜିଗଲା କଣ୍ଠ ଭିତରେ । କଥା ପଦେ ସେ କହି ପାରିଲା ନାହିଁ । ନୀରବରେ ଖାଲି ଅଶ୍ରୁ ଢାଳିଲା । ତାର ସାରା ଶରୀରରୁ ଚିପୁଡ଼ି ହୋଇ ଲମ୍ୱା ଗୋଟାଏ ଦୀର୍ଘଶ୍ୱାସ ଅଳକାର ଥଣ୍ଡା ଆକାଶରେ ମିଳାଇ ଗଲା । ଶ୍ୱାସ ନୁହେଁ ସେ । ସ୍ନେହର ଅଣୁ ପ୍ରେମର ପରମାଣୁ । ସେ ତାହା ଛାଡ଼ିଗଲା ତାର ପ୍ରେୟସୀର ଉଦ୍ଦେଶ୍ୟରେ ।

 

ଚାଲିଲା ସୁଦୂର ରାମଗିରି......ହିମାଳୟର ପର ପାର—କେତେଦୂର କେତେ ଦୂର ସେ......

Image

 

ପୂର୍ବ ମେଘ

 

ରାମଗିରି........

 

ନୀଳ ଆକାଶରେ ମିଶିଛି ନୀଳ ଶିଖର । ଚାରିଆଡ଼େ ତାର ଗହଳ ପୋଲାଙ୍ଗ ବନ—ଗହନ ଗୁଳ୍ମ ବୀଥିକା । ସାରା ପାହାଡ଼ରେ ଶାନ୍ତ ଶୀତଳ ଛାୟା ଅଳସ ନିଦରେ ଶୋଇ ଯାଇଛି । ଏଣେ ତେଣେ ଖେଳି ବୁଲୁଛି ବନ ଫୁଲର ସୁଗନ୍ଧ । ଗଛରେ ଗଛରେ ଫଳ ଲୋଟୁଛି—ଡାଳରେ ଡାଳରେ ଫୁଲ ହସୁଛି । ଚାରିଆଡ଼େ ଧାଇଁ ବୁଲୁଛନ୍ତି ଜଙ୍ଗଲର ନିଦକ ନିଶ୍ଚିନ୍ତ ଜାନୁଆର୍ । ରଙ୍ଗ ରଙ୍ଗର ପକ୍ଷୀର ମାତାଲ ଗୀତରେ ସାରାଟା ପାହାଡ଼ ମାୟାମଧୁର ହୋଇଉଠିଛି ।

 

କେତେ ଯୁଗର କଥା ସେ । ରାମ ତାଙ୍କର ବନବାସ ବେଳେ ପ୍ରେୟସୀ ସୀତାଙ୍କର ସାଥିରେ ଏଇ ପର୍ବତରେ ବାସ କରିଥିଲେ । ପର୍ବତର ଚାରିଆଡ଼େ ଏବେ ବି ହସୁଛି ସେ ଦିନର ଶତ ଶତ ସ୍ମୃତିଚିତ୍ର । ଜଳ ସ୍ଥଳ ସବୁ ଆଡ଼େ ସେଇ ପୁଣ୍ୟ ସ୍ମୃତିର ପ୍ଲାବନ—ସବୁଆଡ଼ ସେଇ ପ୍ରେମସ୍ମୃତିରେ ସ୍ମୃତିମୟ......

 

ତରୁଣ ଯକ୍ଷ ତାର ଭରା ବିରହର ଭାରୀ ହୃଦୟଟି ନେଇ ଏଇ ରାମଗିରିରେ ଆସି ବାସ କରିଛି । ମିଳନର ଜୀବନ ତାର ଆଜି ବିରହର ଚିତାନିଆଁରେ ଜଳି ଉଠୁଛି ଧକ୍—ଧକ୍—ଧକ୍…..

 

ହତଭାଗ୍ୟ ସେ । ଯେଉଁଆଡ଼େ ଯାଏ—ଯେଉଁଆଡ଼େ ଚାହେଁ—ସେଇ ରାମ ସୀତାଙ୍କର ମିଳନ ଛବି—ସେଇ ମିଳନର ଚିହ୍ନ ଦେଖେ । ରାମ ସୀତାଙ୍କର ଉଦ୍ୟାନ—ତାଙ୍କରି ପର୍ଣ୍ଣଶାଳା—ତାଙ୍କରି ଲତାମଣ୍ଡପ—ତା ଚାରି ଦିଗରେ ରହି ତାକୁ ଯେମିତି ତୀବ୍ର ଉପହାସ କରିଯାନ୍ତି । କୌଣସି ଆଡ଼େ ସେ ଚାହିଁ ପାରେନା । ତାର ବୁକୁ ଭିତରେ ଦାଉ ଦାଉ ହୋଇ ଅଜଣା ନିଆଁ ଜଳି ଉଠେ । ବନ ଗହନ ଭିତରେ ସେ ରହି ପାରେ ନା । ଝରଣା କୂଳକୁ ଧାଇଁ ଯାଏ । କିନ୍ତୁ ସେଠାରେ ବି ଦେଖିବାକୁ ପାଏ ସେଇ ରାମସୀତାଙ୍କର ସ୍ନାନଘାଟ—ଜଳକ୍ରୀଡ଼ାର ସେଇ ଦହନ ସ୍ମୃତି......

 

କଣ ତାର ମନେ ପଡ଼େ ! ବୁକୁ ଭିତର ଦିକ୍ ଦିକ୍ ହୋଇ ଜଳି ଉଠେ । ପ୍ରାଣ ବିକଳରେ ପୋଲାଙ୍ଗ ଛାଇର କଅଁଳ ନୀଳ ଦୂବ ଉପରେ ନିଜକୁ ତାର ସେ ଲୋଟାଇ ଦିଏ । କିନ୍ତୁ ହାୟ ! ସେଠାରେ ବି ଟିକେ ଶାନ୍ତି ମିଳେନା ।

 

କେତେକାଳର ପୁରୁଣା ଗଛଗୁଡ଼ିକ । ଯୁଗ ଯୁଗାନ୍ତର ସାକ୍ଷୀ ପରି ତା ମନ ଭିତରେ ଜଗାଇ ଯାଆନ୍ତି—ରାମ ସୀତାଙ୍କର କେତେ ଆମୋଦପ୍ରମୋଦର—କେତେ ଏକାନ୍ତ ଆଳାପର ଜଳନ୍ତା ସ୍ମୃତି । ବୁକୁ ତାର ଭାଙ୍ଗି ପଡ଼େ—ପ୍ରାଣଟା ସାରା ପୋଡ଼ି ଉଠେ ।

 

କୌଣସିଠାରେ କ୍ଷଣକ ପାଇଁ ସେ ରହି ପାରେନା । ପାଗଳ ହୋଇଯାଏ । ଯେତେବେଳେ ଉତ୍ତର ଦିଗରୁ ପବନ ବହେ, ଅଳକାର ପବନ—ପ୍ରିୟାର ଅଙ୍ଗଛୁଆଁ ପବନ ବୋଲି ତାକୁ ଆଲିଙ୍ଗନ କରିବାକୁ ଦୌଡ଼ିଯାଏ........

 

କେତେବେଳେ ପଥର ଚିରି ପ୍ରାଣପ୍ରିୟାର ଛବି ଆଙ୍କେ । ପାଦତଳେ ତାର ପ୍ରଣତି ବାଢ଼େ । ରାତିରେ ସ୍ୱପ୍ନର ବିଭୋରତାରେ ପାଖର ପଥରକୁ ଜାକି ଧରେ । ବନ ବନାନୀର ଫୁଲ ତୋଳି ପ୍ରିୟାର ପାଷାଣ ଚିତ୍ରର ଅଙ୍ଗ ସଜାଏ । କେତେ ଚୁମ୍ୱନ ଦିଏ । କଥା ପଦେ କହିବାକୁ—ମନଖୋଲା ହସଟିକେ ହସିବାକୁ କାକୁତି କରେ—ମିନତି କରେ । କେବେ କେବେ ଗେରୁ ପାଣି ନେଇ ଶୁଖିଲା ପତରରେ କବିତା ଲେଖେ । କେବେ କେବେ ତଳଟାକୁ ମୁହଁ ପୋତି ପଥର ପରି ବସି ରହେ । କେଉଁଦିନ ମନ ହେଲେ ଫଳଟାଏ ଖାଏ—କେଉଁ ଦିନ ଇଚ୍ଛା ହେଲେ ପାଣି ଟୋପାଏ ପିଏ । ଦେହ ପ୍ରତି ତାର ନଜର ଥାଏନା—ଆଦର ଥାଏନା—

 

ଦିନ କେତେଟାରେ ପୂରନ୍ତା ଦେହ ତାର ଭାଙ୍ଗି ପଡ଼ିଲା । ଶୀର୍ଣ୍ଣ ବାହୁରୁ ସୁନାର କଙ୍କଣ ଖସି ପଡ଼ିଲା । କ୍ରମେ କ୍ରମେ ବି ମୁଣ୍ଡଟା ସତରେ ଖରାପ ହୋଇଗଲା । ଦିନ କାହାକୁ ଚାହିଁ ବସିନି-। ଅବିଶ୍ରାନ୍ତ ଗତିରେ ଛୁଟି ଚାଲିଛି । ତାର ବ୍ୟଥାସଜଳ ସମୟ—ବର୍ଷକରୁ ଆଠ ମାସ କଟିଗଲା ଜଳନ୍ତା ଜ୍ୟେଷ୍ଠର ଶେଷ ଦିନଟି ସାଥିରେ......

 

ଆଷାଢ଼ ଆସିଲା ତାର ପହିଲି ମେଘ ନେଇ । ଛୋଟ କଳା ମେଘ ଖଣ୍ଡେ ଆସି ପାହାଡ଼ ଉପରେ ଚରା କଲା । ବିରହୀ ତରୁଣ ଦେଖିଲା—ପାହାଡ଼ୀ ହାତୀ ପାହାଡ଼ରେ ଦାନ୍ତ ଲାଂଜ ପିଟି ମନ କୌତୁକରେ ଖେଳ ଖେଳିଲା ପରି କଳା ମେଘଟି ଖିଲ୍ ଖିଲ୍ ପବନରେ ଖେଳି ବୁଲୁଛି । କେତେବେଳେ ଆଗକୁ ତ କେତେବେଳେ ପଛକୁ—କେବେ ଉପରେ ତ କେବେ ପୁଣି ତଳେ—କେବେ ପୁଣି ବାଙ୍କ ଦେଇ ପାହାଡ଼ମୟ ଲୋଟି ପଡ଼ୁଛି । ତାର ତରୁଣ ମନ ଉପରେ ମେଘର ଦୃଶ୍ୟ ଗୋଟିଏ ଅଲିଭା ଲେଖା ଆଙ୍କି ଦେଲା । ମୁଗ୍‍ଧ ହୃଦୟର ପ୍ରତ୍ୟେକଟି ରକ୍ତକଣା ସେଇ ଉନ୍ମାଦବୋଳା ମେଘ ଆଡ଼େ ଚାହୁଁ ଚାହୁଁ ତରଳି ଗଲା । କାହାର ବ୍ୟଥା ଆସି ତାର ସାରାଟା ପ୍ରାଣକୁ ଆଚ୍ଛନ୍ନ କରି ରଖିଲା । ବୁକୁ ଥରାଇ ତାର ଖାଲି କୋହ ଉଠିଲା—ଅଜସ୍ର କୋହ......

 

ପର ମୁହୂର୍ତ୍ତରେ ସେଇ ବୁକୁଫଟା କୋହ ଚାପି ରଖିବାକୁ ସେ ଚେଷ୍ଟା କଲା । କିନ୍ତୁ ପାରିଲା ନାହିଁ । ଶେଷରେ ବିକଳ ଆଖି ଦିଓଟି ସେଇ ମେଘ ଦେହରେ ମିଶିଗଲା ତାର । ଆଉ ଭାବନାର ଅତଳ ତଳରେ ଡୁବିଗଲା ସେ । ହାୟ ! ସେ ଯେ ଏକାକୀ—ସେ ଯେ ସାଥୀହରା !!!

 

ଆଷାଢ଼ର ମେଘ । ସେ ଭାରୀ ଉନ୍ମାଦନାମୟ । ଆକାଶ ଉପରୁ ଉନ୍ମାଦନାର ମାଦକ ଧାରା ଝରାଇଯାଏ ସେ । ପ୍ରଣୟୀର ହୃଦୟକୁ ପ୍ରଣୟିନୀର ପରଶ ପାଇଁ ପାଗଳ କରେ । ତାର ଅସହ୍ୟ ଦାଉରୁ ରକ୍ଷା ପାଇବା ପାଇଁ ଦୂରଦେଶୀ ତାର ପ୍ରଣୟ-ନୀଡ଼କୁ ଫେରି ଆସେ । ପ୍ରେୟସୀର ବୁକୁବାସ ତଳେ ନିଜକୁ ଲୁଚାଇ ନେଇ ଆତ୍ମରକ୍ଷା କରେ । କିନ୍ତୁ ନିଃସଙ୍ଗ ଯକ୍ଷ । ଛାଡ଼ ତା କଥା । ତା ଦୁର୍ଦ୍ଦଶାର ବା ଶେଷ କେଉଁଠି ? ଆଷାଢ଼ର ଅଧେ ପ୍ରାୟ ତାର କଟିଗଲା ସେମିତି ହନ୍ତସନ୍ତରେ......

 

ଶ୍ରାବଣ ମାସ ପାଖେଇ ଆସିଲା । ତରୁଣ ଯକ୍ଷ ନିଜର ପୋଡ଼ାଜଳା ଅନୁଭୂତିରୁ ଜାଣିପାରିଲା—ନୂଆ ବର୍ଷାର ଏଇ ଅସହ୍ୟ ବେଦନା ପ୍ରିୟା ତାର କେବେ ସହି ପାରିବନି । ସେ ଯେ ବଂଚି ରହିଛି—ତା ତ ବିଚାରୀ ଜାଣେ ନା । ଜାଣିଥିଲେ ବା ମିଳନର ଆଶାରେ କୌଣସିମତେ କ୍ଳେଶକ୍ଲାନ୍ତ ପ୍ରାଣ ତାର ଧରି ରଖନ୍ତା ! ଫୁଲକଅଁଳ ଜୀବନ ତାର । ନୈରାଶ୍ୟର ମରୁ ଝଂଜାରେ ଝରି ପଡ଼ିବ ସିନା !! ହାୟ ! ଖବରଟା ଖାଲି କିପରି ସେ ପଠାଇ ଦିଅନ୍ତା ! ସଜ ଶେଫାଳିଟି ତାର ରହିଯାଆନ୍ତା......ରହିଯାଆନ୍ତା କୌଣସିମତେ.....

 

କଣ କରିବ—କିପରି ଖବର ଦେବ—ଏଇ ଏକାଗ୍ର ଭାବନା ପ୍ରାଣକୁ ତାର ଆଚ୍ଛନ୍ନ କଲା । ସେ ହଠାତ୍ ଦେଖିଲା—ଆସନ୍ନ ଶ୍ରାବଣର ରୁଦ୍ଧ ଆକାଶ ଦେଇ କଳାମେଘ ଖଣ୍ଡେ ଉତ୍ତର ଦିଗରେ ଭାସିଚାଲିଛି । ପ୍ରେମପାଗଳ ହୃଦୟ ତାର ସେଇ ମେଘ ହାତରେ ଖବର ଦେବାକୁ ଆତ୍ମହରା ହୋଇଉଠିଲା । ଭାବିଲା ନାହିଁ—ଏ ତ ଜଡ଼, ନିର୍ଜୀବ, ଅଚେତନ । ନିଆଁ, ପାଣି, ଧୂଆଁ ଓ ବତାସର ସଂମିଶ୍ରଣରେ ତ ଏହାର ସୃଷ୍ଟି । ଜୀବନ୍ତ ପ୍ରାଣୀର ପରି ଖବର ଏ ନେବ କିପରି ? ଖବର ରଖିବାର ମନ ବା ୟା’ର କାହିଁ ??

 

କିପରି ଭାବି ପାରନ୍ତା ସେ ଏତେ କଥା ? ତାର ବିରହଜଳା ଉନ୍ମତ୍ତ ହୃଦୟରେ ଏତେଟା ଜ୍ଞାନ ବା ଆସନ୍ତା କୁଆଡ଼ୁ ? ବିରହର ଜ୍ୱାଳା ! ଜୀବନକୁ ସେ ତ ଜୀବନ କରି ରଖେନା । ତାର ସବୁ ବୁଦ୍ଧି ସବୁ ବିଚାର—ସବୁ ବିବେକ ନିଗାଡ଼ି ନିଗାଡ଼ି ଶୋଷ ନିଏ ।

 

ମେଘ ହାତରେ ଖବର ଦେବ—ତରୁଣ ଯକ୍ଷ ଚଞ୍ଚଳ ହୋଇପଡ଼ିଲା ସେଥିପାଇଁ । ମ୍ଲାନ ଓଠରେ ତାର ହସର ଆଲୁଅ ଲିପି ହୋଇଗଲା । କେତେ ଦିନର ଫିକା ମୁହଁଟି ଆଶାର ଉଜ୍ଜ୍ୱଳ ପ୍ଲାବନରେ ଉତ୍‍ଫୁଲ୍ଲ ଦେଖାଗଲା—ଭାରି ଉତ୍‍ଫୁଲ୍ଲ ।

 

ବନ ଗହନ ବୁଲି ବୁଲି ସୁଗନ୍ଧ କୋରୁଆଁ ଫୁଲଗୁଡ଼ିଏ ତୋଳି ଆଣିଲା ସେ । ଅଂଜଳିଭରା ଅର୍ଘ୍ୟ ରଚନା କରି ନୂଆ ମେଘର ଅଭ୍ୟର୍ଥନା କଲା ।

 

ତା’ ପରେ—

 

ତା’ ପରେ ତାର ମୁଗ୍‍ଧ କଣ୍ଠରୁ ଝରି ପଡ଼ିଲା—

 

‘‘ସ୍ୱାଗତ ହେ ନୀଳ ମେଘ !

ନିଅ ଅର୍ଘ୍ୟ ମୋର ।

‘ଜାଣେ ମୁହିଁ—ଭୁବନେ ଭୁବନେ ଖ୍ୟାତ

ମହା ମେଘ ଆବର୍ତ୍ତ ପୁଷ୍କର......

ଜନ୍ମ ତୁମ ସେଇ ଉଚ୍ଚକୂଳେ ।

ପ୍ରକୃତି କରିଛି ପୁଣି—

ଅମରାର ଅମର ରାଜାର—

ସାଥୀ ଓ ସହାୟ ଚିର ବଂଧୁ ବି ସୁନ୍ଦର ।

କାମରୂପ—କାମନା ବିଳାସୀ

ତେଣୁ ତୁମ କ୍ଷମତା ଅସୀମ ।

ମନେ କଲେ ହୋଇପାର ଛୋଟ

ବଡ଼ ପୁଣି ଅନନ୍ତ ଅତ୍ୟନ୍ତ !!!

କେବେହେଲେ ତୂଳା ପରି ନିହାତ୍ ପାତଳ

କେବେ ପୁଣି ସାନ୍ଦ୍ରସାନୁ ବରଫ ସଦୃଶ ।

ଗୋଲାପ ବରନେ କେବେ ଲିପି ତନୁକାନ୍ତି—

ପ୍ରଭାତ ଗୋଲାପେ ତୁମେ କର ଉପହାସ—

କେବେ ପୁଣି ଗାଢ଼ ନୀଳ ବରନ ସୁନ୍ଦର !!!

ଉଚ୍ଚ କୁଳେ ଜାତ ପୁଣି ନିଜେ ମହୀୟାନ

ସେପାଇଁ ନୀରଦ ଆଜି ତୁମରି ସମକ୍ଷେ—

ପାତୁଅଛି—ମୋର ଭିକ୍ଷାଥାଳା......

‘‘କପାଳର ଦୋଷେ ଆଜି

ଏ ଦଶା ମୋହର,

ଆଜି ମୁହିଁ—

ଦୀନ, ହୀନ, ପରିତ୍ୟକ୍ତ, ହେଳିତ, ଲାଞ୍ଛିତ ।

ପୂର୍ଣ୍ଣିମାର ପୂର୍ଣ୍ଣ ଜ୍ୟୋତ୍ସ୍ନାସମ ରୂପମୟୀ

ମୋ ଜୀବନ-ସାଥୀ,

ମ୍ଲାନ ଦୂରେ—

ବିରହର ରାହୁଛାୟା ସ୍ପର୍ଶେ ।

ବଡ଼ ଲୋକଠାରୁ ଭିକ୍ଷା ନ ମିଳିଲେ ନାହିଁ

ସେଥିପାଇଁ ପ୍ରାଣେ ନାହିଁ ଜାଗେ କ୍ଷୋଭଲେଶ ।

ଛୋଟ ଲୋକଠାରୁ ଭିକ୍ଷା ମିଳିଲେ ଓ ଭାଇ !

ମାଗିବାକୁ ମନେ ଲାଗେ ‘କିନ୍ତୁ’

ବଡ଼ ତୁମେ

ତେଣୁ ଆଜି ତୁମରି ସମୀପେ

ବାଢ଼ୁଛି ମୋ ବ୍ୟଥାମୟ ଭିକ୍ଷା ।

‘‘ତପ୍ତର ତପ୍ତ ବେଦନା ଲିଭାଇବା ପାଇଁ

ବ୍ରତ ତୁମେ ବାନ୍ଧିଛ ପୟୋଦ !

ପ୍ରେୟସୀ-ପ୍ରେମର ଘୋର ଅଗ୍ନିମୟ କ୍ଷୁଧା

ଆଜି ମୋ ପରାଣ ସାରା କରିଅଛି ତପ୍ତ ।

ପ୍ରିୟା ତେଣେ ବିରହ ଜାଳାରେ—

ଜଳି ଦୁଃଖେ,

ଯାପୁଅଛି ଯାମିନୀ ଜାଗରେ ।

କୁବେର-ରାଜାର କୋପେ

ହୋଇ ଗୃହହରା

ପଡ଼ିଛି ମୁଁ ଗହଳ ଗହନେ,

ଅନୁଗ୍ରହ କରି ଭାଇ ! ମୋହର ସମ୍ୱାଦ

ଦେବ ମୋର ପ୍ରେୟସୀରେ ନେଇ,

ଜାଣିଲେ ସେ !

ଆଶ୍ୱସ୍ତ ହୋଇବ ଟିକେ ।

ସେଥିପାଇଁ ଜୀମୂତ ! ତୁମରେ

ଯିବାକୁ ପଡ଼ିବ ଦୂର ଅଳକା ନଗରେ

ସେ ନଗର

ଆହା କେଡ଼େ ସପନ ସୁନ୍ଦର !!

କେତେ କେତେ ବଡ଼ ବଡ଼ ଧନୀ ପରିବାର

ନିବସନ୍ତି ରଚି ତହିଁ ରମ୍ୟ ହର୍ମ୍ୟମାଳା

ବିଳାସର ରଙ୍ଗଭୂମି ସେ ହେ

ଦେଖି ଜାଗେ ପ୍ରାଣେ ପ୍ରାଣେ ପୁଲକ ଅସୀମ ।

ଖାଲି ମେଘ !

ବିଳାସର କ୍ରୀଡ଼ାପଦ୍ମ ଫୁଟେନି ତହିଁରେ

ଭକ୍ତିର ସେ ଅମର ଆଳୟ ।

ନିଦର୍ଶନ ରୂପେ ତାର—ଦେଖିବ ସେ ସ୍ଥାନେ

ଗ୍ରାମର ଉପାନ୍ତେ

ଚିତ୍ତହର ଉପବନେ

ଦେବ—ଦେବଙ୍କର ପୂତ ମନ୍ଦିର ବିରାଜେ ।

ମହେଶ ଚିକୁର ଚୁଂବି ଚନ୍ଦ୍ରର ଚନ୍ଦ୍ରିକା

ନିତି ଧୋଇ ଅଳକାର ବପୁ ।

ବୋଳିଛି ପ୍ରାସାଦମାଳେ ନିସର୍ଗ ଶୁଭ୍ରତା ।

‘‘ବାୟୁପଥେ ତୁମ ଅଭିଯାନ ଜଳଧର !

କେତେ ବ୍ୟଥା

ଦୂର କେତେ କା’ର

ରଖ କି ହେ ସନ୍ଧାନ ତାହାର ?

ପ୍ରିୟ ଯାର ଦୂର ଦେଶେ—

ବିରହିଣୀ ବରାଙ୍ଗନାଗଣ

ତୁମରି ଦର୍ଶନେ—

ଅଚିରେ ଫେରିବ ଭାବି ପରଦେଶୀ ପ୍ରିୟ

କି ଆନନ୍ଦେ ହୋଇ ଆତ୍ମହରା

ଚାହିଁବେ ତୁମରି ଆଡ଼େ ସ୍ନିଗ୍‍ଧ ନେତ୍ର କୋଣେ ।

ପ୍ରିୟ-ବିରହିଣୀ ସେ ତ ତପସ୍ୱିନୀ ପରି

ବିଳାସ ବାସନା ଦୂରେ ଦେଇଥିବ ଏଡ଼ି

ପାନରଂଗ ପାତଳ ଲାଲିମା

ଓଠତଟେ ନଥିବ ଚହଟି,

ନାହିଁ ଥିବ ଅଂଗେ ଅଂଗେ ଅଂଗ ଅଳଙ୍କାର ।

ମୁକୁଳା କବରୀ ପୁଣି ନିଖୁରା ଚିକୁର...

ମୁଖ ତୋଳି ଚାହିଁଲେ ତୁମରେ—

ଉଡ଼ିବ ପବନେ ଚୂର୍ଣ୍ଣାଳକ ଅମାନିଆ ।

ସୁନ୍ଦର ସେ ଭସା-ଭସା ଆଖି

ଆକୁଳ ଆଚ୍ଛନ୍ନ କିଛି ପାରିବେନି ଦେଖି ।

କିନ୍ତୁ ବ୍ୟଥାମୟୀ ବାଳା......

ସାଉଁଳି ଚାପି ତା ଶିରେ କରପଲ୍ଲବରେ

ଚାହିଁବେ ତୁମକୁ, ପୁଣି ତୃପ୍ତିହଜା ନେତ୍ରେ ।

ଦିବସର ମ୍ଲାନ ଚାନ୍ଦେ ସନ୍ଧ୍ୟା-ସୁନ୍ଦରୀ

ଜୋଛନାର ରଙ୍ଗ ତାର ଦିଏ ଯେବେ ବୋଳି

ଦିଶେ ଯଥା ସରସ ମଧୁର—

ନିରେଖିବ ଲଳନାଙ୍କ ଲପନ ତେସନ ।।

‘‘ତୁମରି ଉଦୟେ ମେଘ !

ପ୍ରେୟସୀର ପ୍ରୀତିଭରା ମୁଖେ—

କିଏ ଏଡ଼େ ବେରସିକ

ବୋଳି ଦେଇ ବିରହର କାଳି

ରହିପାରେ ସୁଦୂର ବିଦେଶେ ??

ନୁହେଁ ଜଣେ ଦୁନିଆରେ କେହି—

ଛାଡ଼ି ଏକା ମୋହପରି ଗୋଲାମମାନଙ୍କୁ ।

ନଥିଲା କି ଖାଇବାକୁ ମୋର !

ତେବେ ?

ପଦର ଖାତିରେ ଖାଲି ପଦର ଖାତିରେ—

ଜୀବନର ସ୍ୱାଧୀନତା କରି ବିସର୍ଜନ ।

କରିଥିଲି ରାଜାର ଗୋଲାମି ।

‘‘ପଦର ଖାତିରେ’’ ମେଘ !

ହସଲାଗେ ବଡ଼ ଏହା ଭାବି

ଗୋଲାମର ଅଛି ପୁଣି ପଦର ଖାତିରି !

ଜାଣୁଅଛି ଆଜି ମେଘ ପରର ଚାକିରୀ

ନୁହେଁ କିଛି ତୁଚ୍ଛା ଝକ୍‍ମାରି ।

‘‘ଛାଡ଼ ତାହା,

କି ହୋଇବ ଭାବି !

ଏଇ ଦେଖ—ତୁମ ଯାତ୍ରାପାଇଁ

ଶୁଭର ସଙ୍କେତ ନେଇ ଆସିଛି ସୁବେଳା ।

ଦକ୍ଷିଣରୁ ମେଘୁଆ ପବନ

ବହେ ଥିରି ଥିରି

ଉତ୍ତର ଯାତ୍ରାର ତୁମ ଅତି ଅନୁକୂଳ ।

ପୁଣି ଏଇ ବାମ ଭାଗେ ତୁମ

ଆନନ୍ଦରେ ଫୁଲି ଫୁଲି ଡାକୁଛି ଚାତକ—

କଣ୍ଠେ ଯାତ୍ରା-ମଙ୍ଗଳର ଅସରା ଶତକ ।

ଆକାଶରେ ତୁମେ ଭାସିଗଲେ ହେ ସୁନ୍ଦର !

ଚିହ୍ନି ମିଳନର ବେଳା

ମାଳ ମାଳ ହୋଇ

ଛୁଟିବେ ତୁମରି ପାଶେ ମତ୍ତ ବକାଳିକା

ତୁମରି ଅନ୍ଧାର ଘୋରେ ସଲାଜ ବଳାକା ।

ଲୁଚି ଲୁଚି ପ୍ରଣୟର ଭିକ୍ଷା

ପ୍ରିୟପାଶେ ବାଢ଼ିଯିବ ତାର ।

‘‘ତେବେ ଆଉ ବିଳମ୍ୱ କାହିଁକି ?

ଭାବୁଛ କି ମନେ—

ପ୍ରିୟା ମୋର ନଥିବ ଜୀବନେ

ବିରହର ଧୂ—‘ଧୂ—’ ଚିତା

ଜାଳିବଣି ତାର ଶେଷ ସତ୍ତା !!

ନାହିଁ ଅବା—

ପ୍ରାଣର ପିୟାସା ମୋହେ

ମନୁଁ ପୋଛି ମୋରେ

ଆଉ କେଉଁ ସୁନ୍ଦରର ପଦେ—

ଯଉବନ—ମଦଭରା ରୂପ—ଫୁଟା ଫୁଲ

ଅର୍ଘ୍ୟରୂପେ ଦେବଣି ଅରପି ??

ବୃଥା ତେଣୁ ଯିବା ଏତେ ପଥ

ପଣ୍ଡ ହେବ ପରିଶ୍ରମ

ବିଫଳ ବି-ଅର୍ଥ !!!

କିନ୍ତୁ, କହେ ମୁଁ ନୀରଦ !

ଏ ଭାବନା ଅଳୀକ ଅଳୀକ ।

ଚିହ୍ନିଛି ମୁଁ ମୋ ପ୍ରିୟାରେ

ପ୍ରାଣଭରି ମୋର

ନୁହଁଇ ସେ ଭ୍ରଷ୍ଟା ହୀନା ବାରବିଳାସିନୀ

ଲାଳସାର ସନ୍ତର୍ପଣ ପାଇଁ

ନିତି ନିତି ନୂଆ ନୂଆ ଲୋଡ଼ିବ ସୁନ୍ଦର ।

ଅନ୍ୟ ସଂଗ ଉପଭୋଗେ

ସ୍ୱାମୀ ସଂଗର ଅଭାବ ଯିବ କାହିଁ ଭୁଲି ?

ଆହୁରି ବି

ମୋ ନିଜର ଅଭିଜ୍ଞତା ବଶେ

ଜାଣୁଛି ପ୍ରେୟସୀ ପ୍ରାଣ ନଥିବ ବରଜି ।

ଦୁଃଖୀର ଜୀବନ-ପଥେ

ମୃତ୍ୟୁ ଅଭିସାର

ଅଟେ ଚିର ଅଳସ ମନ୍ଥର ।

ସୁମଧୁର ଆଶାର ବନ୍ଧନ—

ସେ ବନ୍ଧନେ—

ପ୍ରେମ-ଭୋର ରମଣୀଜୀବନ

ବିରହର ପ୍ରାଣହଜା ବେଦନା ବିସୋରି

ଥାଏ ବନ୍ଧା

ପୁଷ୍ପବୃନ୍ତେ କୁସୁମର ସମ ।

ଦୁଃସହ ବିରହ ଘୋରେ ମିଳନର ଆଶା ।

ଯଥା ମୋରେ

ଏତେ ଦୁଃଖେ ରଖିଛି ଜୀବନେ

ସେଇପରି ମୋ ପ୍ରେୟସୀପ୍ରାଣ

ଥିବ ବନ୍ଧା ଆଶାର ବନ୍ଧନେ ।

ବିରହିଣୀ ପ୍ରିୟା ମୋର ସବୁକଥା ଭୁଲି

ଗଣୁଥିବ ଦିନ ଖାଲି ବସି—

ବର୍ଷକରୁ କେତେଦିନ ହେଲାଣି ଅତୀତ

କେତେ ପୁଣି ରହିଅଛି ବାକି ।

ପର ମୋତେ ନାହିଁ ମାନ ମେଘ

ତୁମେ ମୋର ଛୋଟ ଭାଇ ପରି

ଭୋଗୁଛି ଭାଉଜ ତେଣେ ଅସହ୍ୟ ବେଦନା

ଦିଅର ହୋଇ କି ତୁମେ ନ କରିବ ଘେନା ।

ଚକିତ ଚରଣେ ଯେବେ କରିବ ଗମନ

ଭାବେ—ତା’ର

ହେବ ଉପକାର ।

‘‘ନୀରବେ ରହିଲ କିପାଁ ?

ଦୂର ପଥେ ଏକୁଆ ପଥିକ—

ହେବ ବୋଲି ନାହିଁ ଭାବ ମନେ,

ତୁମରି ଆଷାଢ଼ ନୀଳ ଛାୟା ଅନ୍ତରାଳୁଁ

‘ଗୁରୁ-ଗୁରୁ’ ଗରଜନ ଭୀଷଣ ମଧୁର

ଉଠିଲେ ଗୁମରି—

ଚକିତେ ଭୂଇଁ କନ୍ଦଳୀ ଅଙ୍କୁରିବ ଭୂମେ

ପ୍ରଚୁର ଶସ୍ୟର ଦେଇ

ସୁସ୍ପଷ୍ଟ ସୂଚନା ।

ଦେଖି ଯାରେ—ନୀଳ ବନ ଧାରେ

ଉତ୍‍ଥଳ ଆନନ୍ଦେ ଫୁଲେ ଚାଷୀର ଜୀବନ ।

ଅମଳ ଧବଳକାୟ ରାଜହଂସ-ମାଳା

ଶୁଣି ତୁମ ଗମ୍ଭୀର ଗର୍ଜନ

ଯିବା ପାଇଁ ମାନସ-ସରସେ

ଉତ୍ତଳା ହୁଅନ୍ତି ଅତି—

ମୋହନ ମଧୁର ବଂଶୀ ସଙ୍ଗୀତ ପରଶେ

ହୁଏ—ଯଥା

ଗୋପବାଳା ଆବେଶ — ଆକୁଳେ—

—ଆତୁର—ଅଥିର—

ଦୂର ଘନ ବନତଳ ପ୍ରଣୟ-ରଭସେ ।

ସେଇ ମେଘ ! ସେଇ ହଂସଦଳ

ପଥର ପାଥେୟ ପାଇଁ—

ଧରି ନିଜ ରକ୍ତ ଚଞ୍ଚୁ ପୁଟେ,

ଶୁଭ୍ର ଶୁଭ୍ର ଖଣ୍ଡିତ ମୃଣାଳ

ତୁମ ସାଥେ ନଭପଥେ କରିବେ ଗମନ ।

ସାଥେ ଥିଲେ ସାଥୀ

ପରାଣେ ବାଧେନି ମେଘ ! ପଥଶ୍ରମକ୍ଲାନ୍ତି ।

‘‘ଅଦୂରେ ଦିଶେ ଏ ଦେଖ—

ଗିରି ଚିତ୍ରକୂଟ

ମଥାନ ଯା ଛୁଇଁଛି ଆକାଶ ।

ଯା ପ୍ରସ୍ତରମୟ ମେଖଳାରେ—

ପବିତ୍ର ରାଘବ ପଦ ରାଜେ ଦୃଢ଼ାଙ୍କନେ—

ନୀରବେ ଘୋଷଣା କରି ଅତୀତ ଗରିମା ।

ଲୋଟେ ଯହିଁ—

କୋଟିଶତ ଅଗଣିତ ଶିର

ଆସି କେଉଁ ସୁଦୂର ଦିଗନ୍ତୁଁ ।

ସେ ପରା ତୁମର ବଂଧୁ—

ଅତି ଆପଣାର ?

ପ୍ରତିବର୍ଷ ବର୍ଷାର ଆଗମେ

ମିଳନ ତ ତୁମ ସାଥେ ହୋଇଥାଏ ତାର

ଦେଖନି କି ତେତେବେଳେ ମେଘ !

ବର୍ଷବ୍ୟାପୀ ବିରହ ଉର୍ଚ୍ଛ୍ୱାସ,

କିପରି ନିଖିଳ ଅଂଗେ

ଯାଏ ତାର ଖେଳି ।

କିପରି ନୀହାର ବିନ୍ଦୁ ପରି ବିନ୍ଦୁ ବିନ୍ଦୁ

ଅନ୍ତରର ସ୍ନେହ

ଦେହମୟ ଉଠେ ତାର ଝଳି !!

ଏପରି ସ୍ନେହର ବଂଧୁ

ଥାଉଁ ଯାତ୍ରା-ପଥେ

ସ୍ନେହଭରା କଥା ପଦେ ନ କହି ତାହାରେ

ନ କରି ତାହାରେ ପ୍ରେମେ ଥରେ ଆଲିଙ୍ଗନ—

ଯିବା ତୁମ ବଡ଼ ଅଶୋଭନ ।

ହେଲେ ହେବ ବିଳମ୍ୱ ନିମିଷେ—

ନ କରିବ ସେଥିପାଇଁ ଚିନ୍ତା,

ବକ୍ଷେ ଦେଇ ବକ୍ଷର ଆଶ୍ଳେଷ

ପୁଛିବ ବଂଧୁରେ ତୁମ କୁଶଳ ବାରତା

ନୟନର ଅଶ୍ରୁସାଥେ ପୁଣି—

ନେବ ଦୁଃଖେ ତା’ଠାରୁ ବିଦାୟ ।

‘‘ବହୁଦୂର ଅଳକାର ପଥ—

ଦେଖି ତ ନ ଥିବ ।

ସେପାଇଁ ପ୍ରଥମେ

ଦେବାକୁ ସନ୍ଧାନ ଚାହେ ସୁବିଧା ରାସ୍ତାର

ଯେଉଁଠାରେ ଯେତେ ବାଙ୍କେ—

ଯିବାକୁ ହୋଇବ,

ସେ ସବୁରେ ରଖିନିଅ ମନେ

ତାହାପରେ କହିବି ମୋହର

ଯାହା ଯାହା କହିବାର କଥା ।

କଥା ସେ ତ ନୁହେ ନୁହେ ମେଘ !

ଶତ ସରଗର ସ୍ୱପ୍ନସୁଧା—

ପରଶେ ତା କର୍ଣ୍ଣମନ ହେବ ତୃପ୍ତିହରା

ପ୍ରାଣ-ଭୂମି ଉଠିବ ଉଲୁସି ।

‘‘ସେ ପଥଟି ଭାଇ ! ତୁମ

ବଡ଼ ମନୋହର

କେତେ କେତେ ନୀଳ ପରବତ

କେତେ ନଈ ନୀଳ ରେଖା

ରାଜେ ସେଇ ପଥେ ।

ତେଣୁ ଭାବେ—

ନାହିଁ ହେବ ଅସୁବିଧା ଲେଶ ।

ପଥ ଚାଲି ଚାଲି ଯହିଁ ପଡ଼ୁଥିବ ଥକି

କରୁଥିବ ଶୈଳଚୂଳେ ସେଠାରେ ବିଶ୍ରାମ

ବିନିମୟେ—

ଦେଇ ତାରେ ସ୍ନିଗ୍ଧ ବାରିଧାରା ।

ଉପକାରୀ ପ୍ରତି ଉପକାର

ନୁହେ ନିକି କର୍ତ୍ତବ୍ୟ ସୁନ୍ଦର !!!

ଜଳ ଅପଗମେ ଦେହ ହୋଇଲେ ହାଲୁକା

ପବନେ ଅଥୟ ଯେବେ—

ଉଡ଼େ ଏଣେ ତେଣେ,

ତେବେ ନମି ଗିରିନଦୀ ତଟେ

ଲଘୁ ନିରିମଳ ଜଳ କରିବ ସେବନ ।

ପୂରୁବର ବଳ ପୁଣି ଆସିବ ହେ ଫେରି

ଗଗନର ପଥେ ଯିବ ଚାଲି ।

‘‘ଦେଖ ଥରେ ଦୃଷ୍ଟି ଢାଳି—

ଏଇ ବନଭୂମେ

ସବୁଜ ବେତସ କୁଂଜ ମାଳ ମାଳ ହୋଇ

ଦିଶେ କେଡ଼େ ‘ସୁନ୍ଦର ରୁଚିର’ ।

ସତେ କେଉଁ ସୌନ୍ଦର୍ଯ୍ୟର ଶିଳ୍ପୀ

ଚାଳି ତାର କୁହୁକ-ତୂଳିକା

ସୃଷ୍ଟି କରିଅଛି ନବ ନୀଳ ମଂଜୁଳତା !

ଦେଖି ଥରେ ଯାରେ—

ନିଖିଳ ପରାଣ ମନ ସାଜେ ଆତ୍ମହରା ।

ଏଇ ବେତବନ ଅନ୍ତରାଳୁଁ

ଉଠି ତୁମେ ଗଲେ ଭାସି ଉତ୍ତରର ପଥେ—

ଅଦୂରେ ଶୈଳବାସିନୀ ସିଦ୍ଧ କୁଳବଧୂ,

‘‘ଝଂଜା କି ଉଡ଼ାଇ ନିଏ ଗିରିତୁଙ୍ଗ ଶୃଙ୍ଗ !’’

ଭାବି ମନେ—

ମୁଗ୍‍ଧ ଚକିତ ଚକ୍ଷେ ଚାହିଁବେ ତୁମରେ ।

ସେ ଚଞ୍ଚଳ ଚାହାଣି ପରଶେ—

ମେଘ !

ମନେ ହୁଏ ମୋର

ଶତ ଗୁଣ ବଢ଼ିଯିବ ଉତ୍ସାହ ତୁମର ।

ନାହିଁ ଜଣେ ଏପରି ତରୁଣ

ତରୁଣୀର ଆଗେ ଯାର ନ ଫୁଟେ ବିଳାସ

ପଥେ ପୁଣି ଆଉ ଏକ କଥା—

ଦେଖି ତୁମ ଘନନୀଳ ସୁବିଶାଳ କାୟ

ଅହନ୍ତାର ବଶେ ସର୍ବ ଦିଗହସ୍ତୀ ଦଳ

ଦୀର୍ଘ ଶୁଣ୍ଢ ଉଠାଇ ଆକାଶେ—

କହିଯିବେ କେତେ ତୀବ୍ର ଭର୍ତ୍ସନାର ଭାଷା ।

କିନ୍ତୁ ଭାଇ, ଅନୁନୟ ମୋର

ସେ କଥାରେ ଶୁଣିବନି କାନେ ।

ସାଥେ ତାଙ୍କ କର ଯେବେ ଗୋଳ

କାର୍ଯ୍ୟେ ମୋର ଜାଣୁଛ ତ ? ଉପୁଯିବ ବାଧା ।

‘‘ଆଉ ଦେଖ—ଆଗରେ ତୁମର

ଏଇ ଉଇହୁଂକାର ଉପରୁ

କି ସୁନ୍ଦର ଆକାଶର ଦିଗେ

ଧୀରେ ଧୀରେ—

ଉଠି ଆସେ ରଙ୍ଗ ଇନ୍ଦ୍ରଧନୁ ।

ଦେଖି ହୁଏ ମନେ—

ପୀତ, ନୀଳ, ସବୁଜ, ଲୋହିତ

ରତ୍ନର କି ମିଶ୍ରିତ ଲାବଣ୍ୟ

ନେଇଅଛି ଅରୂପର ରୂପ !

ଉତ୍ତରର ପଥେ ତୁମେ ଗଲେ ଭାସି ଭାସି

ଇନ୍ଦ୍ରଧନୁ ଯିବ ତୁମ ମସ୍ତକ ପରଶି

ଆହା ଭାଇ !

କେତେବଡ଼ ମନୋରମ ତାହା !

ଯେପରି ନୀଳ ସୁନ୍ଦର ନନ୍ଦର ନନ୍ଦନ

ଚୂଳେ ବାନ୍ଧି ମୟୂରଚନ୍ଦ୍ରିକା......

ଠିକ୍ ଠିକ୍ ସେଇପରି ଯିବ ତୁମେ ଦେଖା !

‘‘ଭାଇ ମେଘ !

ପଲ୍ଲୀର ତରୁଣ ଚାଷୀ

ସାରା ବର୍ଷ ଧରି

ପ୍ରାଣପାତୀ ପରିଶ୍ରମେ—

ରଚେ ଯେଉଁ କୃଷି,

ଫଳ ତାର ସବୁ ତୁମ ହାତେ

ତୁମେ ଯେବେ ନ ବରଷ ପାଣି

ସବୁ ପଣ୍ଡ ହୁଏ ନାହିଁ ଜାଣି ?

ତେଣୁ ଭାଇ ! ତୁମରି ଦର୍ଶନେ—

ପଲ୍ଲୀ କୃଷକବଧୁର ଉଚ୍ଛଳା ପରାଣେ

କେତେ କେତେ ନବ ନବ ଆଶା—

ଥାପି ଯାଏ ଭାବୀ ଶୁଭ-ଭାଷା ।

‘‘ପ୍ରାଣପ୍ରିୟ ଅନଳସ ଶ୍ରମେ—

ତୁମେ ଢାଳିଦିଅ ସାର୍ଥକତା’’

ଜାଣି ସେ ତୁମରେ—

ଚାହାଁନ୍ତି ମମତାମୟ ମୁଗ୍‍ଧ ଚାହାଁଣିରେ

ଭାଇ ମେଘ !

ସେ ଚାହାଁଣି ନୁହେଁ ଭୁଲିବାର

ଦେଖିବ—

ଥାଏ’ନା ତହିଁ ଛଳନାର ଲେଶ

ଥାଏ’ନା କୁଟିଳ ଭଂଗୀ କଟାକ୍ଷ ବିକାଶ

ନାହିଁ ଥାଏ—

ମନ-ଭୁଲା ଚାରୁ ଭୂରୁ-ଲାସ୍ୟ—

ଆଉ ଆଉ—

ଯେତେ ହାବ ଭାବର ବିଳାସ ।

କିନ୍ତୁ ଖାଲି

ସରଳତା, ସ୍ୱଚ୍ଛ ସରସତା

ଶୁଦ୍ଧପ୍ରେମ ସୁପବିତ୍ର ସ୍ନେହ

ଜୋଛନାର ନଗ୍ନ ନିର୍ମଳତା

କୁସୁମର କାନ୍ତ ଅମଳତା

ଅମୃତର ଚିର ଅମରତା

ସବୁ ହେ ପାଇବ ତୁମେ ସେଇ ଚାହାଁଣିରୁ ।

ଆହୁରି ଦେଖିବ—ତହିଁ

ଛଳ ଛଳ ତୃଷା

ଜାଗି ଜାଗି ପିଉଥିବ ତୁମ ସୁନ୍ଦରିମା ।

ତାହାପରେ ଦୃଷ୍ଟିପଥେ ତୁମ—

ମାଳଭୂମି—

କ୍ଷେତ୍ରମାଳା—ଦିଗନ୍ତ-ମୁକୁଳା

ଚାଷୀର ଲଙ୍ଗଳଗାର

ଯାଇଥିବ ବିଦରି ତାହାରେ,

ପଡ଼ିଲେ ତହିଁରେ ତୁମ ମନ୍ଦ ଦୃଷ୍ଟିଧାରା

ସୁନ୍ଦର ସୌରଭେ

ଦିଗ ଦିଗ ହେବ ଆମୋଦିତ,

ତାହା ମଧ୍ୟେ ମେଘ ! ତୁମେ

ଚାଳି ଲଘୁ ପକ୍ଷ—

ଉତ୍ତରେ ଉତ୍ତରେ ପୁଣି ବହି ଯିବ ପଥ ।

‘‘କ୍ଷେତ୍ରମାଳା ସୀମା-ଶେଷେ—

କ୍ଲାନ୍ତି ଯେବେ ଆସେ,

ଦେଖିବ—ଅଦୂରେ ଅଳ୍ପ

ଆମ୍ରକୂଟ ଗିରି,

ଆକାଶେ ଉଠାଇ ତାର ସବୁଜ ଶିଖର

ରହିଅଛି ଚାହିଁ ।

ମନେ କି ହୁଏନା—ତାର

କେତେ ବଡ଼ ଉପକାରୀ ତୁମେ ?

ଯେତେବେଳେ ଦୃପ୍ତ ବନାନଳ

ଜାଳି ଦିଏ ହୁତୁ—ହୁତୁ ଗିରିବୁକୁ ବନ

ତତଲା ଝାଂଜିରେ ଭରେ ଆକାଶର ତୀର,

ବନ୍ୟଜନ୍ତୁ ଆର୍ତ୍ତନାଦେ ପୂରେ ବନଦେଶ,

ସେଁ ସେଁ ହୋଇ ଗର୍ଜେ ଗିରିର ଝରଣା,

ତୁମେ ତେତେବେଳେ—

ସୁଦୂର ଗଗନ ତଟୁଁ ଢାଳି ବାରିଧାରା

ଲିଭାଅ ସେ ଦୂରନ୍ତ ଅନଳେ ।

ତୁମରେ କି ସେ ହେ ଭୁଲିପାରେ ?

ଯେତେ କେ ହେଉନା ଛୋଟ

ଉପକାରୀ ଠାରେ—

ରଖିଥାଏ ନମ୍ର ଭକ୍ତି ମେଘ ! ସବୁବେଳେ ।

ଅକୁଣ୍ଠ ସାହାଯ୍ୟ ମଧ୍ୟ

କରେ—ପାରେ ଯେତେ ।

ଏ ତ ଗିରି ବଡ଼ ଅତି ବଡ଼

କରିବନି ପ୍ରତି-ଉପକାର ?

ପଥକ୍ଲାନ୍ତ ଜାଣି ସେ ତୁମରେ

ମସ୍ତକେ ତୁମଙ୍କୁ ତାର ଦେବ ହେ ବିଶ୍ରାମ

‘‘ସେ ପାହାଡ଼ ଚାରିଧାର ଭାଇ !

ଭରା ଖାଲି ବଣ ଆମ୍ୱଗଛେ ।

ଆଷାଢ଼ ପବନ ବାଜି ଆମ୍ୱ-ଡାଳଭରା

ପାଚି ପଡ଼ିଥିବ ହଳଦିଆ

ତୋଫା ହଳଦିଆ ହେ ସେଲାଗି—

ଦିଶୁଥିବ ସାରା ବନରୂପ ।

ସେଇ ବନେ ଗିରି ମଧ୍ୟ-ଶୃଙ୍ଗେ

ଚିକ୍‍କଣ ଚିକୁର ସମ କଳାଦେହ ତୁମ

ଧୀରେ ଯେବେ ଆସିବ ଓହ୍ଲାଇ

ସୌନ୍ଦର୍ଯ୍ୟର ସୀମା ଶେଷ ହୋଇଯିବ ମେଘ !

ସୁନ୍ଦରିମା—ଅମର ପ୍ରତିମା

ଅମର ଦମ୍ପତି ଦୂରେ—ଆକାଶର କୂଳେ

ଦେଖିବେ ‘‘ତା ସତେ ଯଥା ନୁହଁଇ ପାହାଡ଼

ଧରଣୀ ରାଣୀର ମୁଗ୍ଧ ମନୋରମ ସ୍ତନ—

ଚାରିଆଡ଼ ଚମ୍ପକର ଗୌର

ତୁମେ ଲାଗି—ଚୁଚୁକ ଶ୍ୟାମଳ ।’’

ସୁରସୁନ୍ଦରୀର ବେଗେ ପଡ଼ିଯିବ ମନେ—

ରତିଶେଷେ ଶ୍ରାନ୍ତ ପ୍ରିୟ କିପରି ତାହାର

ବକ୍ଷପରେ ମୁଖ ଥାପି କ୍ଷଣେ ପଡ଼େ ଶୋଇ

ସେଇପରି ଗିରିବୁକେ ତୁମେ ଅଛ ରହି ।

ଇସ, ଲାଜେ ରଙ୍ଗ ପଡ଼ିଯିବ ମୁହଁ !!

‘‘ସେ ପାହାଡ଼ ଦେହେ ଦେହେ ଭରା—

ଶତ ଶତ ଲତାକୁଂଜ ସୌନ୍ଦର୍ଯ୍ୟ-ଉଛୁଳା,

ଯଉବନ ଢଳ ଢଳ ବନଚରବଧୁ

ପ୍ରିୟ ସାଥେ—

ଆସି ତହିଁ ଖେଳନ୍ତି ନିର୍ଜନେ ।

ଦେଖିବ ନୀରଦ ତହିଁ ଓହ୍ଲାଇ ଚକିତେ—

କବରୀର ଖୋସା ବନଫୁଲ

ପଡ଼ିଥାଏ କେତେ ଭୂଇଁତଳେ ।

କଉତୁକ ଆଡ଼ରୁଷା ତୁଟୁକା ମାନରେ

ଧର ଛାଡ଼—ଛାଡ଼ ଧର ବେଳେ

କେତେ କେତେ ଲତା ଡଙ୍କ ଦେଇଥାନ୍ତି ମୋଡ଼ି

ଚରଣର ମୃଦୁ ଆସ୍ଫାଳନେ—

କେତେ ଝରାଫୁଲ ଆହା ଯାଇଥାନ୍ତି ଦଳି !!!

ଭାଇ ମେଘ !

ନ ଦେଖିଲେ ଥରେ ସେ କୁଂଜରେ

ରସିକ ଜୀବନ ତୁମ ରହିବ ଅପୂର୍ଣ୍ଣ ।

ଦେଖି ଏ ସବୁରେ—

ଆନନ୍ଦେ ଅନ୍ତର ତୁମ ଉଠିବ ଶିହରି

ବହି ଘମ ଘମ ଝାଳ

ଝରଝର ବୃଷ୍ଟି ଭୂମେ ପଡ଼ିଯିବ ଝରି ।

ତାହାପରେ ମେଘ !

ଭାବି ଏଇ ବିଳମ୍ୱର କଥା

ଅବଶ୍ୟ ପୂର୍ବ ଅପେକ୍ଷା ଚଳିବ ଚଞ୍ଚଳେ

ନିବିଡ଼ ନୀରନ୍ଧ୍ର ନୀଳ ବନମାଳେ ଘେରା

ରାଜେ ପଥେ ବିନ୍ଧ୍ୟ ପରବତ ।

ସେ ପାହାଡ଼ ନୁଆଣ ପ୍ରଦେଶ

ପୂର୍ଣ୍ଣ କଳା ମୁଗୁନି ପଥରେ ।

କାହିଁ ବଡ଼ କାହିଁ ଛୋଟ

ପାଷାଣ ପତିତ,

ମଧ୍ୟେ ତାର

ବହେ କ୍ଷୀଣ ଗିରିର ଝରଣା

ଶତ ସହସ୍ର ଧାରାରେ

କୋଟି ଶତ ବାଙ୍କେ ।

ନିମ୍ନେ ପୁଣି ସମତଳ ଭୂମେ

ଏକଧାରେ ହୋଇ ପରିଣତ

ନର୍ମଦା ବିଶାଳ ଧାରା କରିଛି ରଚନା ।

ଦେଖି ହୁଏ ମନେ—

ସତେ କି ବା

ବେରସିକ ନିଠୁର ସ୍ୱାମୀର

ପାଦତଳେ ଅସହାୟେ ଲୋଟି ସତୀ ନାରୀ

ବିକଳ ମିନତି କରେ କାନ୍ଦି ମୁଣ୍ଡ କୋଡ଼ି !!

ସୁଦୂର ଗଗନ କୂଳୁଁ ଢାଳି ହେ ନୟନ

ଦେଖିବ ନୀରଦ,

ସେଇ ଛିନ୍ନଧାରାମାନ

କେ ଲାଲ, ନିର୍ମଳ

କେ ବା ମିଶ୍ରିତ ବରନ ।

ଆହା ବଡ଼ ପ୍ରାଣସ୍ପର୍ଶୀ ତାହା !

ହାତୀଦେହେ ସିନ୍ଦୁର ଚନ୍ଦନେ

ଅଂଜନ ହିଙ୍ଗୁଳ ଦେଇ ରଚନା-କୌଶଳେ

ଲତା ପତ୍ର ଆଙ୍କି କେଉଁ ଦକ୍ଷ ଚିତ୍ରକର

ସତେ କି ଯାଇଛି କରି ଶୃଙ୍ଗାର ରଚନା !!

‘‘କେତେ ନୀଳ ଜାମୁକୁଂଜ ଆଲିଙ୍ଗି ଭୂଇଁରେ

ରାଜେ ଗିରିତଟେ ସତେ ମୂର୍ତ୍ତ ସ୍ନେହ କି ସେ !

ସୋତର ଉଚ୍ଛ୍ୱାସ

ରହି ରହି ତହିଁ

ମନ୍ଦେ ବହେ କୁଳୁ କୁଳୁ ଗାନେ ।

ଯେତେ ଆବର୍ଜନା ସବୁ ଲାଗି ରହେ ଡାଳେ

କାଚକେନ୍ଦୁ ପରି ପାଣି ଯାଏ ଛାଣି ହୋଇ ।

ବଣହାତୀ ଆସି ତହିଁ ମନସୁଖେ ଖେଳେ ।

ଗଣ୍ଡୁଁ ତାର ଝରି ଝରି ଗନ୍ଧମଦଜଳ

ନଦୀଜଳେ ମିଶି ତାରେ ବାସବୟ କରେ ।

ସେପରି ଜଳ କି ମେଘ !

ମିଳେ ସବୁଠାରେ ?

ତେଣୁ ତହିଁ ଜଳ କିଛି କରି ଅପଗମ

ନର୍ମଦାର ବାସ ଜଳ ନେବ ପାର ଯେତେ ।

ସେ ଜଳଟା ମେଘ !

ସ୍ୱାସ୍ଥ୍ୟପକ୍ଷେ ବଡ଼ ଉପକାରୀ ।

ଆଉ ମଧ୍ୟ—

ଜଳେ ଭରା ଥିଲେ ତନୁ ତୁମ

ବତାସ ତୁମରେ ବାଧା ପାରିବନି ଦେଇ ।

ଅଛି କଥା—

ରିକ୍ତ ସଦା ଅଟଇ ଦୁର୍ବଳ

ଦୁର୍ବଳର ପରାଜୟ ନିତି

କିନ୍ତୁ—

ପୂର୍ଣ୍ଣ ଲଭେ ଗୌରବର ପୂଜା ଦୁନିଆରେ ।

‘‘ମେଘ ତୁମେ ସୌନ୍ଦର୍ଯ୍ୟର ଶିଳ୍ପୀ

ସବୁ କର ସବୁଜ ସୁନ୍ଦର

ସେଲାଗି ବି ପଶୁର ପରାଣେ

ଜାଗିଥାଏ ତୁମ ପ୍ରତି ସ୍ନେହ ।

ବନପଥେ ବିନ୍ଦୁ ବିନ୍ଦୁ ବାରି ଢାଳି ତୁମେ

ଭାସିଗଲେ ଗଗନର ତଳେ—

ବନଭୂମି ପାଲଟେ ସୁଷମ ।

ଝରା ମୌସମୀର ତୁମ କି ଚକିତେ କୁହୁକ ପରଶେ—

କଢ଼େ ଫୁଲେ ଭରି ଉଠେ କଦମ୍ୱର ବନ ।

ଫୁଟା ଫୁଲ ତୋଫା ହଳଦିଆ

ଦରଫୁଟା କଳି ସବୁ ଚିକ୍‍କଣ ସବୁଜ ।

ସେ ନେଇ ହେ କଦମ୍ୱକାନନ

ନେଳି ହଳଦିଆ ରଙ୍ଗେ ହୋଇ ମିଶାମିଶି

ଉଲୁସାଏ ସପନର ଶୋଭା ।

ତେଣେ ପୁଣି ତଳେ—

ପାଣିକୂଳ ସନ୍ତରା ଭୂଇଁରେ

ଭୂଇଁଚମ୍ପା ଉଠେ ଗଜା ମାରି

ଅଙ୍ଗେ ଭରି ଶତ ନୂଆକଢ଼ି ।

ଏଣେ ତୁମ ନୂଆ ପାଣିସ୍ପର୍ଶେ—

ମାଟି ବୁକୁ ଭେଦି ଉଠେ ଅପୂର୍ବ ସୁଗନ୍ଧ

ବନ ହରିଣ ହରିଣୀ

ବୁଲି ବୁଲି ବନେ

ସୁଙ୍ଘି ସୁଙ୍ଘି ସେ ଅପୂର୍ବ ଗନ୍ଧ

ଖାଇ ଭୂଇଁଚମ୍ପାଦଳ—

ଚାହିଁ ଚାହିଁ କଦମ୍ୱ କୁସୁମେ

ଭରା ମୋଦେ ହୋଇ ହେ ବିଭୋର

ସୂଚାଇବେ ଯାତ୍ରାପଥ ତୁମ ।

‘‘ଗଗନ ଘୋଟାଇ ତୁମ

ସ୍ନିଗ୍‍ଧ କଳା ଛାୟା

ବିନ୍ଦୁ ବିନ୍ଦୁ ଝାଡ଼ି ଦେଲେ ଜଳ ।

ଚାତକର ଦଳ

ନୂଆ ପାଣି ନିଶାରେ ମାତାଲ ।

କି କୌତୁକେ

ଚକିତ କୌଶଳେ

ଅନ୍ତରାଳେ ଧରି ଧରି ତାରେ

ଚଂଚୁପୁଟେ ପିଇବେ ଚଂଚଳ ।

ଦେଖିବାର ଦୃଶ୍ୟ ତାହା ମେଘ ।

ସିଦ୍ଧଦଳ

ପ୍ରିୟାସାଥେ ଯୁଗଳ ଯୁଗଳ

ଏକାନ୍ତ ଆନନ୍ଦେ

ଦେଖୁଥିବେ ତାହା ଚାହିଁ ଚାହିଁ ।

ଯୋଡ଼ି ଯୋଡ଼ି ଧାଡ଼ି ଧାଡ଼ି

ବଗ ଓ ବଗୁଲୀ—

ଯାହା ଉଡ଼ୁଥିବେ ହୋଇ ପ୍ରଣୟ ମାତାଲ

ଗଣୁଥିବେ ଏକ ଦୁଇ ତାରେ

କଉତୁକେ ଅଙ୍ଗୁଳି ଦେଖାଇ ।

ହଠାତ୍ ଗର୍ଜିବ ତୁମେ

ସିଦ୍ଧବଧୂ ଭୟାର୍ତ୍ତ ଶିହରେ

ଭୁଲି ସବୁ ସରମ ସଂକୋଚ

ଭିଡ଼ି ଗାଢ଼ ନିବିଡ଼ ଆଶ୍ଳେଷେ—

ଲୋଟିଯିବ ପ୍ରିୟତମ ବକ୍ଷେ ।

ହଠାତ୍ ଗର୍ଜିବ ତୁମେ

ସିଦ୍ଧବଧୂ ଭୟାର୍ତ୍ତ କୋହରେ

ଭୁଲି ସବୁ ସରମ ସଂକୋଚ

ଭିଡ଼ି ଗାଢ଼ ନିବିଡ଼ ଆଶ୍ଳେଷେ—

ଲୋଟିଯିବ ପ୍ରିୟତମ ବକ୍ଷେ ।

ବିଭୋର ତରୁଣ

ଅଚାନକ ପାଇ ସେଇ ସ୍ୱପ୍ନ ଆଲିଙ୍ଗନ

ଶତ ଶତ ବାର

ହେ ମେଘ ତୁମରେ

ଦେଇ ଯିବ ଧନ୍ୟବାଦ ମୁଗ୍‍ଧ ଅନ୍ତରର ।

‘‘ଭାଇ ଜଳଧର !

ଭାଉଜର ଦୁଃଖ ଟିକେ ଘୁଞ୍ଚାଇବା ପାଇଁ

ଚଞ୍ଚଳ ଚଳିବ ତୁମେ ନିଶ୍ଚୟ ନିଶ୍ଚୟ

ଏଥିରେ ତ ନାହିଁଛି ସଂଶୟ ।

ହେଲେ ବି ତଥାପି—

ବିଳମ୍ୱ ଆଶଙ୍କା ମୋର ଜାଗିଯାଏ ମନେ ।

କାହିଁକି ନା—ଯାତ୍ରାପଥେ ତୁମ

ପରବତ ପରେ ପରବତ

ପୂର୍ଣ୍ଣ ସବୁ କୋରୁଆଁର ବନେ

ଫୁଟି ଏବେ କୋରୁଆଁର ଫୁଲ

ମହକାଉ ଥିବ ବାସେ ଦିଶ,

ତୁମେ ତ ରସିକ ବଡ଼ କୋରୁଆଁ ଫୁଲର

ଛାଡ଼ି ତାରେ ପାରିବ କି ଯାଇ !

ଚରଣେ ଚରଣେ ତୁମ

ହେବ ଛନ୍ଦି ନିମିଷକ ପାଇଁ ।

ଦେଖି ତୁମ ନବନୀଳ ତନୁ

ବନଶିଖେ ପାହାଡ଼ୀ ମୟୂର

ଯେ ତୁମରେ—

ପ୍ରାଣ ଭରି ଭଲପାଏ ମେଘ !

ଖୋଲି ତାର ଚହକ ଚନ୍ଦ୍ରିକା

କେତେ ପ୍ରାଣଫୁଲା ନୃତ୍ୟେ

ମାତିବ ବିଭୋରେ ।

ଆନନ୍ଦରେ ଛଳଛଳ ନୟନ ତାହାର

ସେ କି ଚମତ୍କାର !

କଣ୍ଠ ଟେକି ତୁମ ଆଡ଼େ ଚାହିଁ—

ଦେଇ କେକା ରବ

ସ୍ୱାଗତ ସଂଗୀତ ତୁମ

ଗାଇବ ଉଲ୍ଲାସେ ।

ତେତେବେଳେ ତୁମେ

ମଧୁର ମୂର୍ଚ୍ଛନାମୟ ସେ ସ୍ନିଗ୍‍ଧ ସଂଗୀତେ

ପରିହରି ଭାଇ !

ଚଂଚଳେ ତ ପାରିବନି ଯାଇ ।

ତେବେ—

ଏତିକି ମୋ ଅନୁନୟ ମେଘ !

ଦ୍ରୂତ ଗମନର ଚେଷ୍ଟା ନ ଭୁଲ ଯେପରି ।

ଦେଖି ତୁମ ନବନୀଳ ତନୁ

ବନଶିଖେ ପାହାଡ଼ୀ ମୟୂର

ଯେ ତୁମରେ—

ପ୍ରାଣ ଭରି ଭଲ ପାଏ ମେଘ !

ଖୋଲି ତାର ଚହଳ ଚନ୍ଦ୍ରିକା

କେତେ ପ୍ରାଣଫୁଲା ନୃତ୍ୟେ

ମାତିବ ବିଭୋରେ ।

ଆନନ୍ଦରେ ଛଳ ଛଳ ନୟନ ତାହାର

ସେ କି ଚମତ୍କାର ।

କଣ୍ଠ ଟେକି ତୁମ ଆଡ଼େ ଚାହିଁ—

ଦେଇ କେକା-ରବ

ସ୍ୱାଗତ ସଂଗୀତ ତୁମ

ଗାଇବ ଉଲ୍ଲାସେ ।

ତେତେବେଳେ ତୁମେ

ମଧୁର ମୂର୍ଚ୍ଛନାମୟ ସେ ସ୍ନିଗ୍‍ଧ ସଂଗୀତେ

ପରିହରି ଭାଇ ।

ଚଂଚଳେ ତ ପାରିବନି ଯାଇ ।

ତେବେ—

ଏତିକି ମୋ ଅନୁନୟ ମେଘ !

ଦ୍ରୁତ ଗମନର ଚେଷ୍ଟା ନ ଭୁଲ ଯେପରି ।

‘‘ତାପରେ ଦଶାର୍ଣ୍ଣ......

ଦେଖିବ ସେ ଦେଶେ କେତେ ସୁନ୍ଦର ଉଦ୍ୟାନ,

ଘେରି ଘେରି ରାଜେ ତାରେ

କେତକୀର ବାଡ଼ ।

ତୁମରି ପରଶେ ଭାଇ କେତକୀର ବାଡ଼େ

ଶତ ଶତ କଢ଼ି ଦରଫୁଟା

ପାଣ୍ଡୁରଂଗେ ରଂଜି ଯାଏ ତାରେ ।

ବନେ ପୁଣି ଜାମୁ ଗଛେ ଗଛେ

ପେନ୍ଥା ପେନ୍ଥା କୋଳି ଥାଏ ଫଳି

ପାଚି ତାହା କଳା ଭାରି କଳା—

ସତେ ଯେହ୍ନେ ଇନ୍ଦ୍ରନୀଳ

ଡାଳେ ଡାଳେ ଦୋଳେ !

‘‘ଗାଆଁର ମଝିରେ

ରାସ୍ତାର ରାସ୍ତାର ଗଛେ

ଏଣୁ ତେଣୁ ବହିଆଣି କାଠିକୁଟାମାନ

କାଉମାନେ କି ସୁନ୍ଦର ବାନ୍ଧିଥାନ୍ତି ବସା

ଦେଖିବାର କଥା ତାହା ମେଘ !

ପକ୍ଷୀପ୍ରାଣରେ ବି ଜାଗେ ଶିଳ୍ପର କଳ୍ପନା ।

ହଁ—’

ଭଲକଥା ମନେ ହେଲା ଭାଇ !

ତୁମ ସାଥେ ସାଥୀ ଯେତେ ରାଜହଂସଦଳ

ଦିନାକେତେ ରହିବେ ସେ ଏଇଠି ଦଶାର୍ଣ୍ଣେ ।

ତହିଁ ବହୁ ସରସୀ ଶୋଭନ

ସଲିଳର ନିର୍ମଳିମା ସାଥେ

ଧରି ବୁକେ ଘନ ପଦ୍ମବନ ।

ପଥର ପାଥେୟ ପାଇଁ

ସରସୀରୁ ତୋଳି ପଦ୍ମନାଡ଼

ନେବାକୁ ସେ......

ହୋଇବ ବିଳମ୍ୱ ଟିକେ ।

କିନ୍ତୁ ତୁମେ—

ସାଥୀର ମମତା ବଶେ—

କେବେ ଭାଇ କରିବନି ଡେରି ।

ଭାସି ଯିବ ନିଜ ପଥେ ପଥେ

ସେ ପୁଣି ପଛରୁ ଯାଇ ମିଶିବେ ଯେ ସାଥେ ।

‘‘ଆଗରେ ତୁମର—

ଦଶାର୍ଣ୍ଣର ରାଜଧାନୀ—ବିଦିଶା ନଗରୀ

ସେ ନଗର ହେଲେ ଉପନୀତ

ସବୁ ତୁମ ଚପଳ ତାରୁଣ୍ୟ-ଆଶା

ବିଳାସୀ ପ୍ରାଣର ସବୁ ବିଲୋଳ ବାସନା

ପୂର୍ଣ୍ଣ ହେବ—ପୂର୍ଣ୍ଣ ହେବ ମେଘ !

ବିଳାସର ଲୀଳାକେନ୍ଦ୍ର ସେ ହେ

ସରିଛି ସେଠାରୁ ସବୁ ବିଳାସର ସୀମା ।

ସେ ଲାଗି ବିଦିଶା ଆଜି ଭୁବନବିଦିତ ।

ନଗରୀର ପାଦ ଛୁଇଁ ବହେ ବେତ୍ରବତୀ

ତଟବୀଣା ପରେ ତାର ତରଙ୍ଗ ତାଡ଼ନେ

ଫୁଟି ଉଠେ ସପନର ଅମର ସଂଗୀତ ।

ତୁମେ ତାର ତଟେ ଅବତରି

କରି ମୃଦୁ ମଧୁର ଗର୍ଜନ

ସୁସ୍ୱାଦୁ ସଲିଳ କିଛି କରିଯିବ ପାନ ।

ଭାଇ ମେଘ !

ସେ ବେଳେ ତ ନୁହେ ସେହୁ ନଦୀ ବେତ୍ରବତୀ

ମୁଗ୍‍ଧା ସୌମ୍ୟା ରୂପସୀ ଲଳନା ।

ଚଂଚଳ ତରଙ୍ଗ ତାର—ଭ୍ରୂଭଙ୍ଗୀ ଛଳନା

କଳ କଳ ଗୀତ ତାର—ପ୍ରେମ ସଂଭାଷଣ

ନିର୍ମଳ ସଲିଳ ରମ୍ୟ ଲଳିତ ଅଧର,

ପାଶେ ତହିଁ ତାର ତୁମେ ପ୍ରେମିକ ସୁନ୍ଦର ।

ମୃଦୁ ଗରଜନ ତୁମ—ଚାଟୁ ଆଳାପନା

ସଲିଳର ପାନ ସତେ — ଅଧର ଚୁମ୍ୱନ !

ଏଇ ତ ଯଥେଷ୍ଟ !

ଜାଣ ନି କି ମେଘ !

ଅଶ୍ଳୀଳ ସଂଭୋଗଠାରୁ ଅଧର ଚୁମ୍ୱନ

ବହୁ ମଣେ ବିଳାସୀ ଜୀବନ ।

‘‘ଶୁଣ ଭାଇ !

ତାହାପରେ ଦୂର କ୍ଲାନ୍ତ ପଥେ—

ଲୋଡ଼ା ତୁମ, ନିହାତ୍ ବିଶ୍ରାମ ।

ତହିଁ ସେହି ସହର-ଅଦୂରେ

ଛୋଟ ଛୋଟ ପରବତ ମାଳା

ପୁଷ୍ପପତ୍ରେ କଅଁଳ ବହଳ ।

ବେଶ୍

ଶ୍ରାନ୍ତି ନେବ କଟାଇ ସେଠାରେ !

ବଂଧୁ ତ ତୁମର ଗିରି

ଆଲିଙ୍ଗନେ ନ ଧର ଆନନ୍ଦେ—

କଦମ୍ୱ ଫୁଲର ସ୍ମିଗ୍‍ଧ କେଶରେ କେଶରେ

ରୋମାଞ୍ଚର ଝଡ଼

ଫୁଟି ଯିବ ଅଙ୍ଗେ ଅଙ୍ଗେ ତାର ।

ସେ ପାହାଡ଼େ ବୁଲି ବୁଲି ଦେଖିବ ନୀରଦ

କେତେ କେତେ ଗୁମ୍ଫା କେତେ ପଥରର ଘର

ଓଃ—

ଭାସ୍କର୍ଯ୍ୟ କଳାରେ ମୌନେ ଉଠଇ ଝଲସି ।

ଗିରି ଝରଣାର ଶୀତ ଶୀକରରେ ଭିଜା

ମୁକ୍ତ ବନବାୟୁ ତହିଁ ବହେ ମନ୍ଦ ମନ୍ଦ

ଦେହେ ମାଖି ଫୁଲର ସୁଗନ୍ଧ ।

ନିତି ପ୍ରତି ଗୋଧୂଳିର ସଂଜେ—

ଶତ ନର ନାରୀ ଆସି ବୁଲନ୍ତି ଆନନ୍ଦେ ।

ସହରର ବିଳାସୀ ତରୁଣ—

ନିଜନ ପାଷାଣ-ଗୃହେ—

ରଚେ କେତେ ମଦିର ବିଳାସ ।

ନବୀନା ବାସନାମୟୀ ରୂପସୀ ନିଖିଳ

କେତେ ରଂଗେ ଭାଙ୍ଗି କେଶପାଶ—

ରଙ୍ଗିନ୍ ଶାଢ଼ୀରେ ସବୁ ସୁଷମିତ ବେଶ

ଫେରନ୍ତି ସେ ଶିଳାଗୃହେ—ଗୃହେ

ପ୍ରିୟ ଅଭିସାରେ ।

କିପରି ବିଳାସୀ—ଏଇ ବିଦିଶାର ବାସୀ

ଯଉବନ କେହ୍ନେ ତାଙ୍କ ଉଦ୍ଦାମ ଉଚ୍ଛଳ

ଜାଣିବାକୁ ହେଲେ ସେ ସଂଧାନ—

ନିରେଖି ନିରେଖି ତହିଁ

ଦେଖି ଯିବ ମେଘ !

କେଉଁଠାରେ ପଡ଼ିଥିବ ଦଳା ଫୁଲମାଳା

‘ଭୂରୁ-ଭୂରୁ’ ଗନ୍ଧେ ପୂରି ଉଠୁଥିବ ଘର !

କାହିଁଥିବ ରେଶମୀ ରୁମାଲ

ନାମାଙ୍କିତ ସୁବାସରେ ଭିଜା

ଗନ୍ଧସ୍ପର୍ଶେ ପରାଣ ଉଲ୍ଲସେ ।

କାହିଁ କାହିଁ ଗୋଲାପୀ ପତରେ—

ସବୁଜ ସ୍ୟାହିରେ ଲେଖା ବାସ ପ୍ରେମପତ୍ର

ଥିବ ପଡ଼ି ।

କାହିଁ ବା ସେ ପାଷାଣର

କଳାକାୟ ପରେ

ଗେରୁ କିମ୍ୱା ଖଡ଼ିର ଦାଗରେ

ଥିବ ଲେଖା ପ୍ରଣୟସଂକେତ ।

ଭାଇ ମୋର ।

ଭାବ ଥରେ—

ଏ ସବୁ କି ନୁହେଁ ଦେଖିବାର ??

‘‘ବିଶ୍ରାମର ଶେଷେ—

ପୁଣି ଉତ୍ତରର ପଥେ

ଚାଲିଯିବ ସୁନା ଭାଇ ମୋର

ଭୂମିତଳେ ଛୁଟିଥିବ ବେତ୍ରବତୀସ୍ରୋତ

ସତେ ଅବା ତୁମ ଅନୁଗତ !

ତୀରେ ତୀରେ......

ଶୋଭେ ତାର କୁସୁମ-ଉଦ୍ୟାନ—

ଫୁଲଭରା ଯୂଥିକାର ବୀଥି

ରାଜେ ତହିଁ ଅନେକ ଅନେକ !

ନହୁଲୀ ବୟସୀ କେତେ ‘ମଧୁର ଷୋଡ଼ଶୀ’

‘‘ଫୁଲର କଅଁଳ ହାତେ’’ ତୋଳୁଥାନ୍ତି ଫୁଲ ।

ନାହିଁ ତ କେ ଥାଏ ପାଶେ

ମନକଥା କେତେ ପ୍ରାଣଖୋଲା

ପଡ଼ି ଖାଲି ଉଠୁଥାଏ ହସର ହିଲ୍ଲୋର ।

ସୂର୍ଯ୍ୟଖରା ଲାଗି ତାଙ୍କ ଗୋଲାପର ଗଣ୍ଡେ

ଫୁଟେ ଝାଳ ମଦିରା-ମଦିର ।

ବିରକ୍ତିରେ ବାଳା

ହାତେ ତାରେ ପୋଛିବାକୁ ଗଲେ—

ଥର ଥର ବାଜି ହାତ କାନପଦ୍ମ-ଫୁଲେ

କରିଯାଏ ଅସଂଯତ ତାରେ ।

କିନ୍ତୁ ତୁମେ—

ଭାସିଗଲେ ଗଗନର ତୀରେ

କ୍ଷଣପାଇଁ ଖରାତେଜ ପଡ଼ିବ ମଉଳି

ଆଶ୍ୱସ୍ତିର ଶ୍ୱାସ ନେଇ ବାଳା

ତୋଳି ତୋଳି ସୁନ୍ଦର ଲପନ

ଚାହିଁବେ ତୁମରେ ଅତି ଆପଣାର ପରି ।

ବିନ୍ଦୁ ବିନ୍ଦୁ ବାରି ସିଞ୍ଚି ଯୂଥିକାର ବନେ

ମେଘ ! ତୁମେ ଯିବ ପଥ ବହି

ଛନ୍ଦି ହେବ ନାହିଁ କେବେ ଭାବ-ଭୋର ହୋଇ ।

‘‘ପଥେ ତୁମ ଅଳ୍ପ ବାଙ୍କେ

ପୁରୀ—‘ଉଜ୍ଜୟିନୀ’......

କାଟି ବକ୍ରଗତି ମେଘ

ଉଡ଼ିବ ସେ ଦିଗେ,

ଦେଖିବାର ସ୍ଥାନ ଏକା ତାହା,

ପୁରର ପ୍ରାସାଦମାଳା ଆକାଶ ପରଶି

ବନ୍ଧା ସତେ ଚୁମ୍ୱନ-ବଂଧନେ ।

ଦେଖି ହୁଏ ମନେ—

ଜଘନ ପ୍ରସାରି ସତେ ନଗରୀର ରାଣୀ

ଆସନ୍ତା ଅତିଥି ପାଇଁ କରେ କି ଅପେକ୍ଷା !

ମେଘ ମୋର ଅନୁରୋଧ ବଡ଼—

କ୍ଷଣପାଇଁ ବସି ତା ଜଘନେ—

କରି ଯିବ ସୁଖମୟ କ୍ରୀଡ଼ା ।

ପ୍ରାସାଦର ଅନ୍ତରାଳ ଭରି—

କେତେ ମେଘ ! ରୂପଳା ସୁନ୍ଦରୀ......

ଓଃ—କି ସୁନ୍ଦର ଆୟତ ଲୋଚନ ତାଙ୍କ !!

ତୁମ ବୁକେ ଚମକିଲେ ବିଜୁଳି ଆଲୋକ

ନୟନେ—ନୟନେ

ପ୍ରତିଛାୟା ଉଦ୍‍ଭାସି ତାହାର—

ଫୁଟିଯିବ ଲକ୍ଷ ଶତ ସପନର ଫୁଲ !!!

ସେ ନୟନ

ଯେବେ ମେଘ ନ ଦେଖିବ ଥରେ

ଜନମଟା ସିନା ଅକାରଣ ।

ରାଣ ଭାଇ ! ମୋର

ଭୁଲିବନି ଦେଖିବାକୁ ସେ ଲୋଭନ ଦୃଶ୍ୟ ।

‘‘ପଥେ ବିନ୍ଧ୍ୟ ପାହାଡ଼ୁ ନିର୍ଝରି—

ତଟିନୀ ନିର୍ବିନ୍ଧ୍ୟା ଛୁଟେ

ଉତ୍ତରେ—ଉତ୍ତରେ

ତରୁଣୀ ରୂପସୀ ସମ ତାରୁଣ୍ୟ ବିଭୋରେ

ପାହାଡ଼ିଆ ପଥଟିରେ

କେତେ ପଡ଼େ ଝୁଂଟି ।

ସତେ ମେଘ ! ଦେଖିବାକୁ

କେତେ ତା ସୁନ୍ଦର !!

ଜଳେ ତାର

ଭାସି ଭାସି ଜଳଚର ପକ୍ଷୀ

ତରଙ୍ଗ କମ୍ପନେ—

ତାଳେ ତାଳେ କଳସ୍ୱନ କରନ୍ତି ନିରତ—

ରମଣୀର ଅଳସ ଗମନେ—

ଝୁମୁ ଝୁମୁ ଚନ୍ଦ୍ରହାର ବାଜିଲାର ପରି ।

ଦେଖିବ ନୀରଦ ଥାଇ ଦୂର ଗଗନରେ

ଗମ୍ଭୀର ତା ଜଳେ—

ଆବର୍ତ୍ତର ନାଭି—

କେବେ ଲୁଚି କେବେ ପୁଣି ଦେଖା ଦେଇ ଥରେ

କରୁଥିବ ପରାଣ ପାଗଳ ।

ସେ ଲାଗି ହେ କହୁଛି ତୁମରେ

ନମି ତହିଁ ନିର୍ବିନ୍ଧ୍ୟାର ସାଥେ—

କରିଯିବ ଯାହା ତୁମ ଚୂଡ଼ାନ୍ତ ବାସନା ।

ଭାବିବନି— —

—‘‘ନାହିଁ ତ ସେ ଡାକେ...

କାହିଁକି ମୋ ଏତେ ବା ମମତା !

ଜାଣ ତ ରମଣୀ ପ୍ରାଣ ଲାଜେ ଜରଜର

ପ୍ରଥମ ପ୍ରଣୟ-ଭାଷା ପ୍ରିୟ ପାଶେ ତା’ର

କହିବାକୁ ଲାଜଘୋରେ—ମୁହଁ ନାହିଁ ଖୋଲେ ।

କିନ୍ତୁ ସେ ହେ ଚତୁରତା ବଳେ—

କହିଯାଏ ସେ ଅକୁହା କଥା

ଖାଲି ନିଜ ଭାବ ଭଂଗିମାରେ ।

ନିର୍ବିନ୍ଧ୍ୟାତ ବିବିଧ ବିଳାସେ—

ଅନ୍ତର ତା ଦେଇଥିବ ବାଢ଼ି,

କାହିଁକି ବା ଯିବ ତାରେ ଛାଡ଼ି

‘‘ଆହୁରି ଦେଖିବ—

ବର୍ଷବ୍ୟାପୀ ତୁମରି ବିରହେ

ଶୁଖି ଶୁଖି ନଈ ନୀଳ ଧାର

ବାଲି ପରେ ଥିବ ପଡ଼ି—

‘ବାଳକେରା ପରି’

ପୁଣି ସେଇ ନୀରେ—

ତଟ ତରୁ ବୀଥିକାରୁ ପଡ଼ି କେତେ ପତ୍ର

ପଢ଼ି ସଢ଼ି କରିଥିବ ପାଣ୍ଡୁବର୍ଣ୍ଣ ତାରେ ।

ସେ କି ହାୟ ବିରହିଣୀ ରୂପ !

ବିରହ ଜାଳାରେ ଦେହୁ ମରି ମରି ରକ୍ତ

ପାଣ୍ଡୁ-ଫିକା

ଯାଉଥିବ ଦେଖା !

ଏହା ଭାଇ କପାଳ ରେ ତୋର

କହ ତ ନ ହେଲେ—

ଏଇପରି କେତେଜଣ ପାଇଁ—

କେତେଜଣ ଝୁରୁଥାନ୍ତି ଜୀବନ ସଂକଟେ ?

ଦୁନିଆ ଭିତରେ ଭାଇ ବିରଳ ବିରଳ ।

ତେଣୁ କହେ—

ଦୁଃଖ ତାର ଦୂର—

ଯେ ଉପାୟେ କରିବ ଚଂଚଳ ।

‘‘ତା ପରେ ଉଡ଼ିଲେ ତୁମେ ଉଜ୍ଜୟିନୀ ଲକ୍ଷ୍ୟେ—

ପଥେ ଆଗେ ପଡ଼ିବ ଅବନ୍ତୀ ।

ଦେଖିବ ଗ୍ରାମର ଦାଣ୍ଡ ବାରଣ୍ଡାରେ ବସି

ପୁରୁଖା ପୁରୁଖା ବୁଢ଼ା ପାଞ୍ଚ ସାତ ଜଣ

ଅତୀତର ଦୂରଗାଥା କହୁଥିବେ ହସି—

—କେଉଁପରି—

କୌଶାମ୍ୱୀର ରାଜା ‘ଉଦୟନ’,

ଶତ୍ରୁରୂପେ ବନ୍ଦୀ ହୋଇ ଅବନ୍ତୀ ନହରେ

ବିଶ୍ୱଭୁଲା ଛନ୍ଦେ ବାଇ ବୀଣା

କଲା କିଣା, ପ୍ରାଣ ଅବନ୍ତୀ ଜେମାର ।

ରାଜଜେମା

ନ ମାନି ବାପର ବାଧା

ତାରେ କଲା ବିଭା ।

ଆହା ପ୍ରେମେ କାହିଁ ମ୍ଳାନ ଅହଂକାର !

ପ୍ରେମ ପରା ଶାଶ୍ୱତ ନିର୍ମଳ !

ଶୁଣି ଶୁଣି ବିଶ୍ୱରାଜ ପ୍ରେମର ଜୟନ୍ତୀ

ପ୍ରବେଶିବ—ଉଜ୍ଜୟିନୀ ନଭେ ।

ଅବନ୍ତୀର ରାଜଧାନୀ ସେ ହେ

ଚିର ସମୃଦ୍ଧିଶାଳିନୀ ।

ଭାଷା-ଚିତ୍ରେ ମେଘ ତାର ନ ହେବ ଚିତ୍ରଣ ।

କହିପାରେ ସଂକ୍ଷେପି ଏତିକି—

ମାଟିର ମହୀରେ ସେ ହେ ସୁନ୍ଦର ସରଗ ।

ଭୁଂଜି ଭୁଂଜି ଭୋଗ

ପୁଣ୍ୟ ହେଲେ ଅଳ୍ପତର

ମର୍ତ୍ତ୍ୟକୁ ଆସନ୍ତି ଯେଉଁ ସ୍ୱର୍ଗଫେରା ଦଳ

ସେଇମାନେ—

ଅବଶେଷ ପୁଣ୍ୟ ବିନିମୟେ—

ଆଣି ଅଛନ୍ତି ତ ଭାଇ ! ସ୍ୱର୍ଗରୁ ଖଣ୍ଡିଏ ।

‘‘ଭାଇ ନୀରଧର !

ନିତି ନିତି ନିଶୀଥିନୀ ହୋଇଲେ ପ୍ରଭାତ,

ଶିପ୍ରା ନଦୀ ସ୍ରୋତଛୁଆଁ ଶିଶିର ବତାସ

ଅଙ୍ଗେ ବୋଳି କମଳର ଶୁଭ୍ର ପରିମଳ

ଭସାଇ ଦୂରରୁ ଦୂରେ—

ହଂସମାଳା ଗାନ

ବୁଲି ପୁରେ ପୁରେ

ନିଶାଶ୍ରମ-କ୍ଲାନ୍ତ ଅଙ୍ଗନାର

ଶ୍ରାନ୍ତ ଅଂଗୁ କ୍ଲାନ୍ତି କରେ ଦୂର ।

କରେ ଯଥା—ପ୍ରିୟତମ

ରମଣର ସ୍ୱପ୍ନଲୀଳା ଶେଷେ

ପ୍ରିୟାର କାହାଲା ଅଂଗେ ଧୀରେ ଚାଳି କର

କହି କଥା ଭୁଲାଣ-ମଧୁର !

‘‘ଆହୁରି କହୁଛି ମେଘ ! ତୁମର ବି ତହିଁ

ଲାଭ କିଛି କମ୍ ନାହିଁ ନାହିଁ ।

ପ୍ରାସାଦର କକ୍ଷେ କକ୍ଷେ

ବିଳାସ ବିଭୋରା ନିଜନ ଏକାନ୍ତେ କେତେ ସୀମନ୍ତିନୀ ବାଳ

ଗହଳ କବରୀ କରି ଆପାଦ-ମୁକୁଳା

ଗନ୍ଧଧୂପ ଦେଉଥିବେ ତହିଁ ।

ସେଇ ଧୂପ ସଉରଭ-ବୋଳା

ବିନିସରି ବାତାୟନ-ପଥେ

ଯିବ ଆସି,

ତୁମରେ ପରଶି ।

ଚକିତେ ଉଠିବ ଫୁଲି ନୀଳ ତନୁ ତବ ।

ଘରପୋଷା ମୟୂର ନିଖିଳ

ଦୂର ନଭେ ନିରେଖି ସେ ରୂପେ

ଖୋଲି ନିଜ ରେଶମୀ ଚନ୍ଦ୍ରିକା

ଦେଖାଇବେ—

କେତେ ଆତ୍ମ-ବିସୋରା ନର୍ତ୍ତନ ।

ତୁମେ ତହିଁ

ପଥକ୍ଲାନ୍ତି ହରିବାର ଲାଗି

ମନୋମତ ଚାରୁହର୍ମ୍ୟେ କରିବ ବିଶ୍ରାନ୍ତି ।

ଯହିଁ ମେଘ !

ଲଳିତ ଚରଣେ ଲାକ୍ଷା ଆଲେପି ଲଳନା

ଏଣେ ତେଣେ ଚାଳୁ ଚାଳୁ ପଦ

ରଂଜିତ ଚରଣ ଚିହ୍ନ ପଡ଼ି ଗୃହମୟ

କରିଥାଏ ତାରେ ଶୋଭାବହ ।

ସୁନ୍ଦରୀ ସୁନ୍ଦର ତନୁ ସାଜିବାର ଲାଗି

ନାନାବିଧ ଫୁଲେ ଥାନ୍ତି

ଅଳଙ୍କାର ରଚି

ମହ ମହ ସୁବାସ ତାହାର

କରିବ ହେ ତୁମରେ ବିଭୋର ।

‘‘ଉଜ୍ଜୟିନୀ ମଧ୍ୟଦେଶେ—

ସ୍ରୋତସ୍ୱତୀ ‘ଗନ୍ଧବତୀ’ କୂଳେ

ମହାକାଳ ନାମେ ସ୍ଥାନେ

ରାଜେ ତହିଁ ହରଗୌରୀ ମନ୍ଦିର ପବିତ୍ର ।

ସେ ସ୍ଥାନଟି ଅଟେ ଭାଇ ! ବଡ଼ ପ୍ରାଣଭୁଲା

ନଈ ତୁଠେ—

ସ୍ନାନ ଘାଟେ—

ରୂପମୟୀ ବିଳାସ-ବିଭୋରା

ପୁରର ତରୁଣୀ

ଲାବଣ୍ୟ ଉଚ୍ଛଳ ଅଙ୍ଗେ

ଲିପି କେତେ ସୁବାସିତ ତୈଳ

କେତେ ପୁଣି ଗନ୍ଧ ଆଲେପନ

କରନ୍ତି କୌତୁକ କ୍ରୀଡ଼ା

ସଜଫୁଟା ପଦ୍ମେ ଭରା ସେଇ ନଦୀଜଳେ ।

ଦୂରବନୁଁ ଭାସି ଆସିସଧୀର ପବନ

ନୀଦଜଳୁ ସୌରଭ ଆହରି,

ଭସାଇ ଭସାଇ ସୁଏ ବାସପଦ୍ମରେଣୁ

ଉଦ୍ୟାନର ଲତା-ବୀଥିକାରେ,

ମନସୁଖେ କେତେ ଖେଳେ

ବିଭୋର ପରାଣେ ।

ତୁମେ ତହିଁ ଘୋଟିଲେ ଆକାଶ

ନୀଳକଣ୍ଠ-କଣ୍ଠକଳା ବୋଲି—

ଅମାପ—ଆଦରେ—

ଚାହିଁବେ ତୁମରେ ସବୁ ଶିବ ଅନୁଚରେ ।

ଏ କି ମେଘ ! କମ୍ ଭାଗ୍ୟ ତୁମ ?

‘‘ମନେ ରଖ—ମନେ ରଖ ଭାଇ ।

ସଂଜ ଛଡ଼ା ଯେବେ ଅନ୍ୟବେଳେ—

ପହୁଞ୍ଚ ହେ ସେଇ ମହାକାଳେ,

ତପନର ଶେଷ ରଶ୍ମି ଲୁଚିଲା ପର୍ଯ୍ୟନ୍ତ,

ଦୂରେ ଟିକେ କରିବ ଅପେକ୍ଷା ।

ଦିନାନ୍ତେ ଆସିବ ଶିବ ଆରତିର ବେଳା

ତେତେବେଳେ ତୁମେ—

ମନ୍ଦ୍ର ମଧୁର କଣ୍ଠେ କରି ଗରଜନ

ନିର୍ବାହିବ—

ଆରତିର ଶୁଭ ଶଙ୍ଖସ୍ୱନ ।

ତେବେ ମେଘ !

ସାର୍ଥକ ହୋଇବ ତୁମ ବିଶ୍ୱସ୍ପର୍ଶୀ ରବ ।

ଚିର ଭୋଳା ହେବେ ବି ପ୍ରସନ୍ନ ।

‘‘କି ଲୋଭନ ସେ ଆରତି ମେଘ !

ରୂପମୟୀ ଦେବଦାସୀ ଦଳ

ସୁକୁମାର ହାତେ ଚାଳି ସୁରମ୍ୟ ଚାମର

ଚାରୁ ପ୍ରାଚ୍ୟ ନୃତ୍ୟେ ଥାନ୍ତି ମଜ୍ଜି ।

ତାଳେ ତାଳେ କଟିତଳେ—

ଝୁଲେ ଚନ୍ଦ୍ରହାର,

ରୁଣୁ ଝୁଣୁ ଶବଦ ସୁନ୍ଦର......

ଢଳ ଢଳ ସେ ଚାମର ଉଜ୍ଜ୍ୱଳ ଦଣ୍ଡରେ

ହାତଭରା ଅଳସ ଗହଣା,

ରଙ୍ଗିନ୍ ରତ୍ନର ଛାୟା-ଛବି ଅବିରଳେ

ଚକିତେ ଖେଳାଇ—

ସ୍ୱପ୍ନେ କିବା ଯାଏ ରୂପ ଦେଇ ! !

ନୃତ୍ୟଭୋର ରମଣୀର

ପଦନଖ ବାଜି ପଦେ କରିଯାଏ କ୍ଷତ ।

ଶ୍ରମଝାଳେ କ୍ଷଣେ ତାହା

ପୁଣି ଉଠେ ଜଳି ।

ତେତେବେଳେ ଭାଇ !

ଟୁପୁ ଟୁପୁ ବର୍ଷାବିନ୍ଦୁ ଦୁଇ ଚାରି ଟୋପା

ସିଞ୍ଚି ଦେବ ତୁମେ ଦୟା କରି ।

ପଡ଼ି ତାହା କ୍ଷତ ସ୍ଥାନେ ସ୍ଥାନେ

ଉପଶମ କରିଦେବ ଜ୍ୱାଳା

ତେଣୁ ବାଳା—

ଚିର କୃତଜ୍ଞତା-ବୋଳା ଆଡ଼ ଚାହାଣିରେ

ଚାହିଁବେ ତୁମରି ଆଡ଼େ ମେଘ ଥରେ ଥରେ ।

ଦେଖିବ ତୁମେ ସେ ଡୋଳା—

ଭଅଁରର କଳା—

ଏକ ପରେ ଆଉ ଏକ ପରି

ତୁମ ଦିଗେ ଆସେ ସତେ ଉଡ଼ି !!!

‘‘ଜାଣିଛ ତ ମେଘ !

‘ଗଜାସୁରେ’ ମାରି ହର

ରଖିଛନ୍ତି ଚର୍ମଖଣ୍ଡି ତାର ।

ସଦା ତାହା ରକ୍ତରେ ରକ୍ତାକ୍ତ

ଅବିରଳ ତହୁଁ ରକ୍ତ ବିନ୍ଦୁ ବିନ୍ଦୁ ଗଳେ ।

ନିତି ନିତି ତାଣ୍ଡବ ଆରମ୍ଭେ—

ଊର୍ଦ୍ଧ୍ୱବାହୁ ନଟରାଜ ତୋଳି ତାହା ଶିରେ

ବିଶ୍ୱଥରା ନୃତ୍ୟେ ଯାନ୍ତି ମାତି ।

ନିତିକାର ଅଭ୍ୟାସ ଏ ତାଙ୍କ—

ଶିରପରେ ନ ଦେଖିଲେ ଚର୍ମ ଲୋହିତିମା

ନ ପାଇଲେ ଝରାବିନ୍ଦୁ ସ୍ପର୍ଶ

ନୃତ୍ୟନିଶା ଜମେ’ନା ତାଙ୍କର ।

କିନ୍ତୁ ମେଘ !

ସେ ରୁଦ୍ର-ସୁନ୍ଦର ଦୃଶ୍ୟେ ଗିରିରାଜଜେମା

ପାଆନ୍ତି’ନା ଦେଖିବାକୁ ଭଲ

ଭୟେ ଆଖି ହୋଇଯାଏ ବୁଜି ।

ତୁମେ ଭକ୍ତ ଭବପତ୍ନୀଙ୍କର

ସେ ଭୟରେ ରଖିବାକୁ ଦୂରେ

ଅଙ୍ଗେ ଲିପି—

ସାନ୍ଧ୍ୟାଲୋକ ଜବା-ଅରୁଣିମା !

ଝାରି ଝାରି ବିନ୍ଦୁ ବିନ୍ଦୁ ବାରି

ରହିବ ଶଙ୍କରଙ୍କର ଊର୍ଦ୍ଧ୍ୱକର ପରେ ।

ତେବେ ମେଘ !

ଗଜଚର୍ମ ବିନା ବେଶ୍‍ ଚଳିବ ତାଣ୍ଡବ

ଭୟୁଁ ରକ୍ଷା ପାଇବେ ଭବାନୀ ।

ଢାଳିଦେବେ ତୁମ ପରେ ଥିର କୃପାଦୃଷ୍ଟି

ସେ ସମ୍ପଦୁ ବଳିଆଉ କି ଲୋଡ଼ା ତୁମର !!!

‘‘ମନ୍ଦିରେ ପହୁଡ଼ ହେବ ତୁମେ ଯିବ ଫେରି

ଉଜ୍ଜୟିନୀର ଆକାଶ ପଥେ ଘୂରି ଘୂରି

ଦେଖିବ ନୀରଦ ସବୁ କଳା ଗାଢ଼ କଳା...

ତଳେ ତା ଯାଇଛି ହଜି—

ପୃଥିବୀର କୂଳ ଓ କିନାରା,

ଅନ୍ଧାର ନିଝୁମ ରାତି...ଆଚ୍ଛନ୍ନ ସରଣୀ...

ପ୍ରିୟ ଅଭିସାର ଲାଗି ସାଜି ପାଗଳିନୀ

କେତେ ହେ ଲଳନା

ଛୁଟିଥିବେ ସଂକେତର ସ୍ଥାନେ ।

ଦକ୍ ଦକ୍ ପଡ଼େ ହିଆ ଡରେ

ତଥାପି ସେ ଆକର୍ଷଣ ଲାଗିଛି ପ୍ରାଣରେ ।

ବାଟଭୁଲା ପାଦ ତାଙ୍କ ଅବାଟେ ପଡ଼ଇ

ବିଳମ୍ୱେ ତ ଜୀବନ ଜଳଇ ।

ଅନୁରୋଧ—ତୁମେ ମେଘ !

ହେବନି ନିଠୁର

ନ କରିବ ବର୍ଷାସାଥେ

ଗରଜନ ଘୋର ।

ଜାଣନି କି ପ୍ରାଣ ତାଙ୍କ ଭୟେ ଜଡ଼ ସଡ଼

ପତ୍ରଟିଏ କାହିଁ ଯେବେ ଖସ ଖସ କରେ

ଚାରିଥର ଚମକନ୍ତି ଡରେ

ଖାଲି ସିନା ଚାଲିଥାନ୍ତି ବାସନାର ଜୋରେ ।

ଦୟା କରି ତାଙ୍କ ପରେ ଭାଇ !

କଷଟି ପଥରେ ସ୍ନିଗ୍‍ଧ ସ୍ୱର୍ଣ୍ଣରେଖା ସମ

ଆପଣାର କଳା ଦେହେ ତୁମ

ସୌଦାମିନୀ ସ୍ୱର୍ଣ୍ଣଦୀପ୍ତି କରି ଚମକିତ

ଆଖିଦେଖା କର ତାଙ୍କ ପଥ ।

‘‘ଶେଷେ ଯେବେ ଚମକି ଚମକି

ଚପଳାର ପ୍ରିୟା ତୁମ

ପଡ଼ିବ ହେ ଥକି

କ୍ଲାନ୍ତି ତାର କଟାଇବା ପାଇଁ

ଉଚ୍ଚ ପ୍ରାସାଦର ଛାତ ଖୋଜି ନେବ ଭାଇ !

ଶୋଇଥିବେ ଯହିଁ ମେଘ ଦେଉଳିଆ ପାରା

ସେଇ ଥାନ ଅତି ନିରଜନ

ବୁକେ ଥାପି ପ୍ରେୟସୀର କ୍ଲାନ୍ତ ତନୁଲତା

ତହିଁ ମେଘ ଯାପିବ ଯାମିନୀ ।

ସିନ୍ଦୁରା ଫଟାଇ ସୂର୍ଯ୍ୟ ଉଇଁଲେ ପୂରୁବେ

ଅଳକାର ଅବଶେଷପଥେ—

ପୁଣି ହେବ ଯାତ୍ରୀ......

ବଂଧୁକାର୍ଯ୍ୟେ ହୋଇ ବ୍ରତୀ—

କେହି କେବେ ହୁଏ ଦୀର୍ଘସୂତ୍ରୀ ?

‘‘ରଜନୀ ହୋଇଲେ ଭୋର

ଶେଷ ଅଭିସାର......

ଘରେ ଫେରେ ଗୋପନପ୍ରଣୟୀ ।

ଘରେ ଏଣେ ଘରର ଘରଣୀ

ଚାହିଁ ଚାହିଁ—

ସାରା ରାତି ଜମା ନିଦ ନାହିଁ ।

ଗୁଣମନ୍ତଙ୍କର ଗୁଣ ଜାଣି ପାରି ଶେଷେ

ମରମେ ଜଳଇ ଜ୍ୱାଳା ।

ରାଗେ ତମ ତମ

ଅଭିମାନେ ଫଣ ଫଣ ମୁହଁ

ବୁକୁ ତିନ୍ତି ବହେ ଲୁହ,

ମାନେ ନାହିଁ ବାଧା ।

ତୋରା କାନ୍ତି ପଡ଼ଇ ମଉଳି

ଝରା ଫୁଲ ସମ ।

ଚାହେଁ ନାହିଁ ଫେରା ପ୍ରିୟେ

କହେ ନାହିଁ କଥା ।

ଜାଣି ପାରି ପ୍ରିୟ—

ମନଭୁଲା କହେ କଥାକେତେ

ପିନ୍ଧାବାସେ ପୋଛିଦିଏ ଲୁହ ।

କେତେ ରାଣ ନିୟମ ପକାଇ

ଆପଣାର ନିର୍ଦ୍ଦୋଷତା କରଇ ପ୍ରମାଣ ।

ଜାଣିଛ ତ—

ସୂର୍ଯ୍ୟ ଚିର-ପ୍ରିୟ ପଦ୍ମିନୀର—

କିନ୍ତୁ ହେଲେ ସଂଜ

ମନେ ପଡ଼େ କାର ଅଭିସାର—

ଦେବତା ସାଜନ୍ତି ଆମ ଗୋପନ-ପ୍ରେମିକ ।

ସଂଜରୁ ସକାଳ ଯାଏ ବିଚାରି ପଦ୍ମିନୀ

ଏକୁଟିଆ ପଡ଼ି ରହେ ନୀରେ ।

ପ୍ରିୟକଥା ଭାବି ତାର

ପୋଡ଼ିଯାଏ ହିୟା

ନିଶାର ନୀହାରଛଳେ

ଲୁହ ଜାଗେ ନୟନର ତୀରେ ।

ଫସର ଫାଟିଲେ ରାତି

ଅସମ୍ଭାଳେ ସୂର୍ଯ୍ୟ

ଆସି କରେ ପୋଛନ୍ତି ତା ଲୁହ

ବିଧୂରାର ଦୁଃଖ ଯେତେ ଦିଅନ୍ତି ଭୁଲାଇ ।

ସାବଧାନ ସାବଧାନ ମେଘ !

ତେତେବେଳେ ଚଂଚଳ ଚଂଚଳ

ଆଗୁଁ ତାଙ୍କ ଯିବ ଅପସରି ।

ପଥ ଯେବେ ରହିବ ହେ ରୋଧି

ଲାଗି କ୍ରୋଧ-ନିଆଁ

ଜଳିଯିବ ଦେବତାର ହିୟା ।

ଅସରନ୍ତି ଦେଖି ଦୁଃଖ ମୋର

ଜାଣୁ ନାହିଁ—

ଦେବ-କୋପ କେଡ଼େ ଭୟଙ୍କର ।

‘‘ଖଣ୍ଡେ ଦୂର ଗଲେ ପୁଣି ଭାସି

ଆଗେ ବହେ ତଟିନୀ ‘ଗମ୍ଭୀରା’

ସତୀନାରୀମନ ପରି ନିରିମଳ ଜଳ ।

ପ୍ରିୟ ରୂପ ଭାସେ ଯଥା—

ସଦାସତୀ-ମାନସ-ମୁକୁରେ

ସେଇ ପରି ତୁମ ଛାୟାରୂପ

ତୁମ ଅନିଚ୍ଛାରେ—

ଆପେ ଆପେ ଭାସିବ ହେ

ନୀଳ ନଈଜଳେ ।

ନଈଜଳ—

କଳା ଘୁମର ପାଲଟି ଦିଶିବ ଗମ୍ଭୀର

ମନେ ଭୟ ପାଇ—

ଚମକିବେ ମୀନ ମାଛ

ଡେଇଁ ଥରେ ଥରେ

ଦେଖାଇବେ କଇଁଫୁଲ ଧଳାରୂପ ତାଙ୍କ ।

ଆହା !—

ନଈଟିର ସେ କି ଆଡ଼ଚାହାଣି ଚମକ

ତୀର ପରି ଲାଗି ପ୍ରାଣେ—

ହାଣି ତୁମ ଦମ୍ଭ ।

ଥକିତ କରିବ ପାଦ !!

ତୁମେ ତାରେ ପାରିବନି ଲଂଘି ।

‘‘ପୁଣି ମେଘ !

ଭଲ କରି ଦେଖିଲେ ନଈରେ

ମନେ ହେବ ସେକି ସତେ—

ପ୍ରଣୟ-ଆତୁରା

ଦରନଗ୍ନା ତରୁଣୀ ବିଭୋରା

ତଟତଳ ବାଲିଚରା ସତେ ତାର କଟି

ନୀଳ ଜଳ—ନୀଳ ଶାଢ଼ୀ—

ତଳେ ଯାଏ ଲୋଟି !!

ଦୁଇ କୂଳୁଁ ଦୋଳି ବେତଲଟି

ସ୍ରୋତେ ଯାହା ଛୁଏଁ ଥରି ଥରି

ସେ କି ତା ଚକିତ ହାତ

ଶ୍ଳଥ ବାସ ଟାଣିବାରେ

ବ୍ୟସ୍ତ ଅବିରତ !!!

ଭାବୁକ ହେ !

କଳ୍ପନାନୟନେ ଏଇ ପ୍ରାଣଭରା ଦୃଶ୍ୟ ।

ଦେଖି ଶେଷପଥ

ଗମିବ ଅବଶ୍ୟ ତୁମେ କୁଣ୍ଠିତ ଚରଣେ ।

କିଏ ବା ନଜାଣେ—

ଭୁକ୍ତଭୋଗୀ ନଗ୍ନ ଜଘନାରେ

ଛାଡ଼ିବାକୁ ଉଦାସୀ ନିରତ ।

ତେବେ—

ବଂଧୁକାର୍ଯ୍ୟେ ଅନୁରୋଧ ତେଜି ଯିବ ସିନା

ମନେ କିନ୍ତୁ ରହିଯିବ ଦୁଃଖ ।

ସେଇ ଦୁଃଖଦାଗ ମନୁଁ—

ପୋଛିବାର ଲାଗି—

ନେବ ହରି ନଈ ନୀଳଶାଢ଼ୀ ।

ବିଦାୟବେଳରେ ମେଘ !

ନବ ପ୍ରେୟସୀର

ଅଭିନବ ଅଂଗୁଁ ପିନ୍ଧାବାସ—

ଫେଇ ଦେଖିଥିଲେ ନଗ୍ନ ମୂରତି ମଦିର

ବାଧେନି ବିରହବାଧା ।

‘‘ତୁମ ବର୍ଷାସ୍ପର୍ଶେ ମେଘ ! ତୁମ ବର୍ଷାସ୍ପର୍ଶେ

ଧରା ବୁକୁଁ ଗଭୀର ଉଚ୍ଛ୍ୱାସେ—

ଉଠି ନବ ଆକୁଳ ସୌରଭ

ମିଶିଯିବ ସେ ଭିଜା ବତାସେ ।

ବନେ ବନେ ବନହାତୀ ପଲ

ଧରି ତାରେ ଶୁଣ୍ଡବିଳେ

ପିଇବାର ବେଳେ—

ମଧୁର ଆରବ ଉଠି ପୂରାଇବ ଦିଶ ।

ଉଦୁମ୍ୱର ବନେ ପୁଣି ବାଜି ସେ ପବନ

କଞ୍ଚା ଫଳେ ପଚାଇ ନିମିଷେ

ନେଇ ଗନ୍ଧ ଉଠିବ ଆକାଶେ ।

ଶୀତଳ ସୁଗନ୍ଧ ମନ୍ଦ—

ସେ ପବନ ସ୍ପର୍ଶେ

ନିଖିଳ ଗ୍ଲାନି ତୁମର ଭାସିଯିବ ଦୂରେ ।

—ଆଗେ ତୁମ ଦିଶେ —‘‘ଦେବଗିରି’’

ଯିବା ଲାଗି ହୋଇବ ଉଦ୍ୟତ ।

‘‘ସେ ଦେବଗିରିରେ ମେଘ !

କାର୍ତ୍ତିକେୟ—ବାସ

ଜାଣ ତାଙ୍କ ପରିଚୟ ଜନ୍ମ ଇତିହାସ ?

ବହୁ ଦିନ ତଳେ—

‘ତାରକ’ ଅସୁର ପୀଡ଼ା ବିହିଲା ଅମରେ

ତାରେ ହତ୍ୟା କରିବାର ଲାଗି

ହେଲା ପ୍ରୟୋଜନ

ଏକ ସେନାପତିଙ୍କର ।

ପ୍ରଭୁ ଚନ୍ଦ୍ରମୌଳି

ସୂର୍ଯ୍ୟତେଜ—ନିନ୍ଦୀ ନିଜ ତେଜ —

ହୁତାଶନ—ମୁଖେ ଦେଲେ ଢାଳି ।

ସେଇ ତେଜ ରୂପାୟିତ

କାର୍ତ୍ତିକେୟ ରୂପେ ।

ଯା ରଣ କୌଶଳେ—

ସରଗ ଭାସିଲା ଶାନ୍ତି ଅମର ହିଲ୍ଲୋଳେ ।

ତହିଁ ତୁମେ ମେଘ !

ସାଜି ଫୁଲ ମେଘ

କର ଫୁଲ-ପାଣିର ବରଷା ।

କାମରୂପ ତୁମେ

ଏତ ତୁମ ନୁହଁ ଅସମ୍ଭବ !

ଫୁଲଜଳେ ହୋଇ ଅଭିଷେକ

କାର୍ତ୍ତିକେୟ ହୋଇବେ ପ୍ରସନ୍ନ ।

‘‘ତାହାପରେ ମେଘ !

ମନ୍ଦ୍ରଘୋର ମଧୁର ଆରବେ

ଗାଇବ ସଂଗୀତ ସେଇ

ଦେବଗିରିଚୂଳେ ।

ଗିରିର ଗମ୍ଭୀର ଗୃହା ଭେଦି ପ୍ରତିଧ୍ୱନି—

ବାଜିବ ହେ ଦ୍ୱିଗୁଣ ଗମ୍ଭୀରେ ।

ସେ ଆରବେ କୁମାର ମୟୂର

ଚାରୁ ଚନ୍ଦ୍ରିକା ନିଖିଳ କରି ମୂକୁଳନ

ନୃତ୍ୟଭୋରେ ଭୁଲିବ ନିଜରେ ।

ହେରି ତାହା ହରଗୌରୀ ହେବେ ଆନନ୍ଦିତ ।

ପୁତ୍ରର ମମତା ଲାଗି

ଗୌରୀ—ମା’ଙ୍କର

ଭାରି ସ୍ନେହ-ପାତ୍ର ସେ ମୟୂର !

କେବେ ଯେବେ ଝରେ ପୁଚ୍ଛ ତାର

ଅତି ସ୍ନେହେ ଉଠାଇ ଆଦରେ

ପଦ୍ମର ପାଖୁଡ଼ା ସାଥେ ଲଗାନ୍ତି କର୍ଣ୍ଣରେ ।

ଶିବ ତାକୁ ରଖିଥାନ୍ତି ଆଖି ଆଗେ ସଦା ।

ଲଲାଟ-ଇନ୍ଦୁରୁ ଗଳି ଗଳି ଜ୍ୟୋତ୍ସ୍ନା-ଧାରା

ତା ନେତ୍ର ଅପାଙ୍ଗେ ଧୋଇ—

କରେ କେଡ଼େ ତୋରା !!

‘‘ଛାଡ଼ି ଦେବଗିରି ମେଘ ଉଡ଼ିବ ଗଗନ

ପଥେ ପଥେ କେତେ ସିଦ୍ଧ ତରୁଣୀ ତରୁଣ

ଆସୁଥିବେ ହାତେ ବାଇ ବୀଣା,

ଭାସୁଥିବ ମଧୁର ମୂର୍ଚ୍ଛନା ।

କିନ୍ତୁ ଭାଇ !

ଆକାଶରେ ତୁମ ରୂପ ଦେଖି

ଆଦରର ବୀଣା ଓଦା ହୋଇଯିବା ଡରେ,

ପଳାଇବେ ଅତି ତରତରେ—

ଆଉ କିଛି ଆଗେ—

‘ଚର୍ମଣ୍‍ବତୀ’ ସ୍ରୋତେ ରଚେ ଗତି ।

ଶୁଣିଛ କି ତା କାହାଣୀ ମେଘ !

‘ରନ୍ତିଦେବ’ ଦଶପୁର ରାଜା

କଲେ ଯଜ୍ଞ ଅତ୍ୟନ୍ତ ଅପୂର୍ବ

ସଂଖ୍ୟାହୀନ ଗୋରୁ ତହିଁ

ଲଭିଲେ ଆହୁତି ।

ପାହାଡ଼ ପରି ଉଠିଲା ଚମଡ଼ାର ସ୍ତୂପ

ତଳୁ ତାର ନିଗିଡ଼ି ଶୋଣିତ

ସ୍ରୋତେ ମେଘ ହେଲା ରୂପାୟିତ ।

ସେଇକାଳୁ ବହୁଅଛି ଏଇ ଚର୍ମଣ୍‍ବତୀ—

ରନ୍ତି ରାଜା ଅକ୍ଷୟ କୀରତି ।

‘‘ନମି ତୁମେ ତହିଁ—

ପବିତ୍ର ତା’ ଜଳ ଯିବ ଛୁଇଁ ।

କାହ୍ନୁ କଳା କାନ୍ତିପରି କାନ୍ତି ତୁମ କଳା

ନାମିବାର ବେଳେ—

ଭାସି ଭାସି ଜଳେ—

ଫୁଟାଇବ ଶୋଭା ଅପୂରୁବ ।

ନଭପରେ ନଭୋବାସୀ ଗଣ

ନଦୀଧାର ହେଲେ ବି ବିରାଟ

ଦିଶୁଥିବ ତାଙ୍କୁ ଅତି କ୍ଷୀଣ

ଦୃଷ୍ଟି ପରେ ଦେଇ ଖୁବ୍ ଯୋର

ଦେଖିବେ ସେ ଏତିକି କେବଳ—

ଧରଣୀର ଗଳେ ମୁକ୍ତାହାର-ନଈଧାର

ମଧ୍ୟେ ତାର—

ତୁମେ ଭାଇ ମଣି-ଇନ୍ଦ୍ରନୀଳ ।

କେତେବଡ଼ ଅମୂଲ୍ୟ ଧାରଣା ତାଙ୍କ

ତୁମ ପରେ ନାହିଁ ହେବ ମେଘ !

‘‘ଲଘିଂ ନଦୀ......

ସିଧା ସିଧା ଯିବ ଦଶପୁରେ ।

ସେ ନଗର କୁଳବଧୂ

ଉଚ୍ଚାଟ ନୟନେ

ତୁମ ରୂପେ ଚାହିଁବେ ଆକୁଳେ ।

ଦେଖିବ ହେ ନେତ୍ରପକ୍ଷ୍ମ ତାଙ୍କ

ପଲକ ପାଶୋରି ସଦା ଥିବ ଉନ୍ନମିତ ।

ଶୁଚି ଶୁଭ୍ର ନୟନପଟଳ—

ପରେ ନାଚି ଉଠୁଥିବ କଳାଭୂରୁରେଖା

ସେ ସୌନ୍ଦର୍ଯ୍ୟ ଦେଖି ହେବ ମନେ

ଫିଙ୍ଗି କେ ଦିଏ କି ସତେ ଧଳା କୁନ୍ଦଫୁଲ

ପଛେ ତା’ ଦଉଡ଼ି ଧାଏଁ କଜ୍ଜଳ ଭଅଁର !!

କୁତୂହଳେ ଢଳ ଢଳ

ସେ ଯେଉଁ ନୟନ

ସୃଷ୍ଟି କରିପାରେ ଏତେ ସୌନ୍ଦର୍ଯ୍ୟ ଲୋଭନ,

ସେ ନୟନ-ପଥେ—

ଦେଇ ଦେଖା ଭଲ ରୂପେ

ଯାଅ ଆଉ ଆଗେ—

‘‘ଆଖି ଆଗେ—ବ୍ରହ୍ମାବର୍ତ୍ତ ଚିର ପୁଣ୍ୟମୟ ।

ସେ ଦେଶେ ବିଛାଇ ତୁମ

ସାନ୍ଦ୍ର ଦୀର୍ଘ ଛାୟା

ଦେଖି ଦେଖି ଜନପଦ ନିସର୍ଗ-ସୁଷମା ।

ବହି ଗଲେ ପଥ

ଆଗେ ତୁମ—ଭୀମ କୁରୁକ୍ଷେତ୍ର ।

ଏଇ ସେଇ କୁରୁକ୍ଷେତ୍ର ମେଘ !

ଯହିଁ ବିଶ୍ୱବିଜୟୀ ଅର୍ଜୁନ

‘ଗାଣ୍ଡୀବ’ ଧରି ତା’ କରେ—

ଶତ ଶତ ତୀକ୍ଷ୍‍ଣ ମୁନା ଶରେ

ରାଜମଥା କେତେ ଅଗଣିତ

ଭୂଇଁତଳେ କରିଲା ପାତିତ ।

ଲକ୍ଷ ଶତ କରକା ଆଘାତେ—

କଅଁଳ କମଳ ଦଳେ

ତୁମେ ଠିକ୍ କଲା ପରି ଧ୍ୱସ୍ତ ।

‘‘ଭାରତର ସର୍ବନାଶୀ ଏଇ ମହାଯୁଦ୍ଧେ—

କୌରବ—ପାଣ୍ଡବ—

ଉଭୟଙ୍କ ବଂଧୁସ୍ନେହ ଅବ୍ୟାତହ ରଖି

ନିରପେକ୍ଷ ଦେବ ହଳଧର ।

ହେଲେ ମେଘ ! ସମର-ଉଦାସୀ ।

ସରସ୍ୱତୀ ତୀରେ ଯାଇ ରଚିଲେ ସମାଧି ।

ଏତେ ପୂତ ତୀର ତାର

ଏତେ ପୂତ ଜଳ

ପ୍ରାଣେ ଦିଏ ଗଭୀର ନିର୍ଲିପ୍ତି—

ଦୂରେ ଠେଲି ଜଂଜାଳ ନିଖିଳ ।

ସମାଧିରେ ବଳରାମ ଅତି ଭୋଳ ହୋଇ

ଭୁଲିଗଲେ ସବୁ ।

ପ୍ରିୟତମା ରେବତୀ ବି ପଡ଼ିଲେନି ମନେ ।

କୋଳେ ନେଇ ପ୍ରାଣର ପ୍ରେୟସୀ

ପାତ୍ରେ ଦେଖି ସ୍ନିଗ୍‍ଧ ନେତ୍ର-ଚ୍ଛାୟା

ପିଅନ୍ତି ସେ ନିତି ଯେ ମଦିରା

ସେ ବି ମନୁଁ ହୋଇଲା ପାଶୋର ।

ମାନି ଅନୁରୋଧ—

ତହୁଁ କିଛି ଜଳ, ପାନ କରିଯିବ ଭାଇ ।

ପବିତ୍ର ତା ସ୍ପର୍ଶେ—

ଅନ୍ତର ତୁମର,

ହେବ ପୃତ ଅତି ନିରିମଳ ।

ବାହାର କଳାରେ ଅବା ଯାଏ ଆସେ କେତେ ।

‘‘ସରସ୍ୱତୀ ହେଲେ ପାରି—

ଆଗେ ଦିଶେ ‘କନଖଳ’ ଗିରି ।

କନଖଳ ଅଳ୍ପ କିଛି ଦୂରେ

ହିମାଳୟ ଶିଖୁଁ ଗଂଗାଧାରା

ଆସେ ଅବତରି ।

ତଳେ ଥାଇ ଚାହିଁଲେ ସେ ପତମାନ ଧାରେ

ଆଖି ଖସି ପଡ଼େ ।

ଊର୍ଦ୍ଧ୍ୱୁ ଊର୍ଦ୍ଧ୍ୱେ—

ପୁଣି ଅତି ଊର୍ଦ୍ଧ୍ୱେ କେଉଁ ଆଡ଼େ...

ବାଦଲ ବିଦାରି ତାହା ଯାଇଅଛି ମିଶି ।

ତଳେ ଏଣେ ଗଡ଼ି ଗଡ଼ି ଧାର

ଶେଷେ ଯାଇ ମିଶିଛି ସାଗର

ଧାର ସେ ନୁହଇ ମେଘ !

ମର୍ତ୍ତ୍ୟୁ ଏକ ସରଗକୁ ସିଡ଼ି

ରାଜା ଭଗୀରଥ ତାହା ଯାଇଛନ୍ତି ଗଢ଼ି—

ଆରୋହି ତାହାରେ

ସ୍ୱର୍ଗରାଜ୍ୟେ ଯାଇଛନ୍ତି ସଗରକୁମରେ ।

କହନ୍ତି ତ ଲୋକେ—

ସର୍ବ ପ୍ରଥମରେ

ଗଂଗା ଥିଲେ ବ୍ରହ୍ମାଙ୍କର କମଣ୍ଡଳୁମଧ୍ୟେ

ଭଗୀରଥ ନମ୍ର ଅନୁନୟେ—

ଢାଳିଲେ ସେ ତାରେ ମେଘ !

ମର୍ତ୍ତ୍ୟର ଉଦ୍ଦେଶ୍ୟେ ।

କିନ୍ତୁ ତାର ପ୍ରପାତର ଘାତ

ଭୂଇଁର ପଥର ମାଟି

ହେଳେ ପାରେ କାଟି

ଜାଣି ଏହା—

ଢାଳି ଦେଲେ ମହେଶଙ୍କ ଗହଳ ଜଟାରେ ।

ମସ୍ତକ ପରଶି ଧାର ଆଶ୍ଳେଷି ସର୍ବାଂଗେ

ଛୁଟିଲା ମର୍ତ୍ତ୍ୟର ଲକ୍ଷ୍ୟେ

ଲଭି ସ୍ରୋତ ରୂପ ।

ସେଇ ଦିନୁଁ ମନ୍ଦାକିନୀ ହେଲେ ହରପ୍ରିୟା ।

ଶୁଣ ମେଘ !

ମନ୍ଦାକିନୀ ହେଲେ ରହପ୍ରିୟା ।

ଗୌରୀ ଦେହ ନ ସହିଲା ଏହା

ଏପରି ଲଳନା ମେଘ ! ମହୀରେ ବିରଳ

ସପତ୍ନୀ-ନାମରେ ଈର୍ଷା ନାହଁ ଯାର ଜାଗେ

ଭ୍ରୂକୁଟୀ-ଭଂଗିମା

ରୋଷାରୁଣ ଈର୍ଷିତ-ଚାହାଣି

ଗୌରୀମୁଖ କରିଦେଲା ବିକୃତ-ଗମ୍ଭୀର ।

ହେଲେ ମେଘ !

ଗଙ୍ଗା ତାରେ ନ କରି ଖାତିର

ହସି ହସି ଫେନ-ହସେ

ପାର୍ବତୀରେ ସବୁବେଳେ କରେ ଉପହାସ ।

ପୁଣି ବି ବଢ଼ାଇ ନିଜ ତରଙ୍ଗର କର

ଚାନ୍ଦର ସହିତ ହର ଲଲାଟ ଜଟାରେ

‘ମୋର’ ବୋଲି କହି

ଚାପି ନିଏ ଉଭାର ବୁକୁରେ

ଏ ଦୃଶ୍ୟ କି

ଦେଖିବାକୁ ମିଳେ ସବୁଠାରେ !!!

‘‘ଏଇ ଗଙ୍ଗାଜଳ ମେଘ !

ଏଇ ଗଙ୍ଗାଜଳ

ନିର୍ମଳ ସ୍ଫଟିକ ପରି ନିତାନ୍ତ ନିର୍ମଳ

ଲୋଭେ ତୁମେ ପିଇବାର ପାଇଁ

ନଭୁଁ ଯେବେ ଆସିବ ହେ ନଇଁ

ଐରାବତ ଆକାଶର ପଥେ

ପିଇଲାର ପରି ଶୁଣ୍ଢେ ଜଳ

ସେ ଦୃଶ୍ୟଟି ଆହା ଭାଇ

କେଡ଼େ ମନୋହର !!!

ଆଉ ପୁଣି—

କଳାଛାଇ ପଡ଼ି ଶୁଭ୍ରଜଳ

ଅଧେ ନୀଳ ଅଧେକ ଧବଳ

ଦେଖି ହେବ ମନେ—

ଯମୁନା କି ମିଶିଅଛି ଆସି ଏ ଅସ୍ଥାନେ !

‘‘ତାହା ପରେ ମେଘ !

ଉଠିବ ସେ ହିମାଳୟ ପରେ

ଯହୁଁ ଗଙ୍ଗାଧାର ଅବତରେ

ଯହିଁ ପୁଣି

ଗହଳ ତୁଷାର ସାଥେ ସହଜ ଶୁଭ୍ରତା

ଲିପ୍ତ ଅବିରତ ।

ଊର୍ଦ୍ଧ୍ୱେ ଉଠି ଦେଖିବ ନୀରଦ ।

ଶିଳାର ପ୍ରାଙ୍ଗଣ ଭରି କସ୍ତୁରିକା ମୃଗ......

କସ୍ତୁରୀର ମହ ମହ ବାସ

ଭାସି ବୁଲେ ସାରା ବନ ଦେଶ

ପ୍ରାଣ ହୁଏ ପରଶେ ବିଭୋର ।

ପଥଶ୍ରମେ—

ଅବଶ ଲାଗିଲେ ଦେହ

କାହିଁ ଏକ ଶୃଙ୍ଗେ ତହିଁ

ନେବ ହେ ଆଶ୍ରୟ ।

ସ୍ୱଚ୍ଛ ଶୁଭ୍ର ତୁଷାରରେ ଘେରା—

ସେ ଶୃଙ୍ଗେ ଲାଗିଲେ ମେଘ

ରଙ୍ଗ ତୁମ କଳା

ଶଙ୍କରଙ୍କ ଧଳା ବୃକ୍ଷ କରି ଖଳିମାଟି

କାଦୁଅ ପଙ୍କରେ ଦେହ କରି ସର ସର

ଦିଶେ ଯଥା—

ସେଇ ପରି ଜାଗିବ ସୌନ୍ଦର୍ଯ୍ୟ ।

‘‘ଦେବଦାରୁ ବନେ ବନେ ମେଘ !

ସନ ସନ ବନବାୟୁ ବହିଲେ ପ୍ରବଳ

ଘଷାଘଷି ହୋଇ ଡାଳେ ଡାଳ

ଚମକଇ ଦୀପ୍ତ ଅଗ୍ନିକଣା

ଚମରୀ—ଯେ ବୁଲେ ତହିଁ

ଗହଳ ତା’ କେଶଭାର

ଅବାଧେ ମେଲାଇ

ଚକିତେ ଛୁଏଁ ତା ନିଆଁ ।

ଭୟେ ଆତ୍ମ-ହରା

ଅଂଗ ଅଗ୍ନି ଲିଭାଇବା ପାଇଁ

ଏଣେ ତେଣେ ଲାଂଜ ଦେଲେ ଛାଟି

ଶେଷ ଫଳେ—

ପଡ଼ି ତାହା ତଳେ—

ଲାଗି ଘାସେ ଘାସେ

ପୁଣି ଶୁଖିଲା ପତରେ

ଜଳେ ଦୃପ୍ତୁଂ ହୋଇ ଦୃପ୍ତତର !

ଜାଳି ଜାଳି ହିମାଳୟ ବନ ।

କି ଦାରୁଣ ମୁହୂର୍ତ୍ତ ସେ ମେଘ ।

ଟିକେ ହେଲେ ନ କରି ବିଳମ୍ୱ

ଢାଳି ଦେବ ଢୁ-ଢୁ ବର୍ଷା ।

ଲିଭିବ ଯେ ଯାଏଁ ନିଆଁ

ବନତଳ ଶାନ୍ତ ଓ ଶୀତଳ......

ଭାବ ମନେ ଆପଣାର

ଅସରନ୍ତି ଧନର ଭଣ୍ଡାର

କରି ହେ ନିଃଶେଷ

ବଡ଼ ଲୋକ ରଖେନି କି ବିପନ୍ନ ପ୍ରଦେଶ ।

‘‘ନୂଆ ଏକ ମୃଗ ତହିଁ

ଦେଖି ତ ନଥିବ କାହିଁ

ଆଠଗୋଟି ପାଦ ପ୍ରତିଟିର

ଭାରି ସେ ଡିଆଁନ୍ତି ମେଘ ।

ଭାରି ଫୂର୍ତ୍ତି ଭାରି ସେ ଚଞ୍ଚଳ ।

ପୂର୍ଣ୍ଣ ତୁମେ ପରିଚୟ-ହୀନ

ପାଇ ସେ ନିକଟେ

ହାଣି ଯିବେ ତୁମ ଲକ୍ଷ୍ୟେ ଲମ୍ଫ ।

ତୁମେ କିନ୍ତୁ ଛାଡ଼ିବନି ତାଙ୍କୁ ।

କଠୋର କରକାଘାତେ

ଦେଇ ଯିବ ଶିକ୍ଷା ।

Unknown

ଜାଣିବେ ସେ

ବୃଥା କଲେ ସ୍ପର୍ଦ୍ଧା

ଦୁଃସହ ଦୁର୍ଦ୍ଦଶା ଏକା ଭାଗ୍ୟେ ଥାଏ ବଂଧା ।

‘‘କାହିଁ ତହିଁ ଦେଖିବ ନୀରଦ

ପୂରାଇ ପ୍ରକାଣ୍ଡ ଶିଳା

ରାଜି ଉଠେ ପୂତ ପଦଚିହ୍ନ ପଶୁପତିଙ୍କର

ଅତି ସ୍ପଷ୍ଟତର ।

ଦୂରୁଁ—ବହୁଦୂରୁଁ

ଆସି ଆସି ଭକ୍ତ ସିଦ୍ଧ ଦଳ

କେତେ ଫୁଲେ କେତେ ନଇବେଦ୍ୟେ

ବାଢ଼ୁଥାନ୍ତି ପୂଜା ଉପଚାର ।

ତୁମେ ଭକ୍ତି-ସଜାଗ ଅନ୍ତରେ

ଆସ ମେଘ !

ପ୍ରଦକ୍ଷିଣ କରି ନେବ ତାରେ

ଅନନ୍ତ ସୁକୃତ ଲାଭ ହୋଇବ ତୁମର !

ହୃଦୟର ଶ୍ରଦ୍ଧା ସାଥେ—

ଯେ କେହି ସେ ଚିହ୍ନେ,

କରେ ଯେବେ ଦରଶନ

ପାପ ଯାଏ ଦୂରେ ।

ଦେହାନ୍ତେ ହୁଅଇ ଚିର

ଶିବ ସହଚର—

‘‘ତୀର୍ଥପାଶେ ପାଶେ

ରାଜେ ଘନ ଗହଳ ବନାନୀ

ଖାଲି ବଂଶବୀଥିକାରେ ପୂର୍ଣ୍ଣ,

ବଂଶେ ବଂଶେ କୀଟ କାଟି

ରଚିଥାନ୍ତି ରନ୍ଧ୍ର ।

ତହିଁ ବନ ବତାସ ପରଶି

ବାଜି ଉଠେ ପ୍ରକୃତିର ଶତଶତ ବଂଶୀ ।

ଦଳ ଦଳ କିନ୍ନରୀ ବାଳିକା

ବୃକ୍ଷଛାୟା ବନାତର ତଳେ

ଭରି ପ୍ରାଣ ନବ ଅନୁରାଗେ

ମଧୁର ମାଧୁରୀଭରା କଣ୍ଠର ସଂଗୀତେ

କୁହୁକ ମହଲ ଗାଥା

ଗାଆନ୍ତି ରଭସେ ।

—କେଉଁପରି—

ଲାଗି ମୟ ଦାନବ କଉଁରୀ

ନିମିଷକେ ତିନୋଟି ମହଲ

ଗଢ଼ି ଉଠେ ସପନ ସୁନ୍ଦର ।

ସୁନାର ମହଲ ପୁଣି ରୂପାର ମହଲ

ଶେଷଟି ଲୁହାର—ସବୁ କୁହୁକ ଗଢ଼ଣ ।

ଆଉ ବି କିପରି

ଶଙ୍କର ତାହାରେ ଭାଙ୍ଗି

କରିଦେଲେ ଧୂଳି !!

ଭାରି ଭଲ ଗୀତ ମେଘ ।

ଶୁଣିବାକୁ ଭାରି ଭଲ ଲାଗେ ।

ତୁମେ ତେତେବେଳେ

ଗୁରୁଗୁରୁ-ଗୁରୁଗୁରୁ ଉଠିବ ଗୁମରି

ଭେଦି ତାହା ପର୍ବତ କନ୍ଦରେ—

ମନ୍ଦ୍ର ମୁରୁଜ ସମ ଉଠିବ ହେ ବାଜି ।

ବଂଶୀସ୍ୱନ—

ସାଥେ ତାର କିନ୍ନରୀର ଗାନ—

ତାର ସାଥେ ପୁଣି ତୁମ

ମୃଦଙ୍ଗ ବାଦନ—

ଆହା ଭାଇ !

ସଂଗୀତର ସେ କେଡ଼େ ସୁନ୍ଦର

ପୂର୍ଣ୍ଣ ଉପାସନା ଶମ୍ଭୁଙ୍କର !!!

‘‘ତାହା ପରେ ମେଘ !

ଆଉ ଯାହା ଦେଖିବାର କଥା

ସାରି ସେ ସବୁର ଦେଖା

‘‘ତ୍ରୌଞ୍ଚରନ୍ଧ୍ର’’ ନାମ ଗିରିଘାଟେ—

‘ମାନସ’ ହ୍ରଦରେ ହଂସ

ଯାଆନ୍ତି ଯେ ପଥେ—

ଲଂଘି ନଭଶ୍ଚୁମ୍ୱୀ ହିମାଳୟ

ଚାଲିବ ଉତ୍ତରେ......

ବହୁଦିନ କଥା ମେଘ !

ଦିନେ ଏଇ ବନେ

ବୁଲୁ ବୁଲୁ କାର୍ତ୍ତିକେୟ ସାଥେ

ହାଣି ଶର

ଭୃଗୁକୁଳ ଶଶୀ ‘‘ପର୍ଶୁଧର’’

ଛେଦି ଗିରିଗୁରୁହିୟା

ସୃଜି ଏଇ ପଥ

କାର୍ତ୍ତିକେୟେ କରିଲେ ବିସ୍ମିତ ।

ଭାବୀ ଜୀବନର ତାଙ୍କ

ଯେ କୀର୍ତ୍ତି ଅନନ୍ତ

ମର୍ତ୍ତ୍ୟବୁକୁ ଭରି ଦିନେ

ଛୁଟିଥିଲା ସରଗ ସଂଧାନେ,

ତାହା ପାଇଁ ଆଗୁଁ ଯେହ୍ନେ ଜାଣି

ରଚିଥିରେ ବିଶ୍ୱର ଏ ବିସ୍ମୟ ସରଣୀ !!!

ସେଇଦିନୁଁ ସୁଡ଼ଙ୍ଗର ସମ

ପରବତ ତଳୁଁ ଉଠି ଉପରେ ଉପରେ

ଦୂରେ ବହୁ ଦୂରେ—

ଗିରିବୁକେ ଯାଇଛି ସେ ଦୃଷ୍ଟି ସୀମା ପାରେ ।

ଧରିଲେ ସେ ପଥ ମେଘ !

ବାଙ୍କି ବାଙ୍କି କଳା କାୟା ତୁମ

ନିମ୍ନେ ହୋଇ କ୍ଷୀଣୁଁ ଅତି କ୍ଷୀଣ—

କ୍ରମେ ଊର୍ଦ୍ଧ୍ୱେ ହୋଇବ ବିସ୍ତୀର୍ଣ୍ଣ ।

ସେ ବେଳର ଶୋଭା ଭାଇ ।

ସେ କି ଚମତ୍କାର ।

ସତେ କି ବାମନ ପଦ ନୀଳ ସୁକୁମାର

ବକ୍ରେ ଛାଇ ଆକାଶର ବକ୍ଷ

ବଳିରାଜା ପାଇଁ କରେ ଛଳନା ରଚନା ।।

‘‘ହେଲେ ମେଘ ହିମାଳୟ ପାର

ଆଗରେ କୈଳାସ ତୁମ ରୂପା ପରବତ

ଚକ ଚକ ଦରପଣ ପରି ନିରିମଳ

ନଭେ ବୁଲି ଅମର-ଲଳନା

ନିତି ନିତି ନିଜ ରୂପ ନିରେଖନ୍ତି ତହିଁ ।

ନୀରନ୍ଧ୍ର ତୁଷାର ଘେରା

କଇଁଫୁଲ ଧଳା

ତା ଶିଖର ମାଳା

ଦେଖିବ ନୀରଦ

ସତେ ଯଥା ଶିବ ଅଟ୍ଟହାସ

ଜମି ଜମି ପ୍ରତିଦିନ ସାଜି ସ୍ତୂପାକାର

ଅବଶେଷେ ଛୁଇଁଛି ଆକାଶ !!!

ଉଠିବ ଉପରେ

ଦେଖିବ ତ ଉପତ୍ୟକା

ସବୁ ଫଟା-ଫଟା

ଶୁଣ କହେ ଇତିହାସ ତାର ।

ଲଙ୍କାରାଜା ଦୂରନ୍ତ ରାବଣ

କେବେ ଦିନେ ପୁଷ୍ପକ ବିମାନେ

ଆସିଥିଲା ଶିବ ଦରଶନେ ।

ନିଦ୍ରିତ ଶଙ୍କର...ନନ୍ଦୀ ଛାଡ଼ିଲାନି ଦ୍ୱାର

ଆତ୍ମହରା କ୍ରୋଧର ଆବେଶେ

ଦୃଢ଼ହସ୍ତେ ଏ ପାହାଡ଼େ

ଦେଲା ସେ ଝୁଂକାଇ

ସେଇଦିନୁଁ ଫାଟ ଫାଟ ପାହାଡ଼ ଉପର ।

‘‘ଉଠିବ କୈଳାସେ ତୁମେ—

ଫୁଟିବ ସେ ଛବି ଆହା ଲୋଭନ ସୁନ୍ଦର

ଆଖି ଆଗେ ନାଚିଯାଏ ଏବେ ।

—ସଜକଟା ଧଳା ହାତୀ-ଦାନ୍ତ

ଦିଶେ ଯଥା ଆହୁରି ସେ ଧଳା

ସେଇ ସ୍ୱଚ୍ଛ ସେ ପାହାଡ଼ ସାରା

ପରେ ପରେ ଲାଗି ଲାଗି ତାର

ଚିକ୍‍କଣ କଜ୍ଜଳକଳା ଚହକ ତୁମର......

ସତେ ଯଥା

ବଳଦେବ ଧବଳ ଦେହରେ

ଘେରା ନୀଳ ରେଶମୀ ଚାଦର !!!

ଓଃ ଯେ ଦେଖିବ

ଆଖି ତାର ଲାଖିଯବ ତହିଁ ।

‘‘ପାହାଡ଼ ଭ୍ରମଣ ଲାଗି

ଆଶ୍ରମୁଁ ବାହାରି

କାଢ଼ି ହାତୁଁ ସାପର କଙ୍କଣ

ଚିରଭୋଳା ମହାଦେବ

ଆସିଥିବେ ଗୌରୀହାତ ଧରି

ଦେଖିବ ତ କରିବନି ଡେରି ।

ସାନ୍ଦ୍ର ବରଫର ରୂପେ

ହୋଇ ରୂପାୟିତ

ସୃଜି ଯିବ ତୁମେ ତହିଁ

ସୋପାନ ବୀଥିକା

ପରେ ପରେ ପାଦ ଚାଳି ତାର

ହରଗୌରୀ ବୁଲିବେ ସୁନ୍ଦର ।

ପାଦସ୍ପର୍ଶେ ଅଙ୍ଗ ତୁମ ହୋଇବ ପାବନ ।

‘‘ତହିଁ ଗିରି କନ୍ଦରେ କନ୍ଦରେ—

ଦେବବାଳା ଯୌବନ ଉତ୍ତଳା

ନିତି ନିତି ଖେଳନ୍ତି ହେ ଆସି ।

ଯୌବନର ଭରା ଚପଳତା

ଦେଇଯାଏ ସ୍ୱପ୍ନେ ବାସ୍ତବତା

କେ କାହାର ମନକଥା

ଧୀରେ ଯାଏ କହି

ସେ ପଳାଏ ତାରେ ଠେଲିଦେଇ

ଆଉମାନେ ଧରି ତାରେ

ରଖୁଥାନ୍ତି ଟାଣି ।

ସେ ପୁଣି ଗୋପନ କଥା

କହେ ଆଉ କାର

ପୁଣି ପକା...ପୁଣି ଗୋଡ଼ା...

...ହସର ଲହର...

ମାୟାମୟ ଏଇ ଗୋଳମାଳେ

ତୁମ ଦେହେ ଲାଗି ହେମକଂକଣର ଦାଗ

ପାଣି କେତେ ପଡ଼ିବ ହେ ଝରି ।

ଦେଖି ତାହା ଦେବବାଳା

ବିମୁଗ୍‍ଧ ବିସ୍ମୟେ

ମଣିବେ ତୁମକୁ ଏକ ଜଳଯନ୍ତ୍ର ପରି ।

ତାହା ପରେ କାହିଁ ଆଉ ରକ୍ଷା ?

ସହଜେ ତ ଥିବ ଖରାବେଳ

ପାଣି ପାଇଁ କଙ୍କଣ ଆଘାତ

କେତେ ଦେଇଯିବେ ଉପହାର

ତୁମେ ମେଘ !

ମନ୍ଦ୍ରେ ଦେଇ ଘଡ଼ ଘଡ଼ ରଡ଼ି

ଚପଳ ପରାଣ ତାଙ୍କ ଦେବ ହେ କମ୍ପାଇ ।

କାନେ ଦେଇ ହାତ

ପଳାଇବେ ଯେହ୍ନେ ଦୂରେ

ଛାଡ଼ି ତୁମ ପାଖ ।

‘‘କୈଳାସର କୂଳେ ମେଘ !

ମାନସରୋବର

ବକ୍ଷମୟ ସୁନାର କମଳ

ପରାଗ ତହିଁରୁ ଉଡ଼ି ଭାସି ଭାସି ଜଳେ

ଗନ୍ଧେ ତାର କରେ ଗନ୍ଧମୟ

ଚିର ତୃଷା ମେଣ୍ଟାଇ ନିଜର

ପିଇନେବ—

ଯେତେ ପାର ଜଳ ।

ତା ପରେ ଚାହିଁବ ଟିକେ

ହ୍ରଦ ଚାରିପାଖେ ।

ଦେଖିବ ତା କେଉଁ ଏକ କୂଳେ

ସରଗରାଜାର ହାତୀ—

ଐରାବତ ଆସି

ପିଉଥିବ ଶୁଣ୍ଢେ ଶୋଷି ଜଳ ।

ପାଶେ ତାର

ଯାଇ ତୁମ ଶୀତଳ ଶରୀର

ମୁହୂର୍ତ୍ତକ ପାଇଁ ମୁଖେ

ଦେବ ହେ ବିଛାଇ,

ହେବ ସେ ସନ୍ତୁଷ୍ଟ ବଡ଼

ଓଦାବାସେ ଘୋଡ଼ାଇଲେ ମୁଖ

ଅନେକଟା ମିଳେନି କି

ଆରାମର ସୁଖ !!

ବନର ଗହଳେ

କଳ୍ପତରୁ ଡାଳେ ଡାଳେ

ରେଶମ ବନାତ ସମ ପତ୍ର ସବୁ ଦିଶେ ।

ତହିଁ ମେଘ ! ପବନ ଲଗାଇ

ଅଳ୍ପ ଅଳ୍ପ ଶିହର ଖେଳାଇ

ବୁଲିବ ପାହାଡ଼ ସାରା

କରି ତୁମ ମନୋମତ କ୍ରୀଡ଼ା ।

‘‘କାମରୂପ ଆହେ—

ସେ ପାହାଡ଼ କୋଳରେ ‘ଅଳକା’

ସତେ ଯଥା—

ପ୍ରେମିକର କୋଳରେ ପ୍ରେମିକା !

ନ ପାରିବ ଚିହ୍ନି ତାରେ—

ଏ-ପରି ତ ନୁହେଁ

ପାଶେ ତାର

ବହିଯାଏ ଗଙ୍ଗାନୀର ଧାର

ଶ୍ଳଥ-ପିନ୍ଧା-ବାସ ସେ କି ତାର !

ପବନ ପରଶେ ଉଡ଼େ

ଲଳିତ ଲହରେ !!!

ଭାଇ ମେଘ !

ତୁମରି ଏ ବରଷାର ବେଳେ

ନଗରୀର ସପ୍ତତଳ—

ଭବନ ଶିଖରେ—

ଭାସି ଭାସି ଖଣ୍ଡ ଖଣ୍ଡ କଜଳ ବାଦଲ

ମୁକ୍ତା ବିନ୍ଦୁସମ

ଝିପି-ଝିପି-ଝରାଏ ଶୀକର ।

ଦେଖି ହୁଏ ମନେ—

ବିଲୋଳ-କୁନ୍ତଳା

ଆମ ଯକ୍ଷର ଅଳକା

ଶିରେ କି ପିନ୍ଧିଛି—

ମୁକ୍ତା-ଖଚିତ ଅଳକା !!!

Image

 

ଉତ୍ତର ମେଘ

 

ଯକ୍ଷର କଣ୍ଠରେ ମେଘର କଳ୍ପନା-ଯାତ୍ରା ଅଳକାର ଅତି ଆସନ୍ନ ହୋଇ ଆସିଲା । ସେ ଟିକିଏ ଆଶ୍ୱସ୍ତିର ନିଃଶ୍ୱାସ ନେଲା । ସେତେବେଳକୁ କଳାମେଘଟା ଲମ୍ୱି ଲମ୍ୱି ଅନେକ ଦୂର ଉତ୍ତର ଆଡ଼କୁ ଭାସି ଯାଇଥିଲା । ପଛକୁ ବି ଲାଗି ରହିଥିଲା ଆହୁରି ଅନେକ । ପବନ ଏଣେ ତଳେ ଗଛପତ୍ର ଦୋହଲାଇ ଉପରେ ତାକୁ ଭସାଇ ନେଇ ଚାଲିଥିଲା ଖୁବ୍ ଅଳସ ଆଉ ମନ୍ଥର ଗତିରେ । ଉତ୍‍କଣ୍ଠାର ଗଭୀର ଆବେଗରେ ଯକ୍ଷ ଟିକିଏ ହେଲେ ଥମିରହି ପାରିଲା ନାହିଁ । ନୀଳମେଘର ଦୂତକୁ ତାର ନିଜର ଘର ଆଡ଼କୁ ପଠାଇବାପାଇଁ ପୁଣି ସେ ଆବେଗଭରା କଣ୍ଠରେ କହି ଉଠିଲା—

 

ଭାଇ ପ୍ରିୟା-ପରାଣ-ପ୍ରହରୀ

ଅପରୂପ ଯକ୍ଷର ଅଳକା

ଉଠି ତା ଆକାଶେ

ଦେଖିବ ହେ ସେ କେତେ ସୁନ୍ଦର

ଅଟ୍ଟଳିକା ପରେ ଅଟ୍ଟାଳିକା ।

ସବୁ ସତେ

ତୁମ ସାଥେ

ହେବାକୁ ସମାନ

ଚଳାଏ କି ପ୍ରତିଯୋଗିତାର

କଳାମୟ ଆପ୍ରାଣ ପ୍ରଚେଷ୍ଟା ।

ଚମକେ ତୁମର ଦେହେ ବିଜୁଳି ଆଲୋକ

ତହିଁ ରହେ

କେତେ ଶତ ରୂପସୀ ଲଳନା

ଯଉବନ ଢଳ ଢଳ ମିନା କରା ରୂପ

ଲୋକ ଲାବଣ୍ୟରେ ତାଙ୍କ କରେ ଦପ ଦପ ।

ବୁକେ ତୁମ

ଇନ୍ଦ୍ରଧନୁ ରଙ୍ଗର ଦୁଆର

ତାହା ଦେହେ କେତେ ଚିତ୍ର

ରଙ୍ଗ ବେରଙ୍ଗର

କାନ୍ଥେ କାନ୍ଥେ କେତେ ଦୋଳେ

କେତେ ପୁଣି ଅଙ୍କା ତୂଳିକାରେ ।

ତୁମ ଅଙ୍ଗେ ଅଙ୍ଗେ ଜଳ

ହୁଏ ଛଳ ଛଳ ।

ତାର ଦେହେ—

ତଥା ମଣି ମୁକୁତା ନିବହେ

କଳାମୟ ଶିଳ୍ପର ରଚନା

ଦୀପ୍ତିରେ

ସଦା ତେଣୁ କରେ ଢଳ ଢଳ ।

ତୁମେ ଯଥା

କର ସ୍ନିଗ୍‍ଧ ଗମ୍ଭୀର ଗର୍ଜନ

ସେହିପରି ତହିଁ

ଘରେ ଘରେ ସଂଗୀତ ଆସରେ

ବାଜି ଉଠେ—

ମୁରୁଜର ମୃଦୁ ମନ୍ଦ୍ର ସ୍ୱନ ।

ତୁମେ ରହ ଉଚ୍ଚେ

ଦୂରେ—ଦୂର ଆକାଶରେ ।

ସେ ବି ମଧ୍ୟ

ଉଚ୍ଚତାରେ ଛୁଏଁ ହେ ତୁମରେ ।

କେଉଁ ଗୁଣେ

କମ୍‍ ଭାଇ ।

କହ ଶୁଣେ ଥରେ ???

‘‘ମୋର ସେଇ ଅଳକାରେ ମେଘ ।

ଛଅ ଋତୁ ଛୁଏଁ ଏକାବେଳେ ।

ସେଥିଲାଗି ତହିଁ ସବୁବେଳେ

ସବୁ ଫୁଲ ଫଳମାନ ମିଳେ ।

ଶୁଭ୍ର ଶରତର ଶତଦଳ

କୁନ୍ଦଫୁଲ

ସ୍ୱର୍ଣ୍ଣ ହେମନ୍ତର

ଶିଶିରର ଧଳା ଲୋଧ୍ର ପୁଷ୍ପ

ବିଶ୍ୱଭୁଲା ବସନ୍ତର ରମ୍ୟ କୁରୁବକ ।

ଖରାଦିନର ଶିରୀଷ

କଦମ୍ୱ ବର୍ଷାର ।

ହୋଇଥାଏ ଏକ ସମୟରେ—

ଅଳକାର

ରମଣୀର

ଫୁଲ ଅଳଙ୍କାର !!

ପୁରେ ପୁରେ ପୁରର ତରୁଣୀ

ଗେଲେ ଗେଲେ

ନେଇ ହାତେ

ଫୁଟା ପଦ୍ମଫୁଲ ।

ମଥାର ଅଳକେ ଖଂଜି

କୁନ୍ଦଫୁଲ ଧଳା

ତା ମଝିରେ-ସିନ୍ଥି ତଳେ ତଳେ

ଦୋଳାଇ କଦମ୍ୱଫୁଲ

ତୁମ ବରଷାର

ମୁଖେ ଲିପି

ପୁଣି ଲୋଧ୍ର ପାଣ୍ଡୁର ପରାଗ

ସଜ କୁରୁବୁକେ ରଚି

ଲୋଭନ କବରୀ,

କର୍ଣ୍ଣେ ଥାପି କୋମଳ ଶିରୀଷ,

ସାଜିଥାନ୍ତି ଫୁଲରାଣୀ-ପୁଷ୍ପଳା ସୁନ୍ଦରୀ ।

‘‘ନିତିଫୁଲ

ମୋ ଦେଶର ବନ ଓ ବାଗାନ ।

ବୃକ୍ଷଲାତ ସବୁଜ ବୀଥିକା

ଯେତେ ତହିଁ ରହିଅଛି ମେଘ !

ନିତି ନିତି—

ଫୁଟେ ଫୁଲ

ତାର ଡଙ୍କେ ଡାଳେ ।

ଲବ ଲେଶ

ମାନେନି ଋତୁର ବାଧା—ଆଇନ କାନୁନ ।

ତେଣୁ ନିତି

ମଧୁଲୋଭୀ

ମିଳିନ୍ଦର ଦଳ,

ବନେ ବନେ ବନ ଭରି

ଗାଆନ୍ତି ମଧୁର—

ଗୁଣୁ ଗୁଣୁ ବିଭୋର ସଂଗୀତ ।

ନିତି ପଦ୍ମ ମୋ ଦେଶ ସରସୀ

ଶୁଭ୍ର ସ୍ୱଚ୍ଛ ଜଳେ ଜଳେ ତାର

ଫୁଟେ ମେଘ,

ଶତଦଳ ସରାଗ ସୁନ୍ଦର ।

ଶ୍ୱେତ ରାଜହଂସମାଳା—

ତାରେ ଘେରି ଘେରି

ନୀଳ ଜଳେ ଭାସନ୍ତି ପହଁରି ।

ଦେଖି ହୁଏ ମନେ—

ସରସୀର

ନୀଳ ଶାଢ଼ୀ ଘେରା କଟିତଳେ—

ଏ କି ଶୁଭ୍ର ଚନ୍ଦ୍ରହାର ଦୋଳେ !!!

ସେ ମୋ ଦେଶେ—

ହେ ନୀଳ ନୀରଦ ।

ଘରେ ଘରେ ଘରର ମୟୂର

ନିତି ଚିତ୍ର ଚନ୍ଦ୍ରିକା ଗହଳେ ଭାରି ସେ ସୁନ୍ଦର ।

ଆନ ଦେଶ ପରି କେବେ

ବରଷାରେ ନ କରି ଅପେକ୍ଷା

ନିତି ନିତି ତହିଁ,

ନାଚନ୍ତି ଆନନ୍ଦ ଭୋରେ

ମୁକୁଳିତ ପୁଚ୍ଛେ ପୁଚ୍ଛେ ତାଙ୍କ

ଇନ୍ଦ୍ରଧନୁ ମାୟା ମୁକୁଳାଇ ।

କଣ୍ଠେ କଣ୍ଠେ ଫୁଟେ ତାଙ୍କ

ପୁଲକର ଅପୂର୍ବ ସଂଗୀତ,

ମୁଗ୍‍ଧ କରି ପୁରବାସୀ ଚିତ୍ତ ।

ନିତି ଜ୍ୟୋତ୍ସ୍ନା ମୋ ଦେଶର ସନ୍ଧ୍ୟା

ସୁନେଲି ଶାଢ଼ୀର ତାର ଉଜ୍‍ଜ୍ୱଳ ଅଞ୍ଚଳ,

ଦିଗ ଦିଗ ବିଛାଇ ସୁନ୍ଦର

ପୋଛିନିଏ ଧରାମୁଖୁଁ ସାରା ଅନ୍ଧକାର ।

‘‘ଭାଇ ଜଳଧର !

ମୋ ଦେଶର ପ୍ରତିକଥା

ଭାରି ଚମତ୍କାର !!!

ନାହିଁ ତହିଁ ଦୁଃଖର ଲୋତକ ।

କେବେ ଯେବେ

ନୟନୁଁ କା ବହେ ଅଶ୍ରୁଧାର,

ସେହି ଖାଲି ସାନ୍ଦ୍ର ଆନନ୍ଦର ।

ନୀରଦ ହେ,

ଆଶ୍ଚର୍ଯ୍ୟ ହୋଇବ ଶୁଣି-

କେହି କେବେ ତହିଁ—

ରୋଗେ ଦୁଃଖେ ବ୍ୟଥା ପାଏ ନାହିଁ ।

ଫୁଲ ଧନୁ ଫୁଲଶର

ଲାଗି ଖାଲି ମେଘ,

ମୋ ଦେଶବାସୀର ପ୍ରାଣେ

ଉଠେ ଏକା—ଗୋଲାପର ବ୍ୟଥା ।

ତା କି ଭାଇ

ରହିପାରେ ଚିର ?

ପ୍ରିୟର ପରଶେ—

ପରକ୍ଷଣେ ହଜେ ତା ନିମିଷେ ।

ବିଶ୍ୱଧ୍ୱଂସୀ ମୃତ୍ୟୁ ମେଘ !

ମୋର ଦେଶେ ପଶି—

ମିଳନର ମଧୂଚକ୍ର ଭାଙ୍ଗିବାର ପାଇଁ

କେବେ ହୋଇ ପାରେନା ସାହସୀ ।

ଖାଲି ତିହିଁ ତରୁଣ ତରୁଣୀ

କଲେ କେବେ ପ୍ରଣୟକଳହ,

ମିଳନ ବଦଳେ କ୍ଷଣେ

ତୁଟୁକା ବିରହେ ।

ସେ ବି ଅବା କେତେ କ୍ଷଣ ପାଇଁ ??

ବେଶି ଆଉ କି କହିବି ଭାଇ ?

ଯୌବନର ଅମର ଉତ୍ସବେ—

ଚିର ଉତ୍ସବିତ ପରା

ମୋ ଦେଶ ଜୀବନ ।

କି ଅବା ଯକ୍ଷର ?

ଅଭିଧାନ-ଗ୍ରନ୍ଥେ ମୋ ଦେଶର

ନାହିଁ ଆଦୌ ‘ବାର୍ଦ୍ଧକ୍ୟ’ ଏ ଶବ୍‍ଦ ।

‘‘ଦେଖିବ ନୀରଦ !

କେତେ କେତେ ତହିଁ ରମ୍ୟ ହର୍ମ୍ୟ

ସବୁ ଚନ୍ଦ୍ରକାନ୍ତ ମଣିମୟ ।

ରାତିରେ ରାତିରେ ତହିଁ

ପଡ଼ି ନଭତାରକାର ଛାଇ,

ଦିଶୁଥାଏ

ଫୁଲ ସତେ ଅଛି ବିଛା ହୋଇ ।

ଅନ୍ତରାଳେ ତାର

ମେଘ-ମନ୍ଦ୍ର ଆରବେ ଆରବେ

ମଧୁର ମୁରଜ ନାଦ ଉଠୁଥାଏ ବାଜି ।

ତହିଁ ବସି,

ବିଳାସୀ ମୋ ଅଳକାର ବାସୀ

ପିଉଥାନ୍ତି

ରୂପମୟୀ ପ୍ରେୟସୀର ସାଥେ

ସ୍ୱପ୍ନିଳ ମଦିରା... କଳ୍ପପାଦପନିଗିଡ଼ା ।

ନାମ ତାର ରତିଫଳ

ସେବନେ ତା ହୁଏ ମେଘ !

ରମଣ ଆବେଗ

ଚିରତରୁଁ ଆଉ ଚିରତର ।

‘‘ଆଉ ବି ମୋ ଦେଶେ ମେଘ,

ଯାହାଙ୍କର—

ପ୍ରାଣଚୋରା ମାଦକ ରୂପରେ

ମାତାଲ ହୁଅନ୍ତି ହେଳେ ସରଗ ଦେବତା—

ଅବିବାହୀ ସେହି ଯକ୍ଷକନ୍ୟା,

ନିତି ବସି

ଗଙ୍ଗାର ପୁଲିନେ—

ପାରିଜାତ ଘନଚ୍ଛାୟା ତଳେ

ନଦୀର ସୁନେଲି ବାଲି କରି ଗଦାଗଦା,

ପୋତି ସୁନାକାଠି

ହାତ ତଳେ ଚାପି

ଖେଳୁଥାନ୍ତି କାଠି ପୋତାପୋତି ।

ବାଜୁଥାଏ

ଦେହେ ତାଙ୍କ ଶୀତଳ ପବନ

ନଈବୁକୁଁ ଉଠି ସୁଲୁସୁଲୁ ।

ସେ ଯେ ଦୃଶ୍ୟ ଆହା କି ଲୋଭନ !

‘‘ନିଜନ ନିଶାରେ ମେଘ !

ଅନ୍ତଃପୁରେ ପୁରେ

ପରିହାସୀ ପ୍ରିୟ,

ଖୋଲି ପ୍ରିୟା ନୀବୀର ବନ୍ଧନ

ଗେଲେ ଗେଲେ ଟାଣେ ଶ୍ଳଥ ଶାଢ଼ୀ

ବାଧା ଦେଇ

ଶେଷେ ହାୟ ହାରନ୍ତି ବିଚାରା ।

ତହୁଁ ଅତି ସରମ ସଂକୋଚେ

ଲିଭାଇବା ପାଇଁ

ଘର ରତନ ପ୍ରଦୀପେ

ମୁଠା ମୁଠା କୁଙ୍କୁମର ଚୂନା

ଫିଙ୍ଗିଯାନ୍ତି ଅତି ତରତରେ ।

ଇଚ୍ଛା ତାଙ୍କ—

ନିଭି ଯାଉ ଦୀପର ଆଲୋକ,

ଅନ୍ଧାରରେ ଯା ଇଚ୍ଛା ତା ହେଲେ

କିଏ ବା ପଚାରେ !!

କିନ୍ତୁ ମେଘ,

ନୁହେ ସେ ତ ତୈଳର ପ୍ରଦୀପ,

ବାଜି ଧୂଳି

ଆଲୋକ ତା ଯିବ ହାଦେ ଫୁରି ।

ରତନ ପ୍ରଦୀପ ସେ ତ

ଯେତେ ଯେତେ ପଡ଼ିଲେ ବି ଧୂଳି

ହସିଲାର ପରି

ଜଳି ଉଠେ ଖାଲି ମେଘ ! ଦପ-ଦପ-ଦପ ।

ପଣ୍ଡ ପରିଶ୍ରମ ଦେଖି ବାଳା,

ହରିଣୀର ପରି ଭାଙ୍ଗି ବେକ

ପ୍ରିୟ ଆଡ଼େ

ଅନାନ୍ତି କାତରେ ।

ବ୍ୟଥା ଛୁଏଁ ପ୍ରିୟର ହୃଦୟେ

ବିମ୍ୱ ଓଠେ ଓଠେ ତାଙ୍କ

ଆଙ୍କି ଶତ ଚୁମ୍ୱନର ଦାଗ

ଲୁଚାଇ ନିଏ ସେ ଧୀରେ

ଆପଣାର ଉଷ୍ଣ ବକ୍ଷତଳେ ।

‘‘ପୁଣି ମେଘ !

ପାତଳ ବାଦଲ ସବୁ

ପବନରେ ଭାସି,

ସାତ ମହଲା କୋଠାର ଉପର ମହଲେ

ପଶି ଧୀରେ,

ବାତାୟନ ପଥେ ପୁଣି

ଯାନ୍ତି ବିନିସରି

କୁହୁଡ଼ିର କଳା ବନ୍ୟାପରି ।

କାନ୍ଥେ କାନ୍ଥେ ଝୁଲେ ଯେତେ ଚିତ୍ର

ଲାଗି ଜଳକଣା

ଭିଜି ସବୁ ହୁଅଇ ଅସନା

ଦେଖି ହୁଏ ମନେ—

ଚପଳ ବାଦଲ ସତେ

ଜାଣି ତାହା ଶଂକିତ ପରାଣେ

ପଳାଇ ଯାଆନ୍ତି ଦୂରେ

ତରତରେ

ଅତି ସଂଗୋପନେ !!

‘‘ପୁଣି ତହିଁ—

ନିଶୀଥର ନିଜନ ବେଳାରେ

ଶୟନକକ୍ଷରେ ମେଘ,

ରତିମନ୍ଦିରରେ;

ଝୁଲେ କେତେ ଚାରୁ ଚନ୍ଦ୍ରାତପ ।

ଝୁଲା ଝାଲରରେ ତାର

ଗୋଟି ଗୋଟି ଚନ୍ଦ୍ରକାନ୍ତ ମଣି

ଗୁନ୍ଥା ହୋଇ ଦୋଳେ କି ସୁନ୍ଦର !

ତଳେ ତାର—

ପଲଙ୍କ ଉପରେ

ତରୁଣର ଶିଥିଳବାହୁରେ

ତରୁଣୀର ଶ୍ରାନ୍ତ ଅଙ୍ଗଲତା

ଛନ୍ଦି ହୋଇ ଲୋଟେ ତନ୍ଦ୍ରାଘୋରେ ।

ସେତେବେଳେ ମେଘ ।

ମୁକୁଳା ଗଗନୁଁ ଝରି—

ସ୍ନିଗ୍‍ଧ ଜ୍ୟୋତ୍ସ୍ନାଧାରା,

ଗବାକ୍ଷର ପଥେ—

ଛୁଏଁ ଆସି ଝୁଲା ଚନ୍ଦ୍ରକାନ୍ତେ ।

ଝିରି ଝିରି ଝିରି ଝିରି ଜଳ

ଝରି ଝରି—

ଲଳନାର ଶ୍ରାନ୍ତ ଅଙ୍ଗପରେ

ଅନେକଟା ଶ୍ରାନ୍ତି ତାଙ୍କ ହରେ ।

‘‘ଶୁଣ ମେଘ !

ବୈଭ୍ରାଜ ନାମ

ଆମ ଦେଶ ରାଜାଙ୍କର

ସୁନ୍ଦର ଉଦ୍ୟାନ ।

ତରୁଣ କିନ୍ନର ଦଳ

ମଦକଳ-କଣ୍ଠେ

ରାଜାଙ୍କର କୀର୍ତ୍ତିକଥା

ଆନନ୍ଦରେ ଗାଇ

ନିତି ନିତି ବୁଲୁଥାନ୍ତି ତହିଁ ।

ଅଳକାର ବଡ଼ ବଡ଼ ଲୋକ

ଥାଏନା ତ ପେଟଚିନ୍ତା କାର

କାଟିବାକୁ କାଳ ଖାଲି

ଆମୋଦ-ଆହ୍ଲାଦେ

ସାଥେ ନେଇ ତରୁଣୀ ଅପ୍‍ସରା,

ରଚି ରଙ୍ଗେ ପ୍ରେମ ଆଳାପନା

ସେ ଉଦ୍ୟାନ କରନ୍ତି ବିହାର ।

ଦେଖିଛକି କାହିଁ ମେଘ

ଏଡ଼େ ଭାଗ୍ୟଧର ???

‘‘ମୋ ଦେଶରେ

ଆସେ ଯେବେ ରାତି ମେଘ !

ଘୋଟି ଆସେ ପ୍ରଣୟର-ନିଶା

ପ୍ରିୟ ପାଇଁ

ପାଗଳିନୀ ପ୍ରିୟା

ଭୀତି ଉଚ୍ଚକିତ ପଥେ

ରଚେ ଅଭିସାର ।

ଅଳକାରୁ ଶୁଭ୍ର କୁନ୍ଦଫୁଲ

କର୍ଣ୍ଣତଟୁ କନକ କମଳ,

ଅଙ୍ଗୁ ଅଙ୍ଗୁ ଅଳଙ୍କାରମାନ—

ଯାହା ଲେଖାଥାଏ—ଲତାପତ୍ରର ଆକାରେ ।

ମଥାରୁ ମୁକୁତା

ପୁଣି

ବନ୍ଧୁର ବୁକୁରୁ

ଛିଣ୍ଡି ହାର

ନିଜ ଅଜାଣତେ

ପଡ଼ିଯାଏ ସେ ଗୋପନପଥେ ।

କିନ୍ତୁ ମେଘ ! ହୋଇଲେ ପ୍ରଭାତ

ନିଖିଳର ନେତ୍ରପଥେ

ପଡ଼େ ଏ ନିଖିଳ,

ଗୋପନ କାହାଣୀ ସବୁ ପଡ଼ିଯାଏ ଜଣା ।

‘‘ମେଘ ତହିଁ

ରୂପମୟୀ ରମଣୀ ନିଖିଳ

ଯୌବନ-ମନ୍ଥର ପଦ

ଅଳସେ ଚଳାଇ,

କଳା ଭୁରୁ ନଚାଇ ଚକିତେ—

ଚାହିଁଲେ ଅପାଙ୍ଗେ—

ମାତାଲ ବାସନା ଜାଗେ ଯୁବାହିୟାତଳେ ।

ସତେ କି ହେ

ଆମ ରାଜାବନ୍ଧୁ ସଦାଶିବ

ବନ୍ଧୁସ୍ନେହେ ଦେଶେ ଆମ

ନିବସନ୍ତି ବୋଲି,

ଅନଙ୍ଗ ଦେବତା—

ଭାବି ନିଜ ଭସ୍ମକଥା,

ଭୟେ ଡରି ଡରି

ଛାଡ଼ିଛି ସେ ଆପଣାର

ପ୍ରିୟ ଫୁଲଧନୁ,

ଗୁଣ ଯାର

ଅଳିମାଳା ନୀଳ ଲମ୍ୱତନୁ ।

କିନ୍ତୁ କାମିଜନ ମନ

ଜିଣିବାର ଲାଗି,

ନେଇଛି ଏ ଛଦ୍ମ ଚାପ

ଭୁରୁ ଲଳନାଙ୍କ !!

‘‘ମୋ ଦେଶର ବନ ଓ ବାଗାନେ

ଅଛି ମେଘ ! ଯେତେ ଯେତେ

କଳପ ପାଦପ,

ଖାଲି ରମଣୀଙ୍କ ପାଇଁ

ତାହାର ଆରୋପ ।

ଚିତ୍ର ବିଚିତ୍ର ରଙ୍ଗର

କେତେ କେତେ ପୋକ

ବସା ତାଙ୍କ ବାନ୍ଧି ବାନ୍ଧି ତହିଁ

କି ସୁନ୍ଦର କେତେ ରଙ୍ଗେ

କାଟିଥାନ୍ତି ସୂତା ।

ସବୁ ରେଶମର

ଭାରି ଚିକ୍‍କଣ ଚିଖଲ ।

ସେ ସୂତାରେ ମେଘ !

ବୁଣା ହୁଏ

ଆମ ଦେଶ ଶାଢ଼ୀ ।

ପୁଣି ସେହି କଳପ ପାଦପୁଁ

ମିଳେ କେତେ ଅପୂରୁବ ଚିଜ,

ମୂଲ୍ୟବାନ୍ ଅଳଙ୍କାର

ହୁଏ ସେ ସବୁରେ ।

ଆଉ ବି ପ୍ରଚୁର ମିଳେ

ଲାଲ ଲାକ୍ଷା ମେଘ !

ବନିତାଚରଣେ ଯାହା

ଦିଶଇ ସୁନ୍ଦର ।

କଅଁଳ ପତର ତଳେ

ସେ କଳ୍ପବୃକ୍ଷର

ଫୁଟେ ପୁଣି କେତେ କେତେ ଫୁଲ

ସୁଗନ୍ଧ ତା ଅମାପ ଅମାପ ।

ଶେଷେ ପୁଣି

ଝରେ ଯେଉଁ—

ଛାଡ଼ ଭାଇ,

କି କହିବି ସେ ମଦିରା କଥା ।

ଆମ ଦେଶ ରମଣୀ ନିଖିଳ

ପିନ୍ଧି ଏଇ ଶାଢ଼ୀ

ପିନ୍ଧି ଏଇ ଅଳଙ୍କାର

ସାଜି ରୂପ

ଏଇ ଫୁଲେ

ଏଇ ଲକ୍ଷ ରାଗେ

ପିଇ ଏଇ ଗୋଲାପି ମଦିରା

ଢୁଳୁ ଢୁଳୁ କରୁଥାନ୍ତି ସ୍ୱପ୍ନଘୋର ଆଖି ।

‘‘ଦେଖି ଦେଖି

ଏଇ ପ୍ରାଣ ମତାଣିଆ ଦୃଶ୍ୟ

ଯିବ ଆଗେ ମେଘ !

ରାଜ ନହର ସେପାରେ

ଅଳପ ଅଦୂରେ

ଘର ମୋର

ଖୋଜିବାକୁ ହେବ ନାହିଁ ବେଶୀ ।

ଇନ୍ଦ୍ରଧନୁ ରଙ୍ଗେ

ଚିତ୍ର ତାର ସୁନ୍ଦର ତୋରଣ

ଦୂରୁଁ ଦେଖି ପଡ଼ିଯାଏ ଜଣା ।

ପ୍ରାଚୀରର ପରେ ଉଠି

ଦେଖିବ ନୀରଦ !

ଅଗଣାରେ ଉଭା ଛୋଟ ପାରିଜାତ ଗଛ ।

ସବୁଜ ପତରେ ଭରା

ଡାଳ ଗହଳିଆ ।

ଫୁଲଥୋପା ସାଥେ ତଳେ

ପଡ଼ିଛି ଓହଳି ।

ବଢ଼ାଇଲେ—

ହାତ ଛୁଏଁ ଡାଳେ ।

ଜାଣ ଭାଇ ସେ ଗଛର କଥା ?

ପ୍ରେୟସୀର ଭାରି ତାହା

ଆଦରର ଧନ ।

ଅତି ଯତ୍ନେ

ପୁଅ ପରି ପାଳିଥାଏ ତାରେ ।

‘‘ଆହୁରି ଦେଖିବ

ବାଡ଼ିରେ ମୋ ସୁନ୍ଦର ସରସୀ

ମରକତ ନୀଳେ ଗଢ଼ା ପାହାଚ ତାହାର ।

ସରସୀର ନୀଳଜଳେ

ନାଡ଼—ବୈଦୂର୍ଯ୍ୟରେ

ଶତଶତ ସ୍ୱର୍ଣ୍ଣପଦ୍ମ ଫୁଟିଛି ଅଜସ୍ର ।

ଦଳ ଦଳ ରାଜହଂସ,

ସୁଷମାର ହୋଇ ଚିରବଶ,

ବର୍ଷାକାଳେ—

ଜଳ ତାର ହେଲେ ବି ଆବିଳ

ଛାଡ଼ି ତାହା ଯିବାପାଇଁ ମାନସସରସେ

ଯାହା ଅଟେ ନିତାନ୍ତ ନିକଟ

ନ ଚଳାନ୍ତି ମନ ।

‘‘ତଟେ ତାର ରାଜେ ମୋର

କ୍ରୀଡ଼ା ପରବତ ।

ଶୃଙ୍ଗ ଇନ୍ଦ୍ରନୀଳ ତାର

ବଂଶାଙ୍କୁର ନୀଳ ।

ପାଶେ ପାଶେ—ଚାରି ପାଶେ

କଦଳୀ କନକ ବୀଥି

ରାଜେ ଚମତ୍କାର ।

ଭାଇ ମେଘ !

ଭାରି ଭଲ ପାଏ ତାରେ ଭାଉଜ ତୁମର ।

ବର୍ତ୍ତମାନ

ସାନ୍ଦ୍ର ତୁମ ନୀଳିମାର ଧାରେ

ଦେଖି ଏଇ

ବିଜୁଳିର ସୁନାର ଚମକ

ଅବିକଳ ସମତା’ର ବଶେ

ସେ ପର୍ବତ ପଡ଼ିଯାଏ ମନେ ।

ଆହା ଭାଇ

ନିଜନରେ ଆମେ ଦୁଇଜଣ

କେତେ ଖେଳ

ଖେଳିନାହୁଁ ବୁକୁପରେ ତାର ?

ଭାବି ତାହା

ଆଜି ପ୍ରାଣ ଡହକ ବିକଳ ।

‘‘ସେଇ ପରବତ ପରେ

ଦେଖିବ ନୀରଦ;

ମନୋହର ମାଧବୀ ମଣ୍ଡପ,

ଚାରିପଟ ତାର ଘେରା

ନୀଳଫୁଲଭରା

ଘନ ଦାସକେରେଣ୍ଟାର ବାଡ଼େ ।

ଉପରେ ଗଢ଼ିଛି ଛାତ

ଲୋଟି ଲୋଟି

ଗହଳିଆ ପୁଷ୍ପିତା ମାଧବୀ

ଶ୍ଳଥବୃନ୍ତୁ ଝରି ଫୁଲ

ମେ ମଣ୍ଡପ ମୟ,

ଦିଶୁଥାଏ

ଫୁଲ ଶେଯ ପରା ହେଲା ପରି ।

ପାଶେ ଲାଗି

ଶୋଭା ପାଏ ମରକତ ବେଦୀ,

ବାମେ ଓ ଦକ୍ଷିଣେ ତାର

ଅଶୋକ...ବକୁଳ ।

ପବନ ପରଶେ

ଅଶୋକର ଢଳ ଢଳ ପତ୍ର

କେତେ ରଙ୍ଗେ କରୁଥାଏ ନୃତ୍ୟ ।

ଦେଖି ହୁଏ ମନେ—

ସତେ ସେ କି ଧରିବାକୁ ଫୁଲ ।

ମୋ ପ୍ରିୟାର

ବାମ ପାଦ ରେଶମୀ ଆଘାତେ—

ମାଗେ ଭିକ୍ଷା

ମଉନ ସଂକେତେ ।

ମୁଁ ଯେପରି ମେଘ !

ବାସନାର ଫୁଲ

ପ୍ରାଣେ ମୋର ଫୁଟାଇବା ପାଇଁ

ପ୍ରେୟସୀର ପାଦସ୍ପର୍ଶେ

ମଳୟ ମଣଇ ।

ପତର ପତାଇ ମେଘ,

ବକୁଳ ପାଦପ,

ଚାହୁଥିବ—

ମୋ ପ୍ରିୟାର ମୁଖର ମଦିରା,

ଯାହା ତାରେ—

କୁସୁମିତ କରେ ଅକାଳରେ ।

ହାୟ ଭାଇ !

ସେଇ ମୁଖ-ମଦିରାରେ

କେତେ ଲୋଭ ମୋର !

କରେ ତାହା

ମନ ପ୍ରାଣ ମାତାଲ ଉତ୍‍ଫୁଲ୍ଲ ।

‘‘ବେଦିକାର ନୀଳବୁକେ

ପୀଠ-ସ୍ଫୁଟିକରେ

ପୋତା ସୁନା ଅଡ଼ା ମେଘ !

ହେଲେ ସଂଧ୍ୟା

ପୋଷା ମୟୂରଟି ଆମ

ଶୁଏ ତା ଉପରେ ।

ସେ ମୟୂର କଥା ଭାଇ !

ପଡ଼ି ଆଜି ମନେ—

ଖୋଲିଯାଏ ସପନର ଦ୍ୱାର ।

ଆହା ! ପ୍ରାଣପ୍ରିୟା ମୋର,

ନରମ ହାତରେ

ଦେଇ କେତେ

ତାଳୀ ପରେ ତାଳୀ

ନଚାଏ ତାହାରେ !!!

ତାଳୀ ତାଳେ ତାଳେ

ବାଜେ ହାତର ଗହଣା ।

କି ମଧୁର !!!

କେତେ ସେ ସୁନ୍ଦର !!!

‘‘ଚାଲାକ୍ ଭାଇ ହେ ମୋର !

ଏଇ ସବୁ କତା ରଖି ମନେ

ନିଶ୍ଚୟ ପାରିବ ଚିହ୍ନି

ସେଇ ମୋର ଘର ।

ଦ୍ୱାର ଦୁଇ ପାଶେ—

ଅଙ୍କା ତାର ଶଙ୍ଖ ପଦ୍ମ ଛବି

ସେ ଖାଲି ସୂଚନା ମୋର

ଧନ ଦୌଲତର ।

ଜାଣିଛି ମୁଁ

ସେ ଦୁଇଟି ଦେଖି

ଚିହ୍ନିବାକୁ ଆଉ କିଛି ରହିବନି ବାକୀ ।

ଘର ଦୁଆରର କଥା

ଯା କହିଲି ଭାଇ !

ସେ କି ଆଉ ଥିବ ସେହିପରି ?

ମୋର ବିନା,

ଆହା ମୋର ମଣିର ଭବନ

ହୋଇବଣି ହାୟ କେତେ

ଶ୍ରୀହୀନ ମଳିନ !!

ଜାଣନି କି

ସୂର୍ଯ୍ୟ ଗଲେଡ଼ୁବି

ପଦ୍ମିନୀର ସବୁ ଶୋଭା

ଯାଏ କେଣେ ନିଭି ।

‘‘ଭାଇ ମେଘ !

କିଛି ଚିଜ ଖୋଜିବାକୁ ହେଲେ

ଉଚ୍ଚ ଥାନେ ରହି ପରା

ଅନାନ୍ତି ସକଳେ

ଦେଖିବାକୁ ପ୍ରେୟସୀରେ ମୋର

ସେହିପରି ଉଚ୍ଚ ସ୍ଥାନ ତହିଁ

ଲୋଡ଼ା ତୁମ ପାଇଁ ତ ନିଶ୍ଚୟ ।

ମନେ କର—

କହିଛି ଆଗରୁ

ବାଡ଼ରେ ମୋ କ୍ରୀଡ଼ା ପରବତ,

ହସ୍ତିଶିଶୁ ପରି କାୟା କରି ସଂକୁଚିତ

ତହିଁ ତୁମେ ହେବ ଉପନତ ।

ଜୁଳୁଜୁଳା ପୋକ ପଞ୍ଝା—

ଆଲୁଅର ପରି

ବିଜୁଳିର ନରମ ନଜର

ଗୃହ ଅନ୍ତରାଳେ ଦେବ ଚାଳି ।

‘‘ସେଇ ଗୃହ ଅନ୍ତରାଳେ ମେଘ !

ଦେଖିବ ମୋ ପରାଣ ପ୍ରେୟସୀ,

ପାତଳ ଅଙ୍ଗରେ ତାର

ମଦିର ଯୌବନ

ଫୁଟି ସୃଷ୍ଟି କରୁଥାଇ ଅମର ଲାବଣ୍ୟ ।

ରଙ୍ଗ ଚହ ଚହ ତାର

ବିମ୍ୱ-ଅଧରରୁ

ବୋହି ସତେ ପଡ଼ୁଥାଏ ନାଲି ।

ଅଣ୍ଟା ତାର

ଏତେ ସରୁ ଭାଇ !

ରହିପାରେ ରେଖାକ ଭିତରେ ।

ନାଭିଟିର ଚାରୁ ଗଭୀରତା

ମଉନେ ଜଗାଇ ଯାଏ

ମରମରେ ବ୍ୟଥା ।

ଏତେ ଭାରି ନିତମ୍ୱ ତାହାରି

ଚାଲିଟି ସେ ଲାଗି ଗୁରୁ ଅଳସ-ମନ୍ଥର

ଅଙ୍ଗଲତା

ବକ୍ଷଭାରେ ଭାରୀ

ଆଗେ ନଇଁ ପଡ଼ିଛି ଅଳପେ

ତେଣୁ ଭାଇ !

ସପନର ସୁଷମା ଉଲୁସେ ।

ହସେ ତାର

ଫୁଟି ପଡ଼େ ପ୍ରଦୋଷର ମଲ୍ଲୀ

ରିବି ରିବି ଦାନ୍ତ ଅଗ ଗୁଡ଼ି

ଫୁଲ କରତର ପରି

କେଡ଼େ ମନୋରମ

ହସେ ହସେ କରତେ ମରମ !!!

ନୟନର ସ୍ନିଗ୍‍ଧ ତୀରେ ପୁଣି

ଫୁଟି ଉଠେ

ହରିଣୀର ଚକିତ ଚାହାଣି,

ତରୁଣର ଶତ ଦମ୍ଭ ହାଣି ।

ସେପରି ରୂପସୀ ମେଘ !

ସପନ ମହୀରେ ।

ଦେଖି ତାରେ

ଲାଗେ ମନେ—

ବିଶ୍ୱରୂପକାରଙ୍କର ତରୁଣୀରଚନା—

ଶିଳ୍ପେ କି ପ୍ରଥମ ରୂପ-ସୃଷ୍ଟି ମୋ ରୂପଳା !!!

‘‘ସେଇ ମେଘ !

ମୋର ପ୍ରିୟତମା...ମୋର ଦ୍ୱିତୀୟ ଜୀବନ ।

ହାୟ ଆଜି ତାର !

ଥିବ କି ସେ ଅପରୂପ ରୂପ !

ମୁଁ ତାହାର ପ୍ରାଣ ସହଚର

ବହୁଦୂର ପଥର ପଥିକ ।

ସାଥୀହରା, ଚକ୍ରବାକବଧୂ ପରି ସେ ତ

ଏକାକିନୀ ଥିବ ବସି

ଝୁରି ମୋରେ ଖାଲି ।

ପ୍ରାଣରାଜ୍ୟେ କେତେ ତାର

ଭାବନା-ବିପ୍ଳବ

ଉଠୁଥିବ

ମୁଖ କିନ୍ତୁ

ମୌନ ଭାଷାହୀନ ।

ସେତେ ଅବା ଦରକାର ହେଲେ,

ପଦେ ଅଧେ କିଛି କେବେ

କହୁଥିବ କାରେ !

ବିରହର ଏଇ ଗୁରୁ ଅଳସ ଦିନରେ

ଶିଶିର ପରଶେ ସଜ ପଦ୍ମିନୀର ସମ

ହାୟ ସେ ତ ଯିବଣି ମଉଳି !!

‘‘ଭାଇ ମେଘ !

କାନ୍ଦି କାନ୍ଦି ତାର

ଆଖିର ସଜଳ ପତା

ଯିବଣି ତ ଫୁଲି ।

ମଧ୍ୟ ବୈଶାଖର ଝାଞ୍ଜି ସମ

ବହି ତପ୍ତ ନିଃଶ୍ୱାସ ପବନ

ଲିଭାଇ ଅଧରତଟୁ ଶୁଭ୍ର ଲୋହିତିମା,

ପାଣ୍ଡୁ ଫିକା

ଚୂର୍ଣ୍ଣିତ କୁନ୍ତଳ ରାଶି ଯାଉଥିବ ଦେଖା ।

ଖସି ମୁଖପରେ,

କରିଥିବ ତ ହେ ଅର୍ଦ୍ଧ ଅସ୍ପଷ୍ଟ ତାହାରେ ।

ପୁଣି ସେଇ ମୁଖ

ବ୍ୟଥାଭାରେ ହୋଇ ଭାରୀ

ପ୍ରେୟସୀର କରତଳେ ଢଳି

ବାଦଲ ଓଢ଼ଣା ତଳେ

ଦରଲୁଚା ଚାନ୍ଦ—

ସମ ଆହା

ହୋଇଥିବ ବଡ଼ ହୀନିମାନ ।

‘‘ବିଜୁଳିର ସଜାଗ ଆଲୋକେ

ଦେଖିବ ନୀରଦ !

ହୁଏ ତ ପ୍ରେୟସୀ ମୋର ମଙ୍ଗଳ ମନାସି

ବାଢ଼ୁଥିବ ପୂଜାଥାଳା ଦେବତାର ପାଦେ ।

ଅବା ଭାଇ !

ବିରହର ଶୀର୍ଣ୍ଣ ଅଙ୍ଗେ ମୋର

କରି କଳପନା

ରଙ୍ଗିନ ତୂଳିକାଚାଳି

ଆଙ୍କୁଥିବ ଚିତ୍ର

ନ ହେଲେ ହୁଏ ତ

ସାରିକାର ପିଞ୍ଜରା ନିକଟେ

ପଚାରୁଥିବ ମୋ ପ୍ରିୟା

ପରାଣ ଆବେଗେ—

ସାରିକା ଗୋ ସ୍ନେହମୟି !

କେତେ ତୋତେ ପାଆନ୍ତି ସେ ଭଲ

ମନେ ତୋର

ପଡ଼ୁଛନ୍ତିଟି ଲୋ ???

‘‘ହୁଏତ ଅଥବା

ମଳିନ ବସନଘେରା ଅଙ୍କପରେ ପ୍ରିୟା

ରଖି ତାର ଆଦରର ବୀଣା

ମୋ ପ୍ରଣୟପଖଳା ସଂଗୀତ

ଗାଇବାକୁ କଲାବେଳେ ମନ

ଉଛୁଳା ନୟନକୋଣୁଁ ନିଗିଡ଼ି ଲୋତକ

ଭିଜାଇଲେ ବୀଣାତାରେ

ବାର ବାର ପୋଛି ତାହା କରେ

ପୁଣି ପୁଣି

ଗାଇବାକୁ କଲାବେଳେ ଚେଷ୍ଟା

ମୂର୍ଚ୍ଛନାଟି ହେଉଥିବ ମନରୁ ପାଶୋର ।

ମନସାଧ ମେଣ୍ଟାଇ ତା ପାରୁ ତ ନଥିବ

କାନ୍ଦୁଥିବ

ବସିଖାଲି ଅସହାୟା ପରି ।

‘‘ଅଥବା ମୋ

ବିରହର ପ୍ରଥମ ଦିନରୁ

ଦେହଳୀର ଧାରେ—

ନିତି ନିତି ତାର ଥୁଆ ଫୁଲ

କାଢ଼ି ଭୂମେ ରଖି ଗୋଟି ଗୋଟି

କରୁଥିବ ଦିନର ହିସାବ—

ବର୍ଷକରୁ କେତେ ଦିନ ହେଲାଣି ଅତୀତ

ଆଉ କେତେ ରହିଅଛି ବାକୀ ?

ହୁଏତ ନ ହେଲେ—

କାନ୍ଥବାଡ଼େ ଢାଳି ଅଙ୍ଗଭାର

ଦୂର ଅତୀତର ସେଇ ମିଳନର ସୁଖ

ଭାବନାରେ କରୁଥିବ

ପ୍ରାଣେ ଅନୁଭବ ।

ଭାଇ ମେଘ !

ଭାବୁଥିବ ତୁମେ

ମୁଁ କିପରି ଏତେ କଥା ଜାଣେ ?

କିନ୍ତୁ ଭାଇ !

ବିରହର ବିଧୁର ଦିନରେ

ଏଇପରି କିଛି ଏକ କଲେ

ବିରହିଣୀ ବ୍ୟଥାତୁର ପ୍ରାଣେ

ଅନେକଟା ଆଶ୍ୱାସନା ମିଳେ ।

‘‘ଭାଇ !

ପ୍ରିୟ ଭାଉଜ ତୁମର

ଦିନଟି ଏପରି ସିନା

ନେଉଥିବ କାଟି

କିନ୍ତୁ ହୋଇ ଆସିଲେ ଅନ୍ଧାର

ଜୀବନେ ତାହାର ମାଡ଼ି ଆସୁଥିବ କାଳ ।

ଥିବ ନାହିଁ କାମଦାମ

ଥିବ ନାହିଁ ନିଦ

କାନ୍ଦୁଥିବ

ପ୍ରିୟା ଖାଲି ପ୍ରାଣେ ଭରି ଖେଦ ।

ସୁକୁମାର ତନୁ ତାର

ଲୋଟୁଥିବ ତଳେ

ସାଥିହରାକୁରରୀ ସମାନ ।

ତେଣୁ ଭାଇ କହୁଛି ତୁମରେ

ରାତିବେଳେ

ଯାଇ ତୁମେ କର ତା ସାକ୍ଷାତ ।

ସେତେବେଳେ

ମୁଖୁଁ ତୁମ ଶୁଣିଲେ ମୋ କଥା

ଭୋଗିବାକୁ ନାହିଁ ହେବ ତାକୁ

ବୁକୁଭଙ୍ଗା ବେଦରଦ ବ୍ୟଥା ।

ପ୍ରଥମରେ—

ଯାଇ ଖୋଲି ଝରକାର ପରେ

ବସି ମନସୁଖେ

ନିରେଖିବ ଭଲ କରି ପ୍ରେୟସୀରେ ମୋର ।

‘‘ଦେହ ତାର

ହୋଇଥିବ ଭାରି ଦୁରୁବଳ ।

ତେଣୁ ସେ ତ

ବିରହର ପତ୍ରଶଯ୍ୟାପରେ

ପଡ଼ିଥିବ ଏକା କଡ଼କରେ ।

ପ୍ରାଚୀ ଗଗନର ତୀରେ

ମଉଳା ନିଶାରେ

କୃଷ୍ଣା ଚତୁର୍ଦ୍ଦଶୀଟିର କ୍ଷୀଣ ଚାନ୍ଦଲେଖା ।

ପରି ହାୟ

ଯାଉଥିବ ଦେଖା !!!

ମୋର ସାଥେ

ତାର ଯେଉଁ ରାତି

ନିମିଷକ ପରି ଯାଏ ବିତି

ନେଇ କେତେ ସପନର ସ୍ମୃତି

ସେଇ ରାତି ମଧୁରିମାମୟୀ

ଏବେ ହୋଇଥିବ ତାର

ଚିର ଦୁଃଖେ ଭରା

ବିରହବିଧୁର ତାର

ପ୍ରତ୍ୟେକଟି କ୍ଷଣ

କରୁଥିବ ରହି ରହି ଗତି ଅତି କ୍ଷୀଣ

ନେଇ ସାଥେ ପ୍ରିୟାନେତ୍ରୁ ତପ୍ତ ଲୁହଧାର ।

‘‘ଝରକାର ଫାଙ୍କେ ଫାଙ୍କେ

ମୁଦିର ଜୋଛନା

ଆସି ଭାଇ ! ପଡ଼ିଲେ ଗୃହରେ

ପ୍ରିୟାର ପିୟାସୀ ଆଖି

ସ୍ମରି ତାର

ଅମୃତ ପରଶ,

ଆସୁଥିବ ଧାଇଁ ତାର ପାଶେ ।

କିନ୍ତୁ ପୁଣି

ପର ମୁହୂର୍ତ୍ତରେ

ଫେରୁଥିବ ତ୍ରାସଘୋରେ

ବ୍ୟଥାର ବିକଳେ ।

ଆଗେକାର

କେତେ କେତେ କଥା ମନେ ପଡ଼ି

ପୂରୁଥିବ ଆଖି ଦୁଃଖଲୁହେ ।

ପ୍ରେୟସୀ ତାହାରେ

ପକ୍ଷ୍ମ ଢାଳି ବୁଜିବାକୁ ଗଲେ

ହେଉ ତ ନଥିବ ବୁଜି

କିନ୍ତୁ,

ଝଡ଼ି ବରଷା ଦିନର ସ୍ଥଳପଦ୍ମ ସମ

ଅଫୁଟା ଅବୁଜା ତାହା...

ବଡ଼ ମ୍ଳାନ ଗ୍ଳାନ...

‘‘ଭାଇ ମେଘ !

ପ୍ରତିଦିନ ନୁଖୁରା ଗାଧୋଇ

ନୁଖୁରା ତା ବାଳ ସବୁ

ତମ୍ୱାତାର ପରି

ହୋଇବଣି ହାୟ କି କହରା !

ଉପରୁ ଖସି ତା ଆସି

ମୃଦୁଗଣ୍ଡ ପରେ,

କମ୍ପୁଥିବ ନିଃଶ୍ୱାସ ପବନେ

ଛାୟା ଯଥା ଅଧିର ସମୀରେ ।

ସ୍ୱପ୍ନେ ଥରେ

ପାଇବାକୁ ନିକଟତା ମୋର

କେତେ ବିକଳରେ ଲୋଡ଼ୁ ନଥିବ ସେ ନିଦ !

କିନ୍ତୁ ଭାଇ !

ଆଖି ଆଖି ଭରା ଯହିଁ ଜଳ

କାହିଁ ତହିଁ ନିଦର ଆସର ।

ଆଉ

ବିନା ନିଦେ କାହିଁଛି ସପନ ???

‘‘ମିଳନର ଶେଷ ଦିନ ମେଘ !

କାଢ଼ି ଫୁଲମାଳ,

କାଢ଼ି ସବୁ ଅଳଙ୍କାର

ପାରିଥିଲା ପ୍ରିୟା ମୋର ଶିରେ ସାଧା ବେଣୀ ।

ପ୍ରଥମ ଦିନରେ ପୁଣି

ପୁନର୍ମିଳନରେ,

ମୋର ତାହା ଖୋଲିବାର କଥା ।

ଆଜି ସେହି ବେଣୀ

କେତେ ଦୂର ଦିନର ପୁରୁଣା

ଆଲୋକ ଶିଥିଳ

ଠାଏ ଠାଏ ହୋଇବଣି ଜଟ

ହେବଣି ବି ସରୁ

ବାଳ ଖସି ଠାଏ ଠାଏ

ଥିଲା ଭାଇ !

ଦିନେ ତାହା

ସୌନ୍ଦର୍ଯ୍ୟର ଛନ୍ଦା ନଈଧାର

କିନ୍ତୁ ଆଜି...

ହାୟ କେତେ ଦୁରୁଦଶା ତାର !!!

ବେଳେ ବେଳେ

ନିଷ୍ଠୁର ସେ ବେଣୀ

ଅଚାନକ ଗଣ୍ଡପରେ ପଡ଼ି

ନିଷ୍ଠୁର ପରଶେ ତାର ଦେଉଥିଲେ ଫୋଡ଼ି

ପ୍ରିୟା ମୋର

ଧରି ହାତେ ତାରେ

ଧୀରେ ନେଇ ଥୋଉଥିବ

ପିଠିର ଉପରେ

ହାୟ ହାୟ !!

ସେ ହାତ କି ଆଉ ଏବେ

ଦିଶୁଥିବ ସୁଶ୍ରୀ !!

ହେଲା ଆସି ଦୀର୍ଘ ଆଠ ମାସ

ଆଙ୍ଗୁଠିର ନଖ

ଦେଖିଲାନି

ଦିନେ ନହୁରୁଣୀ ।

ବଢ଼ିଥିବ ଏଡ଼େ ଏଡ଼େ.

ବଡ଼ ଅସୁନ୍ଦର ।

‘‘ଭାଇ ମେଘ !

 

ବିରହିଣୀ ତୁମ ଭାଉଜର

ସବୁ ବଳ

ସବୁ ଦମ୍ଭ

ଯିବଣି ଉଭାଇ ।

ଶୀର୍ଣ୍ଣ ଅଙ୍ଗୁ,

ଖସି ତାର ଅଳଙ୍କାରମାନ

ଦିଶିବଣି ନିହାତି ବେଢ଼ଙ୍ଗ ।

ଆଜିକାଲି ଭାଇ !

ବସିଲା ଥାନରୁ ସେ ତ

କଷ୍ଟେ କଷ୍ଟେ ଉଠି,

ଶେଯପରେ ପଡ଼ୁଥିବ ଲୋଟି ।

ସେ ବି ଭଲ ଲାଗୁ ତ ନଥିବ

ଉଠି ଭାଇ ବସୁଥିବ ପୁଣି

ନା, ସେ ବି ନୁହେଁ

ପୁଣି ଦୁଃଖେ ପଡ଼ୁଥିବ ଲୋଟି

ଭାଇ ମେଘ !

ତାର ଏଇ ଆକୁଳ ଦୁର୍ଦ୍ଦଶା

ଅବଶ୍ୟ ହୃଦୟ ତୁମ

ଦେବ ତରଳାଇ ।

ନେତ୍ରୁ ତୁମ

ଗଳିବ ଲୋତକ—

ଝିରି ଝିରି—ନବ ଜଳମୟ ।

ତୁମ ପରି

ହୃଦ ଯାର

ତରଳ ମୃଦୁଳ,

ପରଦୁଃଖେ

ପରା ତହିଁ ଫୁଟେ କରୁଣତା !

ମୋ ଲାଗି ମୋ ପରାଣ ପ୍ରେୟସୀ

ହୋଇଥିବ ଏତେ ବ୍ୟଥାହତା

ଅସମ୍ଭବ ମଣୁଥିବ ତୁମେ ।

ଭାବୁଥିବ

ଖାଲି ଆତ୍ମବଡ଼ିମା ବିସ୍ତାର

ମିଛେ ମୁଁ କରୁଛି ଏଥି ନିକଟରେ ତୁମ ।

କିନ୍ତୁ ମେଘ ! ଭାଉଜ ତୁମର

ଏତେ ଭାଇ ! ଭଲ ପାଏ ମୋତେ

କଥାରେ ତା ହେବ ନାହିଁ କହି ।

ଏ ତ ପୁଣି ବିରହର ପ୍ରଥମ ପରଶ ।

ଭାବ ତୁମେ

ନିଜ ତୁମ ମନେ

ମୋ କଥା ବା କିସ ?

ପୁରୁଣା ହୋଇଲେ ଦୁଃଖ ହୁଏ ଦେହ-ସହା

କିନ୍ତୁ ତାର ପ୍ରଥମ ଆଘାତ

ବଜ୍ରପରି ବୁକୁ ଭାଙ୍ଗି କରି ଦିଏ ଚୂନା—

ପ୍ରାଣରାଜ୍ୟେ ଜାଳି ଯାଏ—

ଦହନ ପ୍ଳାବନ ।

ସେଥିପାଇଁ କହେ ଆଜି ଯାହା ଯାହା ମୁହିଁ

ଦେଖିବ ହେ

ଠିକ୍ ସବୁ ଅବିକଳ ଯାଇ ।

‘‘ଭାଇ ହେ ମୋ !

ଉପରୁ ପଡ଼ିଲେ ତୁମ ଝିରି ଝିରି ଜଳ

କିସ ବୋଲି ପ୍ରିୟା ମୋର

ଚାହିଁବ ତୁମରେ—

ଢୁଳୁ ଢୁଳୁ କରି ତନ୍ଦ୍ରାଖୋର ଆଖିତାରା

‘‘ଦେଖିବ ନୀରଦ !

ଏଣୀନୟନା ନୟନ

ଅଞ୍ଜନବିହୀନ

ତୁଚ୍ଛା ଫିକା ରୂକ୍ଷ ମ୍ଳାନ ।

ଆଗେ ମୋର ସାଥେ ପିଇ ସୁରା

ଯେଉଁ ଆଖି,

ହୋଇଥାଏ ଶତ ସ୍ୱପ୍ନେ ଭରା,

ଆଜି ତହିଁ

ଘୋଟିଥିବ ନିରୀହତା ଘୋର

ମଥାପରୁ ଖସି କେତେ ଆଲୋକ କୁନ୍ତଳ

ଛାଇ ଯାଇଥିବ ତାର ଅଳସ ଅପାଙ୍ଗେ ।

ଏତେ ବଡ଼ ଆନନ୍ଦର ଦୂତ !

ତୁମକୁ ସେ ପାଇଲେ ନିକଟେ

ନିଶ୍ଚୟ ତା ବାମ ଚକ୍ଷୁ ଉପର ପତାରେ

କମ୍ପନ କରିବ କ୍ରୀଡ଼ା ସୂଚାଇ ମଙ୍ଗଳ ।

ଦେଖି ହେବ ମନେ—

ଆଖି ସତେ ସଜଳ ସରସୀ

ମାଛପରି ଖେଳେ ତହିଁ

ନୟନର ତାରା !

ଦେହ ପୁଣି ଲାଗି ଲାଗି ତାର

ଆଖିପତା—ପଦ୍ମର ପାଖୁଡ଼ା

ଉଠେ କି ହେ ଥରି ଅନିବାର !!!

‘‘ସାଥେ ସାଥେ ପୁଣି,

ବାମ ଊରୁ ମୋ ପ୍ରାଣ ପ୍ରିୟାର

ଉଠିବ ଶିହରି

ଚକିତେ ସେ ଶୁଭରେ ସୂଚାଇ ।

ଚିକ୍‍କଣ କଦଳୀ ଦ୍ରୂମ ସମ ମନୋରମ,

ସେଇ ଊରୁ ମୋର ମେଘ,

ଆଦରର ଧନ !

ପ୍ରଣୟ ମାତାଲ ହୋଇ କେତେ ତହିଁ ମୁହିଁ

ନଖମୁନେ କ୍ଷତ କରି ନାହିଁ !

ଶ୍ରମଝାଳ ଲାଗି,

ତାହା ମେଘ ! ପୋଡ଼ିଉଠେ ବୋଲି

ପ୍ରିୟା ମୋର

ବାନ୍ଧି ତହିଁ ମୁକୁତାର ମାଳା

ଶମାଏ ସେ ଜ୍ୱାଳା

ବ୍ୟଥା ତହିଁ

ଲାଗିଥାଏ ବୋଲି,

ନିତି ରତିଶେଷେ

ଧୀର ହାତେ କେତେ ମୁଁ ଆଉଁସେ ।

କି ଦୋଷ କଲି ରେ ତୋର ନିର୍ଦ୍ଦୟ ଦଇବ

ଦୂରରେ ରଖିଲୁ ଏତେ ଅଭୁଲା ବିଭବ ।

‘‘ଭାଇ ମେଘ !

ମିନତି ମୋହାର—

ପହଞ୍ଚିଲା ବେଳେ ତୁମେ

ପ୍ରିୟା ମୋର ଥାଏ ଯେବେ ଶୋଇ,

ଅନୁଗ୍ରହ କରି ତେବେ ଭାଇ

ଗୋଟିଏ ପ୍ରହର ମାତ୍ର କରିବ ଅପେକ୍ଷା ।

କିଏ ଜାଣେ

ପ୍ରିୟା ମୋର ନିବିଡ଼ ସ୍ୱପନେ

ପାଇ ମୋରେ,

ଛନ୍ଦି ତାର ବାହୁଲତିକାରେ

ଭରୁଥିବ ପ୍ରାଣ

ପିଇ ପ୍ରଣୟମଦିରା ।

ସେତେବେଳେ

ତୁମେ ଯେବେ କର ଗରଜନ

ଭାଙ୍ଗି ନିଦ

ଉଡ଼ିଯିବ ସେ ସୁଖସ୍ୱପନ ।

ହତାଶାର ଦଗ୍‍ଧ ହାହାକାର

ପ୍ରାଣେ ପୁଣି ଜଳିବ ଦୁର୍ବାର ।

ସେଥିପାଇଁ

ଅନୁରୋଧ ବାର ବାର ମୋର

କରିବନି ଗରଜନ କେବେ ।

ପ୍ରଣୟର ସୁଖ

ସ୍ମୃତିରେ ସ୍ମୃତିରେ ମେଘ !

ହେଲେ ବି ଅମାପ ।

ବାସ୍ତବେ ତା

ଗୋଟିଏ ପ୍ରହରେ ମାତ୍ର ହୋଇଥାଏ ଶେଷ ।

‘‘ତେଣୁ ଭାଇ

ବିତିଲେ ପହର

ଭାଙ୍ଗିବ ତା ନିଦ

ତୁମ ଶୀତଳ ବତାଶେ ।

ପାହାନ୍ତିଆ ଶୀତବାଆ ଛୁଇଁ

ବର୍ଷାର ମାଳତୀ ପରି

ଆଖି ତାର ଆପେ ଯିବ ଖୋଲି ।

ବାତାୟନ ପରେ ତୁମ

କଳା ରୂପ ଦେଖି

ସହସା ସେ ହୋଇବ ବିସ୍ମିତା

ତେଣୁ ମେଘ !

ଧୀରେ ତୁମେ ଆରମ୍ଭିବ କଥା ।

ଭାଉଜ ବୋଲି ସେ ବେଶି କରିବନି ଥଟ୍ଟା

ଭାରି ଅଭିମାନିନୀ ସେ

ଟିକକରେ ରୁଷେ ।

ବିଜୁଳି ଚମକ ତୁମ

କରି ସଂଗୋପନ ।

ପାରାର ଘୂମୁରା ସ୍ୱରେ କହିବ ଏସନ—

‘‘ଅହ୍ୟରାଣୀ ଭାଉନ ମୋର ଗୋ !

ତୁମ ପ୍ରାଣପ୍ରିୟଙ୍କର

ପ୍ରିୟ ଭାଇ ମୁହିଁ ।

ଘର ମୋର ସୁଦୂର ଆକାଶେ

ମେଘ ମୋର ନାମ

କାମ ମୋର

ଜଳାପୋଡ଼ା ତପତ ବୁକୁର

ସନ୍ତାପ ହରଣ ।

ସ୍ନିଗ୍‍ଧ ମନ୍ଦ୍ର ଗରଜନେ

ପଥିକର ପ୍ରାଣେ

ଛୁଆଁଏ ମୁଁ କାଉଁରୀର ମାୟା

ସେଇ ମାୟା ମୋହ ଘୋରେ—

ବନିତା ବିରହ ବେଣୀ କରିବାକୁ ମୁକ୍ତ

ଦୂରପଥୁ ଫେରେ ଦୂରଦେଶୀ ।

ଆଜି ମୁଁ ଗୋ !

ଆସିଅଛି ତୁମରି ଦୁଆରେ ।

କହିବି ତୁମରେ—

ଦୂରଦେଶୀ ତୁମ ପ୍ରିୟକଥା ।

‘‘ଭାଇ ମେଘ !

ଏଇତକ କହୁ କହୁ ତୁମେ

ଉତ୍କଣ୍ଠା ଆବେଗେ

ତେଜି ଲାଜ

ନତ ମୁଖ ତୋଳି

ଅଶୋକର ଶୋକମୟ କାନନେ ମୌଥିଳୀ

ଆନନ୍ଦର ଅଗ୍ରଦୂତ ଅଂଜନାତନୟେ—

ଚାହିଁଲାର ପରି,

ପ୍ରିୟା ମୋର ଚାହିଁବ ତୁମରେ ।

ଆଦରରେ କରି ତୁମ ସ୍ନିଗ୍‍ଧ ଅଭ୍ୟର୍ଥନା

ଶୁଣିବାକୁ କଥା ତୁମ

ହେବ ସେ ଉନ୍ମନା ।

ସୁନ୍ଦର ହେ !

ପ୍ରାଣପ୍ରିୟ ପ୍ରିୟ ମୁଖୁ ପ୍ରାଣପ୍ରିୟ କଥା,

ଶୁଣିଲେ ତରୁଣୀ

ପ୍ରାଣପ୍ରିୟ ପ୍ରାଣସ୍ପର୍ଶ ପରି

ଅନେକଟା ଥାଆନ୍ତି ସେ ମଣି ।

‘‘ଦୀର୍ଘଜୀବୀ ହୁଅ ଭାଇ

କଲ୍ୟାଣ ମୋହର ।

ଏସବୁ କାର୍ଯ୍ୟରେ ହେବ

ଯେତେ ଯେତେ କଷ୍ଟ

ଭାବ ନାହିଁ

ଖାଲି ସବୁ ମୋହରି ନିମିତ୍ତ ।

ତୁମର ବି

ଲାଭ ଏଥି ଅନେକ ଅନେକ ।

ଭାବ ଥରେ,

ଦୁଇଗୋଟି ପ୍ରାଣରକ୍ଷା କରିବାର ପୁଣ୍ୟ

କେତେ ଜଣଙ୍କର ଭାଗ୍ୟେ

ଜୁଟେ ଦୁନିଆରେ ?

ପ୍ରେୟସୀରେ କହିବ ନୀରଦ !

ଭାଉଜ ଗୋ !

ସୁକୁମାର ପାତଳ ତନୁରେ—

ବିରହ ଯାତନା ଘୋର

ସହିବାକୁ ନାହିଁ ତୁମ ବଳ ।

ସେଥିପାଇଁ

ପ୍ରାଣସାଥି ତୁମ

ଯେ ତୁମରେ ନିତି ଝୁରେ ଆକୁଳ ଅନ୍ତରେ

ଆଜି ସେ ଗୋ

ବହୁଦୂରେ—ରାମଗିରିଠାରେ

ବହୁ କଷ୍ଟେ ଧରି ତାର

କ୍ଳେଶକ୍ଲାନ୍ତ ପ୍ରାଣ,

ପଚାରି ପଠାଇଅଛି—କୁଶଳ ତୁମରି ।

ଜାଣ ତ ନୀରଦ !

ସୁଲଭ ଶରୀରେ ପୀଡ଼ା ପ୍ରାଣୀମାନଙ୍କର

ତେଣୁ ନିତିଦିନେ—

ପଚାରି ଥାଆନ୍ତି ସର୍ବେ କୁଶଳ ପ୍ରଥମେ ।

‘‘କହିବ ତାହାରେ—

ତୋହ ପରି

ତୋର ପ୍ରିୟପ୍ରାଣ ଦୁଃଖେ ଜଳେ ।

କିନ୍ତୁ ସେ ଗୋ

କରିପାରେ କିସ ?

କିବା ଅଛି ତା ଆୟତ୍ତ ??

ଭାଗ୍ୟ ତ ଭଗାରି ହୋଇ

ରଖି ତାକୁ ଦୂରେ

ଆସିବାର ପଥ ତାର ଦେଇଛି ପକାଇ ।

ତୁମପରି

ଦେହ ତାର

କେବଳ ଗୋ ହାଡ଼ର କଙ୍କାଳ ।

ବିରହନିଆଁ ଦାରୁଣ ତୁମରି ପରି ଗୋ

ଅନ୍ତରେ ତା ଜଳେ ଡହ ଡହ ।

ତୁମ ବୁକୁତଳ ଯଥା

ତିନ୍ତୁଛି ଲୁହରେ,

ଆଖି ତାର

ସେହିପରି

ଲୋତକେ ପହଁରେ ।

ତା’ରେ ଥରେ

ପାଇବାର ପାଇଁ

ଜଳନ୍ତା ଉତ୍କଣ୍ଠା

ଯାଏ ଯଥା ତୁମ ପ୍ରାଣ ଛୁଇଁ ।

ସେ ଗୋ ସେଇପରି

ନିତି ଜାଳେ ପ୍ରାଣେ ତାର

ଉତ୍କଣ୍ଠାର ଅନିଭନ୍ତ ଜୂଇ ।

ତୁମରି ପରି ତାର ଗୋ

ଦଗ୍‍ଧ ଶ୍ୱାସ-ନଇରାଶ୍ୟ-ଜାଳା

ନିତି ଉଠି

ମିଶେ ଦୂର ଦେହେ ଆକଶର ।

ତେଣୁ ସେ ଗୋ

ତୁମ ପ୍ରାଣବ୍ୟଥା

ଜାଣେ ଆଜି

ଅନୁଭୂତି-ପଥେ ଆପଣାର ।

‘‘ସେଇ ସେ ତୁମରି ପ୍ରିୟ

ଦିନେ ଯେ ଗୋ ଚୁମାଟିଏ ପାଇଁ

ସଖୀମାନେ ଥିଲେ ପାଶେ

ସୁବିଧା ନପାଇ,

କାନେ କଥା କହିବାର ଛଳେ

ମନସାଧ ମେଣ୍ଟାଉଥିଲା ଗୋ

ଆଜି ଦୂରେ—ବହୁ ଦୂରେ......

ଆଖିରେ ଦିଶେନା ରୂପ,

କାନେ ତାର ପଡ଼େ ନାହିଁ କଥା ।

ହାୟ ହାୟ !

କେତେ ବିପର୍ଯ୍ୟୟ !!!

ତଥାପି ସେ ଉତ୍କଣ୍ଠା କାତରେ

ହାତେ ମୋର କହିଅଛି ଏହା—

‘‘ମାନମୟି ପ୍ରେୟସି ମୋର ଗୋ !

କ୍ଷୁର୍ଣ୍ଣ କେବେ କରିବନି ମନ ।

ଭାଗ୍ୟଦୋଷେ

ଅଛି ସିନା ଏଇ ଦୂରଦେଶେ,

କିନ୍ତୁ ପ୍ରାଣୁ

କ୍ଷଣପାଇଁ

ନାହିଁ ହୁଏ ଦୂର ।

ଅମାପ ପିପାସା ତୁମ

ଅପରୂପ ରୂପଳ ରୂପର ।

ପାଇବାକୁ ଖାଲି ଟିକେ

ତାହାରି ଆଭାସ

ଖୋଜି ବୁଲେ

ନିତି ଏଥି

ବନେ ବନେ

ଧରଣୀ ଗଗନେ ।

ଅଙ୍ଗ ମୃଦୁଳତା

ତୁମ ରସେ—

ପାଇବାକୁ ଟିକେ

ଆଲିଙ୍ଗନ କରେ ଯାଇ ପ୍ରିୟଙ୍ଗୁଲତିକା ।

ଢଳ ଢଳ ଚକ୍ଷୁ ତୁମ

ଦେଖିବାର ପାଇଁ,

ହରିଣୀଚକିତ ଚକ୍ଷେ

ରହେ ଗୋ ଅନାଇଁ ।

ଲପନ ସୁଷମା

ଦେଖିବାକୁ ଥରେ

କେଡ଼େ ମନେ

ଆବେଶ ନୟନେ—

ଚାହେଁ ମୁଁ ଗୋ ପୂର୍ଣ୍ଣିମାର ଚାନ୍ଦେ ।

ଗହଳ କବରୀଶୋଭା

ପଡ଼ିଗଲେ ମନେ,

ପିଚ୍ଛିଳ ଦୃଷ୍ଟିରେ

ଚାହେଁ ମୟୂରର ପୁଚ୍ଛେ—

ଯା ମେଲି ସେ

ବନେ ବନେ ନାଚେ ।

ଭୂରୁର ଭଙ୍ଗିମା

ଦେଖିବାକୁ ଥରେ ଆଗୋ ଲାବଣ୍ୟ ପ୍ରତିମା

କୁଟିଳ ଲହରୀ ଯାହା ଉଠେ ତଟିନୀରେ

ପ୍ରାଣ ଭରି

ନିରେଖେ ତାହାରେ ।

କିନ୍ତୁ ନୁହେଁ,

ଗୋଟାଏ କେ ମିଳେ ନାହିଁ

ତୁମ ସହିତରେ ।

‘‘ମନେ ଆଜି ଅଛି ନା ମାନିନି !

କଉତୁକେ ପଦେ

କହିଲେ ମୁଁ

ଯାଅ କେତେ ରାଗି ।

କହ ନାହିଁ କଥା

ପୁଣି

ଚାହଁ ନାହିଁ ମାନେ ।

ସେଇ ଆଡ଼ରୁଷା ଛବି

ପ୍ରେୟସି ମୋର ଗୋ !

ମନେ ପଡ଼େ

ଏ ଦୂର ଜଙ୍ଗଲେ ।

ପାହାଡ଼ର ପଥର ବୁକୁରେ

ଖଡ଼ୀଗାରେ

ଗେରୁଦାଗେ

କରେ ମୁଁ ଅଙ୍କନ

ସେଇ ଛବି—ଲୋଭନ ମୋହନ ।

କିନ୍ତୁ ମାନ ଭାଙ୍ଗିବା ବେଳର

ତୁମରି ଚରଣତଳେ

ମୋ ଲୁଣ୍ଠନ ଚିତ୍ର—

ଲେଖିବାକୁ ଗଲାବେଳେ ହାୟ

ଲୋତକରେ ଭରେ ମୋ ନୟନ ।

ନାହିଁ ଦିଶେ କିଛି ମୋତେ

ହାତ ଯାଏ ରହି ।

ପୋଛି ଲୁହ

ପରାଣ ଆବେଗେ

ପୁଣି ଯାଏ ଲେଖିବାକୁ

ପୁଣି ନାହିଁ ହୁଏ ।

ସେହିପରି ପୁଣି ଅଶ୍ରୁ

ନେତ୍ରେ ମୋର ଉଏଁ

ଥରକୁ ଥର ମୁଁ ଲୁହ

ପୋଛେ ଗୋ ଯେତିକି

ପୁଣି ମୋ ନୟନ

ଲୁହେ ପୂରେ ଗୋ ତେତିକି ।

ଶେଷେ ମୋର

ବନ୍ଦ—ରୂପଲେଖା ।

ପ୍ରେୟସି ଗୋ

ନିଠୁର ଦଇବ ଆମ

ଏଡ଼ିକି ଭଗାରି

ଅଙ୍କନ-ମିଳନ ଆମ

ନାହିଁ ପାରେ ସହି ।

‘‘ଦିନେ ଦିନେ—

ଶୋଇବାର ବେଳେ

ସ୍ୱପ୍ନପଥେ—ଦେଖିଲେ ତୁମରେ

ଆଲିଙ୍ଗନ କ୍ଷୁଧା ମୋର

ମେଣ୍ଟାଇବା ପାଇଁ

ଅଜାଣତେ

ବଢ଼ାଏ ମୁଁ ହାତ ।

ବନବୃକ୍ଷ ବୀଥିପରେ

ବନର ଦେବତା

ଦେଖି ମୋର

ଏ ଆକୁଳ ଦଶା

ବିକଳ ହୃଦୟେ କେତେ

କରନ୍ତି କ୍ରନ୍ଦନ ।

ମୁକ୍ତାବିନ୍ଦୁ ପରି ଗଳି

ଲୁହର ଶିଶିର

କଅଁଳ ପତର ପରେ

ଟପ ଟପ ପଡ଼େ ।

‘‘ବାନ୍ଧବୀ ଗୋ !

ବହେ ଯେବେ

ଉତ୍ତରା ପବନ

ହିମାଳୟର ହେମାଳେ

ଦେହ ତାର ଭରି ।

ପୁଣି ସେଇ

ହିମାଳୟ ଦେବଦାରୁ ବନୁ

କମ୍ପନ ତରଙ୍ଗେ ଭାଙ୍ଗି

କଅଁଳ ପତର,

କ୍ଷୀରମୟ ସୌରଭ ଆହୁରି

ଆଗେ ଗୁଣମୟି !

ଭାବେ ମନେ

ଏହୁ ଅବା ଆସିଥିବ ଅଙ୍ଗ ତୁମ ଛୁଇଁ ।

ରୂପଲୁବ୍‍ଧ ଗନ୍ଧଲୁବ୍‍ଧ ମୋ ବିଧୁର ହିଆ

ତାହାରି ଆଶ୍ଳେଷ ପାଇଁ

ହାୟ କେତେ ହୁଏ ହାଇଁପାଇଁ ।

‘‘ମନେ ପଡ଼େ ଯେବେ ତୁମ ଚଟୁଳ ନୟନ

ଭାବେ ମନେ ମନେ—

ରାତ୍ରି ସେଇ ଚପଳତା ଧରି

କ୍ଷଣପରି

ଯାଆନ୍ତା କି ସରି ?

ପୁଣି ସେଇ ନୟନର

ଜ୍ୟୋତ୍ସ୍ନା ସ୍ନିଗ୍‍ଧ କାନ୍ତି ଢଳ ଢଳ

ମନରେ ମନାସିବାକୁ

କରେ ମୋରେ ବାଧ୍ୟ—

ସେଇପରି—ଲଳିତ ନରମ

ହୁଅନ୍ତା କି ଦିବସର ଖରା ।

କିନ୍ତୁ ହାୟ !

ମନର ମନାସ କାହିଁ ମିଳେ ଗୋ ମହୀରେ !!

ରାତ୍ରିର ପ୍ରହର ହୁଏ ନିତାନ୍ତ ନିଶ୍ଚଳ

ଦିବସର ଖରା ଲାଗେ—ସତେ ନିଆଁଝୁଲ !

ଏହିପରି

ଆଜିକାଲି ଯାଏ ମୋର ଦିନ ।

ଶାନ୍ତି ଟିକେ ମିଳେ ନାହିଁ କାହିଁ ?

ତୁମରି ବ୍ୟଥାଟି ମୋର

ରୁକ୍ଷ ବକ୍ଷ ତଳେ

ଚିତା ପରି ଡହ ଡହ ଜଳେ ।

କେତେ ନିଃସହାୟ ଦେଖ ଜୀବନ ମୋହର ।

‘‘କିନ୍ତୁ ଶେଷେ

ମନକୁ ମନ ବହୁତ ବୁଝାଇ ନିଜର

ଦମ୍ଭ ଦିଏ ପ୍ରାଣେ ।

ଦୂରଦେଶୁଁ ପ୍ରେୟସି ଗୋ !

ମନାସେ ମଙ୍ଗଳ

ଧୈର୍ଯ୍ୟହରା ପ୍ରାଣ ତୁମ

ନ ହେଉ—ନ ହେଉ ।

ହାଲୁକା ନ କରି ଛାତି କର ଗୋ ପଥର

ଗଲାଣି ତ ଏତେ ଦିନ

ଆଉ ଅବା କେତେ ?

ଆସିବ ଗୋ

ଦିନ ପୁଣି ଆଲୋକ-ପଖଳା,

ଘୁଞ୍ଚିବ ଏ ଆବିଳ ବାଦଲ ।

ଚିର ଚିରସୁଖ ସ୍ନାତ

ନୁହେଁ ଗୋ ଜୀବନ

ନୁହେଁ ତଥା ଚିର ଦୁଃଖେ ଜଳା,

ଜୀବନର ପଥ ପରେ—

ଚକପହି ପରି

ସୁଖ ଦୁଃଖ ତଳେ ପଡ଼ି

ଉଠେ ମୋ ଉପରେ

ନିତି ନିତି କ୍ରମିକ ଗତିରେ

ସ୍ମୃତି ପୁଣି ହୁଏ ତା ସପନ ।

‘‘ନୁହେ ଆଉ ବେଶୀଦିନ

ଏ ଦୁଃଖର ଦିନ

କାର୍ତ୍ତିକର ଶୁକ୍ଳ ଏକାଦଶୀ

ସେଇଦିନ

ବାଜିବ ଗୋ ମିଳନର ବଂଶୀ ।

ସେଇଦିନ

ଭଗବାନ୍ ନୟନର ନିଦ୍ରା—

ସାଥେ ଗୋ ପ୍ରେୟସି

ଦୂର ହେବ ଆମର ଦୁର୍ଦ୍ଦଶା ।

ଏ ତ ପ୍ରାୟ,

ହେଲା ଆସି

ଆଷାଢ଼ର ଅଧା,

ବାକୀ ଆଉ ଜମା ଚାରି ମାସ

ନ ହୋଇ ଅଧୀର

ଆଖି କାନ ବୁଜି ଯାଅ ରହି ।

ଆଜିକାଲି

ଉଠେ ପ୍ରାଣେ ପ୍ରାଣେ

ଆଶାର ସପନ ଯେତେ

ଦୂର ଭବିଷ୍ୟର,

ସବୁ ସେଇ

ଶେଷ କାର୍ତ୍ତିକର

ଶୁଭ୍ର ଶରତର ଜ୍ୟୋତ୍ସ୍ନା ଗହଳ ନିଶାରେ,

ଲଭି ରୂପ

ହସିବ ଗୋ ପୁଣି ।

‘‘ଭାଇ ମେଘ !

ତୁମେ ଯାଇ କହିଲେ ଏ ସବୁ

ହୁଏ ତ ସେ

ଭାବିପାରେ ମନେ

ମିଛେ ତୁମେ

କିଏ ଆସି କର ପରିହାସ ।

ତେବେ ସିନା ସବୁ ଅକାରଣ !

ନ ଘୁଞ୍ଚିବ ଦୁଃଖ ତାର

ବ୍ୟର୍ଥ ତୁମ ଶ୍ରମ ।

ତେଣୁ ଏକ ଗୋପନ ସନ୍ଦେଶ

ଶୁଣ ମେଘ ! କହୁଛି ତୁମରେ

ପ୍ରିୟାର ପ୍ରତ୍ୟୟ ପାଇଁ

ବାଢ଼ିବ ତା ଆଗେ—

ଭାଉଜ ଗୋ !

ସଂକେତ ଦେଇ ଅଛନ୍ତି

ତୁମ ଦୂରଦେଶୀ,

ମନେ ତୁମ ପ୍ରତ୍ୟୟର ପାଇଁ ।

‘‘ଦିନେ କେବେ ତୁମେ

ବାହୁଲତା ଶିଥିଳ ବନ୍ଧନେ

ଛନ୍ଦି ତାଙ୍କ ଗଳା

ହଜିଥିଲ ନିଦର ଗହନେ

କେଜାଣି କାହିଁକି

ଅଚାନକ କାନ୍ଦି ଉଚ୍ଚେ

ଉଠିଲ ଗୋ ଚେଇଁ ।

ଆକୁଳେ ସେ

ବୁକୁପରେ

ଥାପି ଗୋ ତୁମରେ

କେତେ କରି

ପଚାରିଲେ କାରଣ ତାହାର ।

ଅନ୍ତରରେ

ଅନ୍ତରିତ କରି ତୁମେ ହସ

କହିଲ ଉତ୍ତରେ—

ଦେଖିଲି ସ୍ୱପନେ

କେଉଁ ଏକ ପୋଡ଼ାମୁହୀଁ ସାଥେ

କରୁଅଛ ତୁମେ

ରାସକ୍ରୀଡ଼ା ହେ ଲମ୍ପଟ !

ସେ ଲାଗି ଲାଗିଲା କାନ୍ଦ,

ଗଲା ନିଦ ଭାଙ୍ଗି ।

‘‘ଶୁଣି ଏହା ମେଘ !

ମନେ ହେବ ତା ବିଶ୍ୱାସ ।

ଦୁଃଖ ମ୍ଳାନ ସଜଳ ନୟନ

ସ୍ୱାଭାବିକ ସ୍ନେହେ ଝଳି

ଦିଶିବ ସୁନ୍ଦର ।

ଭୁଲିଯିବ ପ୍ରିୟା ମୋର

ଏକ ନିମିଷରେ

ନିଠୁର ସହାନୁଭୂତି

ସାଇପଡ଼ିଶାଙ୍କ—

ଯାହା ଯାହା କହିଥାନ୍ତି ସେହି

ଉପହାସ କରି ନିରାଶାରେ—

‘‘ଏତେ ଦିନ ହେଲା ଗଲା

ନାହିଁ ତ ଖବର କିଛି

ମଲା କି ଜୀଇଲା ।

ଜୀଇଥିଲେ ଅବା

ଆଉ କଣ ସତେ ତୋତେ

ରଖିଥିବ ମନେ ?

ପୁରୁଷଙ୍କ ସ୍ୱଭାବ ଏପରି

ପାଶେ ଥିଲାଯାକ କରିଥାନ୍ତି ଗଳାହାର

ପାଶୁଁ ଗଲେ

କିଏ ଲୋ କାହାର

ତାର ଅବା ପରବାଏ କିସ ?

କେତେ ତାକୁ ମିଳିବେଣି ପୁଣି

ବଡ଼ ପୋଡ଼ା କରମ ତୋର ଲୋ ଝିଅ !!

ଭାଇ ମେଘ !

ଏ ଗୁଡ଼ାକ

ସମାଜର ବଡ଼ କୁସଂସ୍କାର

ସମାଜର ହାଡ଼େ ହାଡ଼େ ପୂରିଛି ଏ ବିଷ

ହେବନି ସଂସ୍କାର ୟାର

ଶତ ସଂସ୍କାରରେ ।

ଭାବ ତୁମେ ଦେଖି

ସ୍ନେହ କଣ ନିଭିଯାଏ

ରହିଲେ ଦୂରରେ ?

ବରଂ ତାର

ଅଭାବର ଅନୁଭବ

ଲାଗି ପ୍ରାଣେ ପ୍ରାଣେ

ରୂପାୟିତ କରେ ତାରେ

ଘନାୟିତ ପ୍ରେମେ ।

‘‘ଭାଇ ! ମୋ ପ୍ରିୟାର

ବିରହକାତର ଶୋକସଜଳ ପରାଣେ

ଏଇପରି

ଦେଇ ଆଶ୍ୱାସନା,

ସେ ଦେବ ସଂବାଦ ଯାହା

ଯାହା ବା ସଂକେତ

ନେଇ ସେ ସବୁରେ

କୈଳାସରୁ ଫେରିବ ଚଞ୍ଚଳ ।

ଆସିବାର ପଥେ ତୁମ

ରହିଲି ଅନାଇଁ,

ଦେଖୁଛ ତ ପ୍ରାଣ ମୋର

ଶିଥିଳ ଅଥିର

ସତେ ଯଥା

ପ୍ରଭାତର କ୍ଳାନ୍ତ କୁନ୍ଦଫୁଲ ।

ଭଲ କି ମନ୍ଦ ତା କଥା

ଶୁଣି ନେଲେ ଥରେ,

ମନ ଟିକେ ହେବ ମୋ ଆଶ୍ୱସ୍ତ ।

‘‘ଭାଇ ମେଘ !

ସହି ଶ୍ରମ,

ବ୍ୟଥିତ ବନ୍ଧୁର

କରିବାକୁ ଏଇ କାମ

ବଳୁଛି ତ ମନ ?

ନ କହିଲେ—ହଁ ଅବା ନାହିଁ

ସଂକେତୁ ଜାଣୁଛି—ଅଛି ସମ୍ମତି ତୁମର ।

ପିୟାସା କାତର କଣ୍ଠେ

ଡାକଇ ଚାତକ—

ଜଳ ଦିଅ—ଜଳ ଦିଅ ମେଘ !

ତୁମେ ସେତେବେଳେ

ହଁ କି ବା ନାହିଁ କିଛି

କହନି ଉତ୍ତରେ ।

କିନ୍ତୁ ଦେଇ ଜଳ

ଦଗ୍‍ଧ ପ୍ରାଣ କର ତା ଶୀତଳ ।

ବଡ଼ ଲୋକଙ୍କର କଥା

ଏଇପରି ଭାଇ !

କାର୍ଯ୍ୟ ତାଙ୍କ

ଉତ୍ତରେ ଉତ୍ତର ।

‘‘ହେ ସୁନ୍ଦର ନୀଳ ମେଘ !

ଦରଦୀ ବୋଲି ହେ ଅବା

ଦୟା କରି ମୋରେ

ଅନ୍ୟାୟ ଅବା ଅତ୍ୟନ୍ତ

ହେଲେ ମଧ୍ୟ ମୋର

ଏ ପ୍ରାର୍ଥନା

କର ହେ ସଫଳ ।

ତାହା ପରେ—

ଶ୍ରାବଣ ବର୍ଷାର ଘନ ଗହଳ ଭୂମାରେ

ନବ ନବ ରୂପ ଶୋଭା

କରି ଆହରଣ

ଫେରି ବୁଲ—ରାଇଜେ ରାଇଜେ ।

ମାତ୍ର ଭାଇ !

ମୋ ପରି ତୁମର

କ୍ଷଣକ ପାଇଁ ବି କେବେ

ଚପଳା—ପ୍ରେୟସୀ ବକ୍ଷୁ

ନ ହେଉ ଅନ୍ତର ।

ଯାଅ ଭାଇ !

 

ପୁନର୍ଦର୍ଶନାୟ......

 

ସେତେବେଳକୁ ନୀଳମେଘ ରାମଗିରିର ପାହାଡ଼ ଚୂଡ଼ା ଡେଇଁ ଯାଇଥିଲା । ଖୁବ୍ ଉତ୍ତରରେ ନୀଳବନମାଳାର ଅସ୍ପଷ୍ଟତା ଭିତରେ ଯେଉଁଠି ନୁଆଣ ଆକାଶଟା ଡୁବି ଯାଇଥିଲା—ମେଘ ସେଥିରେ ବିଲୀନ ହେବାଯାଏ ଯକ୍ଷ ସେଇ ଆଡ଼କୁ ଚାହିଁ ରହିଲା । ଆଖିରେ ତାର ନିବିଡ଼ ନିରୀହତାର ଆକୁଳ ଅଶ୍ରୁ-ବୁକୁ ଭିତରେ ଆବେଗ ବେପଥୁର ଦମକ୍......

Image